ଦିଲ୍ଲୀରୁ ଆସାମ-ମେଘାଳୟ ବ୍ୟାପିଲା ‘ସିଏଏ’ ସଂଘର୍ଷ, ଜଣଙ୍କ ପ୍ରାଣ ଗଲା
ନୂଆଦିଲ୍ଲୀ,ଶିଲଂ(ଓଟି): ଥମୁନି ଦିଲ୍ଲୀରେ ସିଏଏ ବିବାଦ। ପରିସ୍ଥିତି ନିୟନ୍ତ୍ରଣାଧୀନ କୁହାଯାଉଥିଲେ ମଧ୍ୟ ଅଦ୍ୟାବଧି ଏହି ଉତ୍ତେଜନା ଓ ସଂଘର୍ଷରେ ୪୨ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ୬୩୦ରୁ ଅଧିକ ଗିରଫ ହୋଇଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଆସାମ ଓ ମେଘାଳୟରେ ଦେଖାଦେଇଛି ‘ସିଏଏ’ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ। ମେଘାଳୟର ପୂର୍ବ ଖାସି ହିଲ୍ସ୍ ଜିଲ୍ଲାରେ ‘ଖାସି ଛାତ୍ର ସଂଘ’ ଏବଂ ଅଣ-ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉତ୍ତେଜନା ଓ ସଂଘର୍ଷ ଦୃଷ୍ଟିରୁ ମେଘାଳୟ ସରକାର ୬ଟି ଜିଲ୍ଲାରେ ଇଣ୍ଟର୍ନେଟ୍ ସେବା ବନ୍ଦ କରିଦେଇଛନ୍ତି ଏବଂ କର୍ଫ୍ୟୁ ଜାରି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆସାମର ଗୌହାଟିରେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ସବିଶେଷ ସୂଚନା ଅନୁଯାୟୀ, ଶୁକ୍ରବାର ଇଚ୍ଛାମତୀ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ୍ ବିରୋଧୀ ଏବଂ ଇନର୍ ଲାଇନ୍ ପର୍ମିଟ୍ ସମର୍ଥକମାନଙ୍କର ବୈଠକ ଚାଲିଥିବାବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ‘ଖାସି ଛାତ୍ର ସଂଘ’ର ସଦସ୍ୟ ଲୁର୍ଶାଇ ହିୟାନିଏତ୍ୱାଙ୍କ ମୃତ୍ୟୁ ଘଟିଥିଲା। ସେହିପରି କେତେକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବ ଜୈନ୍ତିଆ ହିଲ୍ସ୍, ପଶ୍ଚିମ ଜୈନ୍ତିଆ ହିଲ୍ସ୍, ପୂର୍ବ ଖାସି ହିଲ୍ସ୍, ରି ଭୋଇ, ପଶ୍ଚିମ ଖାସି ହିଲ୍ସ୍ ଏବଂ ଦକ୍ଷିଣ ଖାସି ହିଲ୍ସ୍ ଜିଲ୍ଲାରେ ଶୁକ୍ରବାର ରାତିଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟର୍ନେଟ୍ ସେବା ବନ୍ଦ ରଖାଯାଇଛି। ଏଥିସହ ସିଲଂ ସମେତ ଏହାର ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ଏବଂ ସେଣ୍ଟ୍ରାଲ୍ ଆର୍ମଡ୍ ପୁଲିସ୍ ଫୋର୍ସ (ସିଏପିଏଫ୍) ଯବାନଙ୍କୁ ମୁତୟନ କରାଯାଇଛି।
ଏଥିସହ ମେଘାଳୟର ମୁଖ୍ୟମନ୍ତ୍ରୀ କନାର୍ଡ ସାଙ୍ଗମା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।