ବିଗ୍ ବିଙ୍କୁ ୩ମାସ ଅପେକ୍ଷା କରାଇଥିଲେ ଦଲେର୍ ମେହେନ୍ଦି
ବଲିଉଡ୍ ଗାୟକଙ୍କ ମଧ୍ୟରେ ପଞ୍ଜାବି ପପ୍ ସିଙ୍ଗର୍ ଦଲେର୍ ମେହେନ୍ଦି ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଦିନ ଥିଲା ଯେତେବେଳେ ମେହେନ୍ଦିଙ୍କର ଗୀତ ନ ବାଜିଲେ କୌଣସି ଉତ୍ସବ ସମ୍ପୂର୍ଣ୍ଣ ହେଉନଥିଲା । କିନ୍ତୁ ଏବେ ସେ କ୍ରେଜି ନଥିଲେ ମଧ୍ୟ ଦଲେରଙ୍କ କୌଣସି ଗୀତ ଶୁଣାଗଲେ, ପାଦ ଆପେ ଆପେ ନାଚିଉଠେ । ତେବେ ଏମିତି ଜଣେ ଲୋକପ୍ରିୟ ଗାୟକ ନିକଟରେ ଏକ ସାକ୍ଷାତକାରରେ ତାଙ୍କର ବଲିଉଡ୍ ଏଣ୍ଟ୍ରୀ ସମ୍ପର୍କିତ କିଛି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛନ୍ତି । ବିଗ୍ ବିଙ୍କ ସହିତ ତାଙ୍କର କିଛି ସ୍ମୃତିକୁ ଉଜାଗର କରିବାକୁ ଯାଇ ଦଲେର୍ କହିଛନ୍ତି ଯେ – ‘ବିଗ୍ ବିଙ୍କ ଭଳି ମହାନାୟକ ମୋ ସହ କାମ କରିବା ପାଇଁ ୩ ମାସ ଅପେକ୍ଷା କରିଥିଲେ, ଯାହାକି ମୋ ଜୀବନରେ ସବୁଠାରୁ ବଡ଼ ସଫଳତା’ ।
ଦଲେରଙ୍କ କହିବା ଅନୁଯାୟୀ ଦିନେ ବିଗ୍ ବି ତାଙ୍କୁ ଫୋନ୍ କରି କହିଥିଲେ – ‘ମୁଁ ଅମିତାଭ୍ ବଚ୍ଚନ କହୁଛି । ମୁଁ ତୁମ ସହ କାମ କରିବାକୁ ଚାହେଁ । ତୁମେ ମୁମ୍ବାଇ ଆସି ପାରିବକି? ଏଭଳି ଏକ ସ୍ୱର ଶୁଣିବା ପରେ ମୋ ପାଦ ତଳୁ ମାଟି ଖସିଯିବା ଭଳି ଲାଗିଥିଲା। ମୋ ମୁଣ୍ଡ ଘୁରିଯାଇଥିଲା । କାରଣ ମୁଁ ବିଶ୍ୱାସ କରିପାରୁନଥିଲି ଯେ ମୋର ଆଦର୍ଶ ଅଭିନେତା ମୋତେ ଫୋନ୍ କରିବେ ଏବଂ ପୁଣି ମୋ ସହ କାମ କରିବା ପାଇଁ ଚାହିଁବେ । ମୋର ଖୁସିର ଠିକଣା ନଥିଲା ।
ବିଗ୍ ବି ଙ୍କୁ ଫୋନରେ ମୁଁ କହିଥିଲି – ମୁଁ ବୋଲି କେବଳ ମୁଣ୍ଡ ଘରିଗଲା । କିନ୍ତୁ ମୋ ଜାଗାରେ ଅନ୍ୟ କେହି ଥିଲେ ହାର୍ଟଆଟାକ୍ ଆସିଯାଇଥାନ୍ତା । ମୋର ଏହି କଥାରେ ବିଗ୍ ବି ହସିଦେଇଥିଲେ ଏବଂ ପୁଣିଥରେ ତାଙ୍କ ସହ କାମ କରିବା ପାଇଁଁ ଅଫର୍ କରିଥିଲେ । କିନ୍ତୁ ସେହି ସମୟରେ ‘ବୋଲେ ତାରା ରାରା’ ଏତେ ଫେମସ୍ ହୋଇଥିଲା ଯେ ୩ ମାସ ପର୍ଯ୍ୟନ୍ତ ଅଗ୍ରୀମ ବୁକିଂ ଭାବେ ମୁଁ ଷ୍ଟେଜ୍ ଶୋ’ କରୁଥିଲି । ତେଣୁ ଏଭଳି ପରିସ୍ଥିତିରେ ମୁଁ ବିଗ୍ ବିଙ୍କୁ ୩ ମାସ ଅପେକ୍ଷା କରିବା ପାଇଁ କହିଥିଲି । ବିଗ୍ ବି ମଧ୍ୟ ମୋ କଥାରେ ରାଜି ହୋଇଥିଲେ ।
ତିନି ମାସ ପରେ ବିଗ୍ ବିଙ୍କ ସହିତ ‘ନାନା ନାନା ନାରେ…’ ଗୀତର ସୁଟିଂ ଆରମ୍ଭ ହୋଇଥିଲା । ଏହି ଗୀତ ବଲିଉଡରେ ରେକର୍ଡ଼ ବ୍ୟବସାୟ କରିଥିଲା ଏବଂ ଶ୍ରୋତାମାନଙ୍କ ଦୃଷ୍ଟିରେ ଥିଲା ବିଗ୍ ବି ଓ ଦଲେରଙ୍କ ବି ସଙ୍ଗୀତ ତଡ୍କା ‘ନାନା ନାନା ନାରେ…’ । ନିଜର ଫେବରାଇଟ୍ ଅଭିନେତା ବିଗ୍ ବିଙ୍କୁ ୩ ମାସ ଅପେକ୍ଷା କରାଇଥିବାରୁ ଆଜିପର୍ଯ୍ୟନ୍ତ ଦିଲେରଙ୍କ ମନରେ କଷ୍ଟ ହେଉଛି ।