ଉପକୂଳରେ ‘ବୁଲ୍ ବୁଲ୍’: ୨୪ଘଣ୍ଟା ଝଡ଼ ତୋଫାନ ଓ ବର୍ଷା, ସତର୍କ ରହନ୍ତୁ
ଭୁବନେଶ୍ଵର, (ଓଟି): ଶୁକବାର ମଧ୍ୟରାତ୍ରୀରୁ ଶନିବାର ମଧ୍ୟରାତ୍ରୀ ଯାଏ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ବିପଦ ରହିଛି। କାରଣ ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ର ପ୍ରଭାବରେ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ଝଡ଼ ବୋହିବା ଆଶଙ୍କା ରହିଛି। ଏମିତିକି ପବନର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଛୁଇଁପାରେ। ଅର୍ଥାତ୍ ଉପକୂଳିଆ ଗାଁ ଗୁଡ଼ିକରେ ଧନଜୀବନ ହାନୀ ହେବା ଆଶଙ୍କା ରହିଛି। ‘ଫୋନି’ ବାତ୍ୟା ଭଳି ଏଠାରେ ପବନର କରାଳ ନ ରହିଲେ ମଧ୍ୟ ତୋଫାନ ଓ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ।
ପାଣିପାଗ ବିଭାଗର ପୂର୍ବାନୁମାନ
ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଓଡ଼ିଶା ଉପକୂଳ ନିକଟତର ହେବାରେ ଲାଗିଛି। ଘଣ୍ଟାପ୍ରତି ଏହାର ବେଗ ଘଣ୍ଟାପ୍ରତି ପାଖାପାଖି ୧୭ କିଲୋମିଟର ରହିଛି। ଯେତିକି ସ୍ଥଳଭାଗଆଡ଼କୁ ମୁହାଁଉଛି ଏହାର ବେଗ ବଢ଼ିବାରେ ଲାଗିଛି। ଦିନ ସାଢ଼େ ଦୁଇଟା ସୁଦ୍ଧା ଏହି ଝଡ଼ର କେନ୍ଦ୍ରବିନ୍ଦୁ ପାରାଦୀପଠାରୁ ୨୬୦ କିଲୋମିଟର ଦୂରରେ ଠାବ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ବର୍ଷିବ। ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଏବଂ ଜଗତସିଂହପୁର ଜିଲ୍ଲାରେ ପରିସ୍ଥିତି ସାଘାତିକ ହେବା ଆଶଙ୍କା ରହିଛି। ବର୍ଷା ହେତୁ ମାଟି ଘର, ଚାଳଘର ଭୁସୁଡ଼ିବା, ନଦୀ ତଥା କେନାଲ ବନ୍ଧ ଓ କିଛି ଲୁଣାବନ୍ଧରେ ଘାଇ ହୋଇପାରେ।
ଏହା ସହ ଶୁକ୍ରବାର ଅପରାହ୍ଣରୁ ଆରମ୍ଭ ହୋଇଥିବା ପବନ କ୍ରମଶଃ ବଢ଼ି ଘଣ୍ଟାପ୍ରତି ୧୬୦କୁ ଛୁଇଁପାରେ। ୭୦ରୁ ୮୦ କିଲୋମିଟର ବେଗରେ ପ୍ରବାହିତ ପବନ ଝଡ଼ ରୂପ ଧାରଣ କରି ଘଣ୍ଟା ପ୍ରତି ୯୦ କିଲୋମିଟର ପରି ଅନୁଭୂତ ହୋଇପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ପ୍ରଭୃତି ଜିଲ୍ଲାରେ ୯ ତାରିଖ ସକାଳୁ ଏହିପରି ପବନ ୧୦ ତାରିଖ ସକାଳକୁ ଥମିବା ସମ୍ଭାବନା ରହିଛି। ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପବନ ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି।
ପ୍ରଶସନିକ ପ୍ରସ୍ତୁତି
ଯଦିଧ ବୁଲ୍ ବୁଲ୍ ଓଡ଼ିଶା ଉପକୂଳରେ ଅବପାତିତ ହେବ ନାହିଁ କିନ୍ତୁ ଏହା ପ୍ରତ୍ୟାବର୍ତ୍ତନ ଓଡ଼ିଶା ଦେଇ ହେଉଥିବାରୁ ଓଡ଼ିଶା ଉପକୂଳରେ ପବନ ଓ ବର୍ଷା ଦୀର୍ଘ ସମୟ ଧରି ରହିବ। ଏହାର ପ୍ରଭାବରେ ଧନ ଜୀବନ ପ୍ରଭାବିତ ହେବ। ଏହାକୁ ଆଖଷର ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ୯ଟି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଙ୍କୁ ଓଡ୍ରାଫ୍ ବାହିନୀ ପଠାଯାଇଛି। ସରକାରଙ୍କ ପକ୍ଷରୁ ସାମୁଦ୍ରିକ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି। ଯଥାଶୀଘ୍ର ଲୋକଙ୍କୁ ସ୍ଥାନାନ୍ତର କିପରି କରାଯାଇପାରିବ ସେଥିନେଇ ବ୍ୟବସ୍ଥା କରାଯାଉଛି।
ପନିପରିବା ଦର ବୃଦ୍ଧି
ବାତ୍ୟା ପରିସ୍ଥିତିକୁ ଦେଖି ବଜାରରେ ପନିପରିବା ଦର ବଢ଼ିଛି। ଗୋଟିଏ ପଟେ ସବୁଜ ପନିପରିବାର କୃତ୍ରିମ ଅଭାବ ହୋଇଥିବାବେଳେ ଆଳୁ ଦର ୨୦ ଟଙ୍କାରେ ପହଞ୍ଚିଛି। ଅନେକ ସ୍ଥାନରେ ଏହା ୨୪ ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ନଜରକୁ ଆସିଛି।











