ବିଗତ ୪ବର୍ଷରେ ସୁରକ୍ଷାବଳଙ୍କ ହତ୍ୟା ୯୪% ବୃଦ୍ଧି
ଗତ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କୀଙ୍କ ବିସ୍ଫୋରକ ଗାଡ଼ି ଧକ୍କାରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଗତ ୯ ବର୍ଷ ଭିତରେ ଏତେ ସଂଖାରେ ଯବାନ ସହିଦ ହେବା ଦ୍ୱୀତିୟ ଘଟଣା। ୨୦୧୦ରେ ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୭୫ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ।

୨୦୧୪ରେ ୪୭ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବାବେଳେ ୨୦୧୪ରୁ ୨୦୧୮ ଭିତରେ ୧୭୦୮ଟି ଆତଙ୍କବାଦୀ ଆକ୍ରମଣରେ ୩୩୯ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି ବୋଲି ଫେବ୍ରୁଆରୀ ୫ ତାରିଖରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ଲୋକସଭାରେ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଏହି ତଥ୍ୟ ଅନୁସାରେ ୪ବର୍ଷ ଭିତରେ ସୁରକ୍ଷା କର୍ମୀ ସହିଦ ହେବା ଘଟଣା ୯୪% ବୃଦ୍ଧି ପାଇଛି।
ଏହି ୪ବର୍ଷ ଭିତରେ ଜମ୍ମୁ-କାଶ୍ମୀରରେ ୧୭୭% ଆତଙ୍କବାଦୀ ଆକ୍ରମଣ ଘଟଣା ମଧ୍ୟ ବୃଦ୍ଧି ପାଇଛି। ୨୦୧୪ରେ ୨୨୨ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ଏହି ୪ବର୍ଷରେ ୬୧୪ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି। ୨୦୧୮ରେ ୮୩୮ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଆତଙ୍କବାଦୀ ମୃତ୍ୟୁ ମାମଲାରେ ମଧ୍ୟ ୧୩୪% ବୃଦ୍ଧି ହୋଇଛି। ୨୦୧୪ରେ ୧୧୦ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବାବେ୨ଳେ ୨୦୧୮ରେ ଏହା ୨୫୭କୁ ବୃଦ୍ଧି ପାଇଛି।
୨୦୧୭ରେ ଯେତିକି ଆତଙ୍କବାଦୀ ଆକ୍ରମଣ ହୋଇଥିଲା ୨୦୧୮ରେ ତାହା ୮୦% ବୃଦ୍ଧି ପାଇଥିଲା ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ଲୋକସଭାରେ ସୂଚନା ଦେଇଛନ୍ତି।
ବିଗତ ୨୮ ବର୍ଷ ମଧ୍ୟରେ ୨୦୧୭ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ୭୦,୦୦୦ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ସମୟ ମଧ୍ୟରେ ୨୨,୧୪୩ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବାବେଳେ ୧୩,୯୭୬ଜଣ ସାଧାରଣ ନାଗରିକ ଏହି ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫୧୨୩ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।