ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ସାମିଲ ହେବେ ନାହିଁ ଦାମ
ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ଗଢ଼ିଥିବା ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅନିଚ୍ଛା ବ୍ୟକ୍ତ କରିଛନ୍ତି। ମାତ୍ର ଏହି ସାମ୍ମୁଖ୍ୟକୁ ନୈତିକ ସମର୍ଥନ ଦେବେ ବୋଲି କହିଛନ୍ତି। ଏଥିରେ ସାମିଲ ହେବା ପାଇଁ ଉଭୟ ନେତା ଡାକ୍ତର ରାଉତଙ୍କୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏଥିରେ ମିଶିବା ପାଇଁ ଡାକ୍ତର ରାଉତ ମନା କରିଦେଇଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ସାମ୍ମୁଖ୍ୟରେ ସାମିଲ ହେବା ପାଇଁ ଉଭୟ ଖାରବେଳ ଓ ବ୍ରଜ ତାଙ୍କ ପାଖକୁ ଭିନ୍ନ ଭିନ୍ନ ଭାବେ ଆସି ଆଲୋଚନା କରିଥିଲେ। କିନ୍ତୁ ତାଙ୍କର କୌଣସି ଦଳ ନଥିବାରୁ ସେ ସାମିଲ ହେବେ ନାହିଁ ବୋଲି ସେମାନଙ୍କୁ ଜଣାଇଥିଲେ। ସେ ନିଜେ ଏବେ ‘ଜନତା କ୍ରାନ୍ତି’ ନାଁରେ ଏକ ଦଳ ଗଠନ କରିବାକୁ ଚାହୁଁଛନ୍ତି। ନୂଆ ଦଳ ଗଠନରେ ମୋର କୌଣସି ପଦପଦବୀର ଆଶା ନାହିଁ । ମୋର ଗୋଟିଏ ଲକ୍ଷ୍ୟ ନବୀନ ପଟ୍ଟନାୟକ କ୍ଷମତାରୁ ହଟନ୍ତୁ । ସେମାନଙ୍କର ବି ମଧ୍ୟ ଏହି ଲକ୍ଷ୍ୟ ରହିଛି । ବର୍ତ୍ତମାନ ସମୟ ଆଉ ନ ଥିବାରୁ ସେ ଆଉ ଏଥିରେ ରହିବା ପାଇଁ ଚାହିଁନାହାଁନ୍ତି ବୋଲି କହିଛନ୍ତି । ଉକ୍ତ ଦଳରେ ସେ କୌଣସି ପଦପଦବୀରେ ରହିବେ ନାହିଁ କିନ୍ତୁ ସେହି ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।
ବିଜେଡି ଓ ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ଏହି ସାମ୍ମୁଖ୍ୟ ଗଠନ ହୋଇଥିଲେ ମଧ୍ୟ ଡାକ୍ତର ରାଉତ ସେଥିରେ ସାମିଲ ହେବାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଡାକ୍ତର ରାଉତଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖାରବେଳ ଓ ବ୍ରଜଙ୍କ ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ପଛରେ ବିଜେପିର ହାତ ଅଛି।