ବଙ୍ଗୋପସାଗରରୁ ଆସୁଥିବା ବାତ୍ୟାର ନାଁ ମୋଚା କାହିଁକି, କ’ଣ ରହିଛି ବିପଦ ? ଜାଣନ୍ତୁ ସବୁ କିଛି
ଭୁବନେଶ୍ୱର: ବଙ୍ଗୋପସାଗରରୁ ଆସୁଥିବା ସାମୁଦ୍ରିକ ଝଡ଼ ‘ମୋଚା’ ଯେକୌଣସି ସମୟରେ ସ୍ଥଳଭାଗ ଛୁଇଁପାରେ । ଚଳିତ ବର୍ଷ ଏହା ହେବ ୨୦୨୩ର ପ୍ରଥମ ବାତ୍ୟା । ମେ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସତର୍କ ସୂଚନା ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଧ୍ୟ ବର୍ଷର ପ୍ରଥମ ବାତ୍ୟା ମୋଚାକୁ ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଜ୍ଞାନୀଙ୍କ ମତରେ ମୋଚା ବାତ୍ୟା ଝଡ଼ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ‘ମୋଚା’ ବାତ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି । ଯାହା ଅନୁଯାୟୀ ମେ ୬ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯେଉଁଥିପାଇଁ ପରଦିନ ଅର୍ଥାତ୍ ମେ ୭ ତାରିଖବେଳକୁ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଥିସହିତ ବଙ୍ଗୋପସାଗରରେ ଏକ ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ଏହାପରେ ମେ’ ୯ ତାରିଖରେ ଏହି ସାମୁଦ୍ରିକ ଝଡ଼ ବାତ୍ୟାରେ ପରିଣତ ହୋଇ ଉପସାଗରର ମଧ୍ୟଭାଗ ଆଡ଼କୁ ଉତ୍ତର ଦିଗକୁ ଗତି କରିବାର ଆଶଙ୍କା ରହିଛି ।
ବାତ୍ୟାର ନାଁ ମୋଚା କାହିଁକି?
ଏବେ ଆସନ୍ତୁ ଜାଣିବା ବାତ୍ୟାର ନାଁ କାହିଁକି ମୋଚା ରଖାଗଲା ? ବାସ୍ତବରେ ବିଶ୍ୱ ପାଣିପାଗ ସଂଗଠନ ଜରିଆରେ ବାତ୍ୟାର ନାମକରଣ ପ୍ରଣାଳୀ ଗ୍ରହଣ କରାଯାଏ । ଯେଉଁଥିରେ ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ଆୟୋଗ (ଏସକେପି)ର ସଦସ୍ୟ ରାଷ୍ଟ୍ରମାନେ ହସ୍ତକ୍ଷେପ କରିଛନ୍ତି । ବାତ୍ୟାର ନାମକୁ ନେଇ ୟେମେନ୍ ଏହି ପରାମର୍ଶ ଦେଇଥିଲା । ଲୋହିତ ସାଗର ଉପକୂଳରେ ଥିବା ବନ୍ଦର ସହର ‘ମୋଚା’ ନାମ ପ୍ରସ୍ତାବ ଦିଆଯାଇଥିଲା । ଯେଉଁଥିପାଇଁ ବାତ୍ୟା ଉପରେ ମୋହର ଲଗାଇବା ପରେ ଏହାର ନାମ ମୋଚା ରଖାଯାଇଥିଲା ।