ପାରାଦୀପ ନୁହେଁ ବାଲିକୁଦାରୁ ଲଢ଼ିବାକୁ ଦାମ ଆଗ୍ରହୀ
ପୁଅ ପାଇଁ ପାରାଦୀପ ଛାଡିବେ ଦାମ
ବରିଷ୍ଠ ନେତା ଡ଼ା. ଦାମୋଦର ରାଉତ ଗୁରୁବାର ଦିନ ବିଜେପିରେ ଯୋଗ ଦେଇ ଆଗାମୀ ନିର୍ବାଚନ ଲଢ଼ିବା ନେଇ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ଗୋଟିଏ ଗୁଳିରେ ଦୁଇଟି ଶୀକାର ଭଳି। ଆଉ ପାରାଦ୍ୱୀପ ନୁହେଁ ଆଗାମୀ ନିର୍ବାଚନ ଜନ୍ମସ୍ଥାନ ବାଲିକୁହାରୁ ଲଢ଼ି ଜନ୍ମମାଟିର ସେବା କରିବାକୁ ଦାମ ଇଛା ପ୍ରକାଶ କରିଛନ୍ତି। ଏହା ଦ୍ୱାରା ପୁଅ ସମ୍ୱିତଙ୍କ ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀ ସୁରକ୍ଷିତ ରଖିବା ସହିତ ଗତ କିଛି ଦିନ ହେଲା ତାଙ୍କୁ ହଲାପଟା କରୁଥିବା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହିତ ହିସାବ ନିକାଶ କରିବେ।

ବିଜେପିରେ ଯୋଗ ଦେବା ପରେ ଦାମ କହିଛନ୍ତି , ସେ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ। ଜନ୍ମସ୍ଥାନ ବାଲିକୁଦାରୁ ସେ ୨୫ ବର୍ଷ ବିଧାୟକ ଥିଲେ । ତେଣୁ ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛି ବୋଲି ଦାମ କହିଛନ୍ତି। ତେବେ ଦାମଙ୍କ ବାଲିକୁଦା-ଏରସମାରୁ ଲଢିବା ନିଷ୍ପତ୍ତି ପୁଅ ସମ୍ବିତ ରାଉତରାୟଙ୍କୁ ଆଶ୍ୱସ୍ତି ଦେଇପାରେ । କାରଣ, ପାରାଦୀପ ଆସନରୁ ଲଢିବାକୁ ସେ ଅନେକ ଦିନରୁ ଆଗ୍ରହୀ ଥିବା କହିସାରିଛନ୍ତି ସମ୍ବିତ । ତେଣୁ ବିଜେଡି ଯଦି ସମ୍ବିତଙ୍କୁ ପାରାଦୀପରୁ ଟିକେଟ୍ ଦିଏ , ତେବେ ବାପାଙ୍କ ସହ ଟକ୍କର ନେଇ ଆଉ ଆଶଙ୍କା ନାହିଁ । ଏପରିକି ବାପାଙ୍କ ଲୋକପ୍ରିୟତା ଏବଂ ବିଜେଡି ଟିକେଟ୍ ତାଙ୍କୁ ନିର୍ବାଚନରେ ବିଜୟ ଦେବା ସମ୍ଭାବନା ଅଧିକ ।
ପୁଣି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି, ପୁଅ ସମ୍ବିତଙ୍କୁ ମଧ୍ୟ ବିଜେପିରେ ମିଶାଇ ପାରାଦୀପ ଟିକେଟ୍ ପାଇଁଲବି ଦାମ କରୁଛନ୍ତି । ଏହା ଯଦି ସତ ହୁଏ ତେବେ, ବାଲିକୁଦା-ଏରସମାରୁ ବାପା ଦାମ ରାଉତ ଏବଂ ପାରାଦୀପରୁ ଲଢିପାରନ୍ତି ପୁଅ ସମ୍ବିତ ରାଉତରାୟ।
ଗୋଟିଏ ପଟେ ବାପା ଦାମ ରାଉତ ବିଜେପିରେ ମିଶି ବିଜେଡିକୁ ଚେକ୍ ଦେବାକୁ ଚାହୁଁଥିବା ବେଳେ ଦିନ ତମାମ ନବୀନ ନିବାସରେ ପୁଅ ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା। ନବୀନଙ୍କ କ୍ୟାମ୍ପର ଡଜେନ ସରିକି ନେତା ସମ୍ବିତଙ୍କୁ ସହ ଆଲୋଚନା କରିଥିଲେ । ଏପରିକି ବାପାଙ୍କୁ ବିଜେପିରେ ଯୋଗ ନ ଦେବାକୁ ବୁଝାଇବାକୁ ସମ୍ବିତଙ୍କୁ କୁହାଯାଇଥିଲା । କିନ୍ତୁ ଦାମଙ୍କୁ ଚୁପ୍ କରିବାକୁ ବିଜେଡି ଯେଉଁ ଫର୍ମୁଲା ଆପଣାଇଥିଲା ସେଥିରେ ଖୋଦ୍ ନିଜେ ପୂର୍ଣ୍ଣଛେଦ ଟାଣିଛନ୍ତି ଦାମ । ପୁଅ କିମ୍ବା ଝିଅ କାହା କଥା ଶୁଣିବି ନାହିଁ ବୋଲି ଆଜି ରୋକଠୋକ କହିଥିଲେ ଦାମ ।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :