ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୪୦୧ କୋଟିପତି ପ୍ରାର୍ଥୀ
- ସବୁଠୁ ଗରିବ ପ୍ରାର୍ଥୀଙ୍କ ସମ୍ପତ୍ତି ହେଉଛି ୫୦୦ଟଙ୍କା
- ନିର୍ବାଚନ ଲଢୁଛନ୍ତି ଓଡ଼ିଶାର ୫୯ କୋଟିପତି ପ୍ରାର୍ଥୀ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ତେଲେଙ୍ଗାନାର ଚେଭେଲା ଲୋକସଭା ଆସନର ମୁକାବିଲା ସଂଖ୍ୟା ଦୃଷ୍ଟିରୁ ରହିଛି ବେଶ ରୋଚକ। ଏଠାରେ ସବୁଠୁ ଧନୀକ ପ୍ରାର୍ଥୀଙ୍କ ବିରୋଧରେ ଅଛନ୍ତି ସବୁଠୁ ଗରିବ ପ୍ରାର୍ଥୀ। ଇଲେକସନ ୱାଚ ଏବଂ ଏଡିଆର ରିପୋର୍ଟ ଅନୁସାରେ ଏଠାକାର କଂଗ୍ରେସ ପ୍ରାର୍ଥୀ କୋଣ୍ଡା ବିଶେଶ୍ୱର ରେୁିଙ୍କ ନିକଟରେ ୮୯୫ କୋଟି ଟଙ୍କାର ସମ୍ପତ୍ତି ଥିଲାବେଳେ ଏଠାରୁ ନିର୍ବାଚନ ଲଢୁଥିବା ନଲ୍ଲା ପ୍ରେମ କୁମାର ନିଜ ନାମାଙ୍କନ ପତ୍ରରେ ତାଙ୍କର ସମ୍ପତ୍ତି ୫୦୦ଟଙ୍କା ଥିବା ଉଲ୍ଲେଖ କରିଛନ୍ତି।
ଏଡିଆର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୧୨୭୯ଙ୍କ ମଧ୍ୟରୁ ୧୨୬୬ ପ୍ରାର୍ଥୀଙ୍କ ଶପଥ ପତ୍ରକୁ ବିଶ୍ଲେଷଣ କରିଛି। ଏଥିରେ ୨୨୫ଜଣ ଜାତୀୟ ଦଳରୁ ପ୍ରାର୍ଥୀ ହୋଇଥିଲା ବେଳେ ୧୨୬ ଆଞ୍ଚଳିକ ଦଳ, ୩୬୪ ଅଣମାନ୍ୟତା ପ୍ରାପ୍ତ ଦଳ ଏବଂ ୫୫୩ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି।
ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କୁ ମଧ୍ୟରୁ ୪୦୧ଜଣ (୩୨%)କୋଟିପତି ଅଛନ୍ତି। ରିପୋର୍ଟ ଅନୁସାରେ ସେମାନଙ୍କ ହାରାହାରି ସମ୍ପତ୍ତି ୬.୬୩ କୋଟି ଟଙ୍କା। ୫ କୋଟିରୁ ଅଧିକ ସମ୍ପତ୍ତି ରଖିଛନ୍ତିଚ୧୭୭ ଜଣ ପ୍ରାର୍ଥୀ। ୨ କୋଟିରୁ ୫ କୋଟି ସମ୍ପତ୍ତି ରଖିଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୯୯। ୫୦ ରୁ ୨ କୋଟିର ସମ୍ପତ୍ତି ରଖିଥିବା ପ୍ରାର୍ଥୀଙ୍କ ସଂଖ୍ୟା ୨୫୪ ରହିଛି। କଂଗ୍ରେସର ୮୩ ରୁ ୬୯, ବିଜେପିର ୮୩ ରୁ ୬୫ ପ୍ରାର୍ଥୀ ହେଉଛନ୍ତି କୋଟିପତି।
ନିର୍ବାଚନ ଲଢୁଛନ୍ତି ଓଡ଼ିଶାର ୫୯ କୋଟିପତି ପ୍ରାର୍ଥୀ

ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ୧୧ ତାରିଖରେ ହେବାକୁ ଯାଉଛି। ଏହି ନିର୍ବାଚନରେ ଓଡ଼ିଶାର ୫୯ ଜଣ କୋଟିପତି ପ୍ରାର୍ଥୀ ମଇଦାନରେ।
ଚାରିଟି ସଂସଦୀୟ ଆସନ ପାଇଁ ମୋଟ ୨୬ଜଣ ପ୍ରାର୍ଥୀ ମଇଦାନରେ ଥିଲାବେଳେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ସମ୍ପତ୍ତି ଏକ କୋଟିରୁ ଅଧିକ ରହିଛି। ସେହିପରି ୨୮ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ୧୮୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୯ଜଣ ହେଉଛନ୍ତି କୋଟିପତି।

ଲୋକସଭା ନିର୍ବାଚନରେ କଂଗ୍ରେସର ବ୍ରହ୍ମପୁର ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ସମ୍ପତ୍ତି ସର୍ବାଧି କ ୩୬ କୋଟି ଟଙ୍କା ରହିଥିଲା ବେଳେ ବିଜେପିର ନବରଙ୍ଗପୁର ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ସମ୍ପତ୍ତି ୮.୭୪ କୋଟି ରହିଛି। ବିଜେପିର କୋରାପୁଟ ପ୍ରାର୍ଥୀ ଜୟରାମ ପାଙ୍ଗିଙ୍କ ସମ୍ପତ୍ତି ପରିମାଣ ରହିଛି ୪.୧୯ କୋଟି।
ବିଧାନସଭା ନିର୍ବାଚନରେ ବିଜେପିର ୧୧, କଂଗ୍ରେସର ୧୪, ବିଜେଡିର ୧୭, ବିଏସପିର ୨ ଏବଂ ୫ଜଣ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ଏକ କୋଟିରୁ ଅଧିକ ଥିବା ଉଲ୍ଲେଖ କରିଛନ୍ତି। ତାଲିକାର ଟପରେ ଅଛନ୍ତି ଅନନ୍ତ ପ୍ରତାପ ଦେଓ, ତାଙ୍କ ସମ୍ପତ୍ତି ପରିମାଣ ହେଉଛି ୨୭.୬୬ କୋଟି। ବ୍ରହ୍ମପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ଲିଙ୍ଗରାଜ ଚୌଧୁରୀଙ୍କ ସମ୍ପତ୍ତି ୧୭.୭ କୋଟି ଥିବା ବେଳେ ଦିଗପହଣ୍ଡି ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମ୍ପତ୍ତି ପରିମାଣ ହେଉଛି ୧୬.୬୮ କୋଟି।