୩୩% ଲୋକସଭା ସଦସ୍ୟଙ୍କ ବିରୋଧରେ ଅପରାଧିକ ମାମଲା

୮୩% ସଦସ୍ୟ କୋଟିପତି

ଲୋକସଭାରେ ଆମ ପ୍ରତିନିଧି ଭାବେ ଆମେ କାହାକୁ ବାଛୁଛୁ ? ୨୦୧୪ରେ ନିର୍ବାଚିତ କରି ଲୋକମାନେ ଯେଉଁମାନଙ୍କୁ ଲୋକସଭାକୁ ପଠାଇଥିଲେ ସେମାନଙ୍କ ମଧ୍ୟରୁ ୩୩% ବା ୧୭୪ଜଣଙ୍କ ନାମରେ ଫୌଜଦାରୀ ମାମଲା ଥିଲା। ୧୦ଜଣ ସଦସ୍ୟ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିଲେ। ଅନ୍ୟ ୧୪ଜଣ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ଏହି ତଥ୍ୟ ସାମ୍ନାକୁ ଆସିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର )। ଗୁରୁବାର ଦିନ ଏଡିଆର ରିପୋର୍ଟ ସାର୍ବଜନୀନ ହୋଇଛି। ୫୨୧ଜଣ ଲୋକସଭାର ବର୍ତ୍ତମାନ ସଦସ୍ୟଙ୍କ ଭିତରୁ ୧୭୪ଜଣଙ୍କ ନାମରେ ଫୌଜଦାରୀ ମାମଲା ରହିଛି। ପ୍ରାୟ ୧୦୬ଜଣ ସଦସ୍ୟଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ବିଦ୍ୱେଷ,ଅପହରଣ ଏବଂ ମହିଳା ବିରୋଧୀ ଅପରାଧ ମାମଲା ଅଛି।

ଲୋକସଭାରେ ସଦସ୍ୟ ସଂଖ୍ୟା ୫୪୩। ସେଥିମଧ୍ୟରୁ ୫୨୧ ଜଣଙ୍କର ସତ୍ୟପାଠ ତର୍ଜମା ପରେ ଏହି ତଥ୍ୟ ପ୍ରକାଶ କରିଛି ଏଡିଆର। ୧୦ଜଣ ସଦସ୍ୟ ସତ୍ୟପାଠରେ ସେମାନଙ୍କ ବିରୋଧରେ ହତ୍ୟା ମାମଲା ଅଛି ବୋଲି ଉଲ୍ଲେଖ କରିଛନ୍ତି। ସେମାନଙ୍କ ଭିତରୁ ବିଜେପିର ୪ଜଣ ଓ କଂଗ୍ରେସ, ଏନସିପି, ଏଲଜେପି, ଆରଜେଡିରୁ
ଜଣେ ଜଣେ ସାଂସଦ ଅଛନ୍ତି।

ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଯେଉଁ ୧୪ଜଣ ସାଂସଦଙ୍କ ନାଁ ରେ ଅଛି ସେମାନଙ୍କ ମଧ୍ୟରୁ ବିଜେପିରୁ ୮ଜଣ । କଂଗ୍ରେସ, ତୃଣମୂଳ, ଏନସିପି, ଆରଜେଡି, ଶିବସେନା ଏବଂ ସ୍ୱାଭିମାନୀ ପକ୍ଷରୁ ଜଣେ ଜଣେ ସାଂସଦ ଅଛନ୍ତି। ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିଥିବା ଅଭିଯୋଗ ତାଲିକାରେ ଆଗରେ ଅଛନ୍ତି ବିଜେପି ସାଂସଦ। ଏଭଳି ୧୪ଜଣ ସଦସ୍ୟଙ୍କ ମଧ୍ୟରୁ ୧୦ଜଣ ହେଉଛନ୍ତି ବିଜେପିର। ଟିଆରଏସ, ପିଏମକେ, ଏମଆଇଏମ ଓ ଏଆଇୟୁଡିଏଫରୁ ଜଣେ ଜଣେ ଅଛନ୍ତି।

ଦଳୀୟଭେଦରେ ଦେଖିବାକୁ ଗଲେ ୯୨ଜଣ ବିଜେପି ସଦସ୍ୟ ସେମାନଙ୍କ ନାମରେ ଫୌଜଦାରୀ ମାମଲା ଅଛି ବୋଲି ଉଲ୍ଲେଖ କରିଛନ୍ତି। କଂଗ୍ରେସର ୭ଜଣ ସଦସ୍ୟ, ଆନ୍ନା ଦ୍ରମୁକର ୬, ଶିବସେନାର ୧୫ଜଣ ଏବଂ ତୃଣମୂଳ କଂଗ୍ରେସର ୭ଜଣଙ୍କ ନାମରେ ଫୌଜଦାରୀ ମାମଲା ରହିଛି। ବିଜେପିର ୨୬୭ଜଣଙ୍କର ସଦସ୍ୟଙ୍କ ମଧ୍ୟରୁ ୫୮ଜଣଙ୍କର ନାମରେ ହତ୍ୟା ଭଳି ସାଂଘାତିକ ମାମଲା ଅଛି। ଏଭଳି ମାମଲାରେ ୨ଜଣ କଂଗ୍ରେସ, ୩ ଜଣ ଆନ୍ନା ଦ୍ରମୁକ, ୮ଜଣ ଶିବସେନା, ୪ଜଣ ତୃଣମୂଳ କଂଗ୍ରେସର ସାଂସଦ ଛନ୍ଦି ହୋଇଅଛନ୍ତି।

୫୨୧ଜଣ ଲୋକସଭା ସଦସ୍ୟଙ୍କ ଭିତରୁ ୪୩୦ଜଣ ଅର୍ଥାତ ୮୩ପ୍ରତିଶତ ହେଲେ କୋଟିପତି। ହାରାହାରି ସମସ୍ତଙ୍କ ସମ୍ପତ୍ତି ପ୍ରାୟ ୧୫ କୋଟି। ଆଶ୍ଚର୍ଯ୍ୟର କଥା ଦୁଇଜଣ ପାନକାର୍ଡ ବିଷୟରେ କିଛି ଉଲ୍ଲେଖ କରିନାହାଁନ୍ତି। ୨୪ଜଣ ଆୟକର ବିବରଣୀ ଦାଖଲ କରିନାହାଁନ୍ତି। କୋଟିପତି ସାସଂଦଙ୍କ ଭିତରୁ ବିଜେପିର ୮୫%, କଂଗ୍ରେସର ୮୨%, ଆନ୍ନା ଦ୍ରମୁକର ୭୮% ଏବଂ ତୃଣମୂଳ କଂଗ୍ରେସର ୬୫%।

୨୦୧୪ ଲୋକସଭାର ସବୁଠୁ ଧନୀ ସଦସ୍ୟ ହେଲେ ତେଲୁଗୁ ଦେଶମ ପାର୍ଟିର ଜୟଦେବ ଗାଲା। ତାଙ୍କ ସମ୍ପତ୍ତି ପରିମାଣ ୬୮୩ କୋଟି ଟଙ୍କା। ସବୁଠୁ ଗରିବ ସାଂସଦ ହେଲେ ବିଜେପିର ରାଜସ୍ଥାନ ସାଂସଦ ସୁମେଧାନନ୍ଦ ସରସ୍ୱତୀ। ତାଙ୍କ ସମ୍ପତ୍ତି ପରିମାଣ ୩୪ହଜାର ଟଙ୍କା।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

୯ଥରର ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡିରୁ ଇସ୍ତଫା ଦେଲେ

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published.