ଦୂର ହେଉଛି ସଂଶୟ : ସ୍ନାନ, ଅଣସର ଓ ରଥଯାତ୍ରା ନେଇ ଦଇତାପତିଙ୍କ ସହ ଆଲୋଚନା
ପୁରୀ, (ଓଡ଼ିଶା ଟାଇମ୍ ): କୋଭିଡ୍-୧୯ ମହାମାରୀ ସମୟରେ କେମିତି ହେବ ଶ୍ରୀଜଗନ୍ନାଥଙ୍କ ଯାତ୍ରା ନୀତି? କିପରି ପାଳନ ହେବ ସ୍ନାଯାତ୍ରା, ଅଣସର ଏବଂ ରଥଯାତ୍ରା। ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଓ ଦୃଷ୍ଟାନ୍ତ ରହିଛି ସେଠାରେ ସୋଶାଲ୍ ଡିଷ୍ଟାନ୍ସିଂ ଏବଂ ପରିଚ୍ଛନ୍ନତାକୁ କିପରି ପାଳନ କରାଯାଇପାରିବ? ଏନେଇ କଟକଣା ହେବକି? ଏମେିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି। ଏପରିକି ଉଭୟ ପ୍ରଶାସନ ଓ ସେବାୟତ ସମାଜ ମଧ୍ୟ ଏହି ପ୍ରଶ୍ନରେ ଆନ୍ଦୋଳିତ। ଏଣୁ ସମାଧାନର ରାସ୍ତା କାଢ଼ିବା ଲାଗି ଦଇତାପତି ନିଯୋଗକୁ ପ୍ରସ୍ତାବ ଦେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛନ୍ତି।
ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ଯାଏଁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ରୀତିନୀତି ଦଇତାପତି ନିଯୋଗ ଦ୍ଵାରା ସମ୍ପନ୍ନ ହୋଇଥାଏ। ଏଣୁ ଏଥର ଯେଉଁ ଅଦୃଶ୍ୟ ମହାମାରୀ ରହିଛି ତାହାକୁ ଦୂରରେ ରଖି ରଥ ଯାତ୍ରା ଓ ଶ୍ରୀମନ୍ଦିରର ରୀତି ନୀତି ପାଳନ ହେବ ସେ ନେଇ ନିଯୋଗ ପ୍ରସ୍ତାବ ରଖିବେ। ଏହି ପ୍ରସ୍ତାବ ପରବର୍ତ୍ତୀ ସମୟରେ ପରିଚାଳନା କମିଟିରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ।
ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ଵପୂଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କୋଭିଡ୍ ୧୯ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ପାଇଁ ଦଇତାପତି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏହି ବୈଠକ ଶୁକ୍ରବାର ଦିନ ବସିଥିଲା ।
କୋଭିଡ୍ ୧୯ ପରିସ୍ଥିତି ହେତୁ ଏଥର ରଥକାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଛି। ୧୨ ଦିନ ବିଳମ୍ବ ହୋଇଥିଲେ ମଧ୍ୟ ବିଧି ଅନୁସାରେ ଭଉଁରୀ ଯାତ୍ରା ଦିନ କିନ୍ତୁ ପ୍ରଥମ ପର୍ଯ୍ୟାୟ ଚକଡେରା ନୀତି ସମ୍ପନ୍ନ ହୋଇଛି। ମହାରଣା ସେବାୟତମାନେ କରୋନା ଭୁତାଣୁ ସଂକ୍ରମଣକୁ ଅବରୋଧ କରିବା ପାଇଁ ଘରକୁ ନଯାଇ ସ୍ଵତନ୍ତ୍ର ଆବାସରେ ରହୁଛନ୍ତି। ସେମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସେମାନେ କିପରି ପରିଚ୍ଛନ୍ନ ରହିବେ, ମୁହଁରେ ମାସ୍କ ପିନ୍ଧି କାର୍ଯ୍ୟ କରିବେ ସେଥିଲାଗି ବ୍ୟବସ୍ଥା ହୋଇଛି।
ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସେମାନଙ୍କୁ ହାତ ଧୁଆ ଉପରେ ତାଲିମ ଦିଆଯାଉଛି। ସେମାନଙ୍କୁ କରୋନା ସଂକ୍ରମଣ ବାବଦରେ ସଚେତନ କରାଯିବା ସହ ନିୟମିତ ଭାବେ ସେମାନଙ୍କ ସ୍କ୍ରିନିଂ କରାଯାଉଛି।
To Read in English, please click on the following link
ଠିକଣା ପଥରେ ରଥକାମ: ପ୍ରଥମ ପର୍ଯ୍ୟାୟ ଚକଡେରା ସମ୍ପନ୍ନ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ