କଟକ ଲୋକସଭା: ଭତ୍ତୃର୍ହରିଙ୍କ ବଦଳରେ ଅନୁଭବ!

କଟକ ଲୋକସଭା ଆସନରୁ ୫ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ତାଙ୍କ ଦଳ ବିଜେଡ଼ି ଏଥର ପୁନଃ ମନୋନୀତ କରିନପାରେ। ୧୯୯୮ରୁ ଭର୍ତ୍ତୃହରି ସମ୍ମାନଜନକ କଟକ ଆସନରୁ ଲଗାତାର ଶାସକ ବିଜେଡ଼ି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଏବେ ସେ ଲୋକସଭାରେ ଦଳର ନେତା ଅଛନ୍ତି। ଆଗାମୀ ନିର୍ବାଚନରେ ତାଙ୍କ ବଦଳରେ ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତିଙ୍କୁ ଟିକଟ ମିଳିପାରେ ବୋଲି ସୂଚନା ମିଳିଛି।

ଯଦି ଏହି ସୂଚନା ସତ୍ୟ ହୁଏ, ତେବେ ବିଜୁ ଜନତା ଦଳ ଗଠନ ସହ ସମ୍ପୃକ୍ତ ଅଧିକାଂଶ ବରିଷ୍ଠ ନେତା ଏଥର ଟିକଟ ପାଇବେ ନାହିଁ। ଅବଶ୍ୟ ଅନ୍ୟ ଗୋଟିଏ ମହଲ କଟକ ଆସନ ପାଇଁ ଅନୁଭବ ମହାନ୍ତି ବିଜେଡ଼ି ପ୍ରାର୍ଥୀ ହୋଇପାରନ୍ତି ବୋଲି କହୁଛନ୍ତି। ତେବେ ଭର୍ତ୍ତୃହରି ଟିକଟ ପାଉନାହାନ୍ତି ବୋଲି ବିଜେଡ଼ିରେ ଆଲୋଚନା ବଢ଼ିବାରେ ଲାଗିଛି।

ଭର୍ତ୍ତୃହରି ମହତାବ ଜଣେ ଦକ୍ଷ ସାଂସଦ ଭାବରେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଶ୍ରେଷ୍ଠ ସାଂସଦ ପୁରସ୍କାର ମଧ୍ୟ ସେ ପାଇସାରିଛନ୍ତି। ଲୋକସଭା ଆଲୋଚନାରେ ତାଙ୍କ ଯୁକ୍ତି ଅନ୍ୟ ସବୁ ଦଳର ସମ୍ମାନ ହାସଲ କରିସାରିଛି। ତାଙ୍କର ବାଗ୍ମୀତା ଏବଂ ଯୁକ୍ତିକୁ ନେଇ କାହାର ସନ୍ଦେହ ନାହିଁ।

ଦ୍ୱିତୀୟରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ସେ ସମ୍ୱନ୍ଧୀ। ବିଜେପିର ଅନ୍ୟ ନେତାଙ୍କ ସହ ତାଙ୍କର ସମ୍ପର୍କ ଭଲ। ଏହି କାରଣରୁ ତାଙ୍କୁ ଲୋକସଭା ଲାଗି ପୁନର୍ବାର ଟିକଟ ଦେବାକୁ ଦଳ ଚାହୁଁନାହିଁ ବୋଲି ଆଲୋଚନା ହେଉଛି।

ଭର୍ତ୍ତୃହରିଙ୍କୁ ବାଙ୍କୀ ବିଧାନସଭା ଆସନରୁ ଲଢ଼ାଇବା ପାଇଁ ଏକ ଯୋଜନା ମଧ୍ୟ ଚାଲିଛି। ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଭର୍ତ୍ତୃହରିଙ୍କର ଅତି ଘନିଷ୍ଠ। ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିବା କାରଣରୁ ଏଥର ଟିକଟ ପାଉ ନାହାନ୍ତି ପ୍ରଭାତ ତ୍ରିପାଠୀ। ଅପରପକ୍ଷରେ ତାଙ୍କ ପୁଅ ବାଙ୍କୀରୁ ଲଢ଼ିବା ପାଇଁ ଅରାଜି। ଭର୍ତ୍ତୃହରିଙ୍କୁ ବିଧାନସଭା ଆସନ ପାଇଁ ଲଢ଼ାଇ ଦେଲେ ପ୍ରଭାତ ତାଙ୍କୁ ସମର୍ଥନ କରିବେ ବୋଲି ବିଜେଡ଼ି ନେତୃତ୍ୱ ମନେ କରୁଛନ୍ତି। ଏଥିପାଇଁ ଲୋକସଭା ବଦଳରେ ବିଧାନସଭା ସକାଶେ ଭର୍ତ୍ତୃହରିଙ୍କୁ ଲଢ଼ାଇବା ପ୍ରସ୍ତାବ ଉପରେ ଗୁରୁତ୍ୱର ସହ ଦଳ ବିଚାର କରୁଛି।

ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ନବୀନଙ୍କ ଅତି ଘନିଷ୍ଠ। କୌଣସି ସମୟରେ ବହୁ ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରନ୍ତି ନାହିଁ ନବୀନ। କିନ୍ତୁ ଅନୁଭବ ଥିଲେ ତାହାର ଏକ ବ୍ୟତିକ୍ରମ। ଅନୁଭବ ଅଭିନେତାରୁ ନେତା ସାଜିଛନ୍ତି ଏବଂ ଦଳର ଜଣେ ତାରକା ପ୍ରଚାରକ ମଧ୍ୟ। ଏହି କାରଣରୁ ଅନୁଭବଙ୍କୁ କଟକ ଳୋକସଭା ଆସନରେ ପ୍ରାର୍ଥୀ କରିବା ପାଇଁ ଯୋଜନା ଚୂଡ଼ାନ୍ତ ହୋଇଛି ବୋଲି ବିଜେଡ଼ି ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published.