ଓଡିଶା ମୁହାଁ ବାତ୍ୟା : ଚନ୍ଦ୍ରଭାଗାରେ ସ୍ଥଳଭାଗ ଛୁଇଁପାରେ ଫୋନି

ଓଡିଶା ଉପକୂଳକୁ ମୁହାଁଉଥିବା ବାତ୍ୟା ଫୋନି ଆସନ୍ତା ୩ ତାରିଖ ରାତିରେ ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ଆଇଏମ୍‍ଡିର ଆକଳନ ଅନୁଯାୟୀ ଆସନ୍ତା ତିନି ତାରିଖ ରାତି ସମୟରେ ବାତ୍ୟା ଚନ୍ଦ୍ରଭାଗା ଠାରେ ସ୍ଥଳଭାଗ ଛୁଇଁବା ସହିତ ପୁରୀ, ଜଗତ୍‍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଉପକୂଳ ଅଞ୍ଚଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ପବନ ବହିବାର ସମ୍ଭାବନା ରହିଛି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫୋନିର ପ୍ରଭାବରେ ଆସନ୍ତା ୨ ତାରିଖ ଠାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବାକୁ ଥିବାବେଳେ ଏଥିଯୋଗୁଁ ପବନର ବେଗ ସର୍ବାଧିକ ୧୯୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଦୁଇ ଓ ତିନି ତାରିଖରେ ପବନର ବେଗ ସର୍ବାଧିକ ରହିବା ସହିତ ୪ ତାରିଖ ବେଳକୁ ଏହା ହ୍ରାସ ପାଇବ ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଇତି ମଧ୍ୟରେ ତ୍ୱରିତ ପଦକ୍ଷେପ ଆରମ୍ଭ କରିଛନ୍ତି । ଜରୁରୀ ସ୍ଥିତିରେ ଉଦ୍ଧାର ଓ ଥଇଥାନ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

Leave a Reply

Your email address will not be published.