ଜୟ ଯବାନ: ଗର୍ଭବତୀଙ୍କୁ କାନ୍ଧରେ ବୋହିନେଲେ ମେଡିକାଲ୍

ରାୟପୁର(ଓଟି): ପୁଣିଥରେ ଆମଦେଶର ଯବାନମାନେ ସେମାନଙ୍କ ସାମାଜିକ ଦାୟିତ୍ଵବୋଧତାର ପ୍ରମାଣ ପ୍ରତିପାଦନ କରିଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଏକ ଅପହଞ୍ଚ ଅଞ୍ଚଳର ଗାଁଲୋକେ ଜଣେ ମହିଳା ଗର୍ଭ ଯନ୍ତ୍ରଣା ଭୋଗୁଥିବା ଖବର ଦେଇଥିଲେ। କିନ୍ତୁ ସମ୍ପୃକ୍ତ ଅଞ୍ଚଳରେ ନା ଅଛି ମେଡିକାଲ ନା ପହଞ୍ଚି ପାରିବ ଆମ୍ବୁଲାନ୍ସ। ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ଏହା ଜାଣିବା ପରେ ଯବାନମାନେ ତୁରନ୍ତ ମହିଳାଙ୍କୁ ମେଡିକାଲ ନେବାକୁ ଅଣ୍ଟା ଭିଡ଼ିନେଇଥିଲେ। କାନ୍ଧରେ କାନ୍ଧ ମିଳାଇ ଭାରରେ ବୋହିଥିଲେ। ଏଭଳି ଦୃଶ୍ୟ ଛତିଶଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ବିଜାପୁର ଜିଲ୍ଲା ଅନ୍ତର୍ଗତ ପଦେଦା ଗାଁ ନିକଟରେ ସିଆରପିଏଫ୍‌ ଯବାନମାନେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ କେତେକ ଲୋକ ସେମାନଙ୍କୁ ଗାଁର ଜଣେ ମହିଳାଙ୍କ ସମସ୍ୟା ସମ୍ପର୍କରେ ଜଣାଇ ସାହାଯ୍ୟ ଆଶା କରିଥିଲେ। ଏଥିରେ ଯବାନମାନେ କାଳବିଳମ୍ବ ନକରି ଶୋଚନୀୟ ମାଟି ରାସ୍ତାରେ ୬ କିମି ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କୁ ବୋହିନେବା ପରେ ଆମ୍ବୁଲାନ୍ସ ଜରିଆରେ ମେଡିକାଲ୍ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ମହିଳାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ମଙ୍ଗଳବାର ଘଟିଥିବା ଏହି ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଯବାନମାନଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ ଜ୍ଞାପନ କରାଯାଉଛି।

Leave a Reply

Your email address will not be published. Required fields are marked *