୧୨ ଘଣ୍ଟାରେ ଡିପ୍ରେସନ୍, ୪୮ ଘଣ୍ଟାରେ ବାତ୍ୟା, ୯ରୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଭୁବନେଶ୍ଵର, (ଓଟି): ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ କ୍ରମଶଃ ଉଗ୍ରରୂପ ନେବାରେ ଲାଗିଛି। ଏହି ଝଡ଼ ଏବେ ଏକ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହି ଲଘୁଚାପର କେନ୍ଦ୍ରବିନ୍ଦୁ ବଙ୍ଗୋପସାଗରେ ଅଧିକ ଘନୀଭୂତ ହୋଇ ଡିପ୍ରେସନ୍ର ରୂପ ନେବା ଆଶଙ୍କା କରାଯାଉଛି। ଏହି ଡିପ୍ରେସନ୍ କ୍ରମଶଃ ଘନୀଭୂତ ହୋଇ ୪୮ ଘଣ୍ଟା ଭିତରେ ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ଏହାର ପ୍ରଭାବରେ ଶନିବାରଠୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଆଶଙ୍କା ରହିଛି।
ମଙ୍ଗଳବାର ସକାଳ ବୁଲେଟିନ୍ରେ ଭାରତ ପାଣିପାଗ ବିଭାଗ କହିଛି ଯେ, ଏବେ ଆଣ୍ଡାମାନ ସାଗରରେ ସହଜରେ ଚିହ୍ନିତ କରାଯାଇପାରୁଥିବା ଲଘୁଚାପ ଏକ ସାମୁଦ୍ରିକ ଝଡ଼କୁ ସାଙ୍ଗରେ ନେଇ ଗତି କରୁଛି। ଏବେ ଏହାର ପ୍ରମାଗ ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉପର ବାୟୁ ମଣ୍ଡଳରେ ରହିଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି ଏବଂ ୪୮ ଘଣ୍ଟା ଭିତରେ ଉଗ୍ର ରୂପ ଧାରଣ କରିବ।
ଏହି ସାମୁଦ୍ରିକ ଝଡ଼ବାତ୍ୟାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଆଶଙ୍କା କରାଯାଉଛି। ତେବେ ଏହି ଝଡ଼ତୋଫାନର ତୀବ୍ରତା କେତେ ରହିବ ତାହା ଆକଳନ କରାଯାଇପାରି ନାହିଁ।
ପାଣିପାଗ ବିଭାଗର ଏହି ବୁଲେଟିନ୍ରେ କୁହାଯାଇଛି ଯେ, ଆସନ୍ତା ୯ ତାରିଖରୁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ରହିବା ଆଶଙ୍କା କରାଯାଉଛି। ୯ ତାରିଖ ଅର୍ଥାତ୍ ଶନିବାର ସନ୍ଧ୍ୟାରୁ ପବନ ଓ ବର୍ଷା ପରିମାଣ ବଢ଼ିବା ଆଶଙ୍କା ରହିଛି।