ନିର୍ବାଚନରେ୯୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଆବଶ୍ୟକବେଳେ ଓଡିଶାକୁ ମିଳିଛି ମାତ୍ର ୩୨ କମ୍ପାନୀ

ନିର୍ବାଚନ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସଂଖ୍ୟକ ସୁରକ୍ଷାବଳ ଯୋଗାଉ ନଥିବାରୁ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିବା ରାଜ୍ୟ ପୁଲିସ୍‍ ପାଇଁ ଆହ୍ୱାନ ହୋଇଛି। ରାଜ୍ୟ ସରକାର ୯୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଆବଶ୍ୟକ କରୁଥିବାବେଳେ ଓଡିଶାକୁ ମିଳିଛି ମାତ୍ର ୩୨ କମ୍ପାନୀ। ଏଥିଯୋଗୁଁ ନିର୍ବାଚନ ସମୟରେ ହିଂସାକାଣ୍ଡ ରୋକିବା, ମାଓ ନିୟନ୍ତ୍ରଣ ଓ ସୁରୁଖୁରୁରେ ନିର୍ବାଚନ ପରିଚାଳନା ରାଜ୍ୟ ପୁଲିସ୍‍ ପାଇଁ ଚିନ୍ତାର କାରଣ ପାଲଟିଛି।

ପଡୋଶୀ ଆନ୍ଧ୍ରପ୍ରଦେଶକୁ ନିର୍ବାଚନ ପାଇଁ ୧୫୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳ (ସିଏପିଏଫ୍‍) କେନ୍ଦ୍ର ସରକାର ଯୋଗାଇ ଦେଇଥିବାବେଳେ ଓଡିଶାକୁ ମିଳିଛି ମାତ୍ର ୩୨ କମ୍ପାନୀ। ଏହା ମଧ୍ୟରେ ୬ କମ୍ପାନୀ ହେଉଛନ୍ତି ରାଜ୍ୟ ସଶସ୍ତ୍ର ବଳ (ଏସ୍‍ଏପି)। ନିକଟରେ ପୁଲିସ୍‍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କେନ୍ଦ୍ର ସରକାରଙ୍କ ସହ ଏ ନେଇ ଆଲୋଚନା ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଅଧିକ ସଂଖ୍ୟାରେ କେନ୍ଦ୍ରୀୟ ସୁରକ୍ଷାବଳ ଯୋଗାଇବାପାଇଁ ଅନୁରୋଧ କରିଥିଲେ।

ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି। ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏଭଳି ଅବସ୍ଥା ଉପୁଜିବ। ଏପ୍ରିଲ୍‍ ୧୧ ରୁ ୨୯ ତାରିଖ ମଧ୍ୟରେ ଚାରି ପର୍ଯ୍ୟାୟରେ ରାଜ୍ୟରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ପାଇଁ ବହୁ ସମୟ ପାଇବେ। ଉଷ୍ମ ରାଜନୈତିକ ବାତାବରଣରେ କମ୍‍ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନେଇ ପରିସ୍ଥିତି ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି।

ଏଭଳି ସ୍ଥିତିକୁ ନଜରରେ ରଖି ରାଜ୍ୟ ପୁଲିସ୍‍ ପକ୍ଷରୁ ଅଧିକ ସଂଖ୍ୟାରେ କେନ୍ଦ୍ରୀୟ ସୁରକ୍ଷାବଳ ଲୋଡା ଯାଇଥିବାବେଳେ କେନ୍ଦ୍ର ସରକାର କିନ୍ତୁ କମ୍‍ ସୁରକ୍ଷାକର୍ମୀ ଯୋଗାଉଛନ୍ତି। ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓଡିଶାକୁ ୩୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଦେଇଥିବାବେଳେ ନିର୍ବାଚନ ପାଇଁ ଅନ୍ୟ ରାଜ୍ୟରେ ମୁତୟନ ଲାଗି ଓଡିଶାରୁ ୨୦ କମ୍ପାନୀ ସୁରକ୍ଷାବଳ ଯାଇଛନ୍ତି।

ତେଣୁ ପ୍ରକୃତ ପକ୍ଷେ ୧୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ହିଁ ରାଜ୍ୟରେ ନିର୍ବାଚନ ସମୟରେ ପରିସ୍ଥିତି ସମ୍ଭାଳିବା ଦାୟିତ୍ୱରେ ରହିବେ। ନିର୍ବାଚନ ସମୟରେ ଅଧିକ କେନ୍ଦ୍ରୀୟ ସୁରକ୍ଷାବଳ ଯୋଗାଇବା ନେଇ କେନ୍ଦ୍ର ସରକାର ଯୁକ୍ତି କରିଛନ୍ତି ଯେ ରାଜ୍ୟରେ ଏବେ ୯୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଅଛନ୍ତି। ହେଲେ ରାଜ୍ୟ ସରକାର କହିଛନ୍ତି ଯେ ଏହି ସୁରକ୍ଷାବଳ ରାଜ୍ୟର ମାଓ ଅଧ୍ୟୁଷିତ ଇଲାକାରେ ମୁତୟନ ହୋଇଛନ୍ତି ଏବଂ ସେମାନଙ୍କୁ ସେଠାରୁ ହଟାଇବା ସମ୍ଭବପର ନୁହେଁ।

ଏହି କେନ୍ଦ୍ରୀୟ ସଶସ୍ତ୍ରବଳ ରାଜ୍ୟର ସୀମାନ୍ତରେ ମୁତୟନ ହେବା ସହିତ ଲାଲ କରିଡରକୁ ନିୟନ୍ତ୍ରଣ କରୁଛନ୍ତି। ଏହାଛଡା ସୀମାନ୍ତରେ ନିୟମିତ ଭାବେ ମାଓ ବିରୋଧି ଅପରେସନ ଓ ପାଟ୍ରୋଲିଂ ଚଳାଯାଉଛି। ତେଣୁ ନିର୍ବାଚନ ପାଇଁ ସେହିସବୁ ଅଞ୍ଚଳରୁ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ହଟାଇବା ଠିକ୍‍ ହେବନାହିଁ ବୋଲି ମାଓ ନିୟନ୍ତ୍ରଣରେ ମୁତୟନ ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ମତ ଦେଉଛନ୍ତି।

ଏଭଳି ସ୍ଥିତିରେ ରାଜ୍ୟ ପୁଲିସ୍‍ ଆଇନ୍‍ଶୃଙ୍ଖଳା ରକ୍ଷା ସହିତ ମାଓବାଦୀମାନଙ୍କ ଭୋଟ ବର୍ଜନ ଭଳି ସମସ୍ୟାକୁ ସମ୍ମୁଖୀନ ହେବାକୁ ଯାଉଛି। ରାଜ୍ୟକୁ ଅଧିକ ସଂଖ୍ୟାରେ ଇଭିଏମ୍‍ ଓ ଭିଭିପାଟ୍‍ ମେସିନ ଆସିଥିବାବେଳେ ଏହାକୁ ଜଗାରଖା ଲାଗି ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀ ଆବଶ୍ୟକ। ବର୍ତ୍ତମାନ ଥିବା କେନ୍ଦ୍ରୀୟ ସୁରକ୍ଷାକର୍ମୀ ପର୍ଯ୍ୟାପ୍ତ ହେଉନଥିବାବେଳେ ଅତି କମ୍‍ରେ ଆଉ ୧୫ କମ୍ପାନୀ ସୁରକ୍ଷାବଳ ଆବଶ୍ୟକ ବୋଲି କୁହାଯାଉଛି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

ଭୁବନେଶ୍ଵରରୁ ଅରୁପ ହେବେ ବିଜେଡି ପ୍ରାର୍ଥୀ, ୯ ପ୍ରାର୍ଥୀଙ୍କ ନାଁ ଘୋଷଣା

୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା


Leave a Reply

Your email address will not be published.