ଦାଗୀ ନେତାଙ୍କୁ ପ୍ରାର୍ଥୀ କରିବାରେ ବିଜେପି-କଂଗ୍ରେସ ଆଗରେ

  • କଲେଜ ମାଟି ମାଡି ନାହାଁନ୍ତି ୬୮ ପ୍ରାର୍ଥୀ
  • ବିଜେପିର ସଙ୍ଗୀତା ସିଂହଦେଓ ଧନୀ ସାଂସଦ ପ୍ରାର୍ଥୀ
  • ବିଧାନସଭା ପ୍ରାର୍ଥୀ ତାଲିକାରେ ନବୀନ ପଟ୍ଟନାୟକ ଧନୀ ପ୍ରାର୍ଥୀ
  • ବିଜେପିର ୧୮ଜଣ, କଂଗ୍ରେସର ୧୦ଜଣ, ବିଜେଡିର ୧୧ଜଣ ଏବଂ ବିଏସପିର ୪ଜଣ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧୀକ ମାମଲା

ଅପରାଧିକ ପୃଷ୍ଠଭୂମୀ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାରେ ବିଜେପି ଓ କଂଗ୍ରେସ ଆଗରେ। ପ୍ରଥମ ପର୍ଯ୍ୟାୟରେ କଂଗ୍ରେସରୁ ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧୀକ ମାମଲା ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପିର ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ଦ୍ବିତୀୟ ପର୍ଯ୍ୟାୟରେ ବିଜେପିର ସଙ୍ଗୀତା ସିଂହଦେଓ ସବୁଠାରୁ ଧନୀ ସାଂସଦ ପ୍ରାର୍ଥୀ।

ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ୩୫ଜଣଙ୍କ ମଧ୍ୟରୁ ୭ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ୫ଜଣଙ୍କ ବିରୋଧରେ ଗୁରୁତ୍ତର ଅପରାଧିକ ମାମଲା ରହିଛି। ବିଧାନସଭା କ୍ଷେତ୍ରରେ ମଧ୍ୟ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ୧୮ଜଣ, କଂଗ୍ରେସର ୧୦ଜଣ, ବିଜେଡିର ୧୧ଜଣ ଏବଂ ବିଏସପିର ୪ଜଣ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧୀକ ମାମଲା ରହିଛି।

ଲୋକସଭା ପ୍ରାର୍ଥୀ ତାଲିକାରେ ସଙ୍ଗୀତା ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟ ସବୁଠାରୁ ଧନୀ ପ୍ରାର୍ଥୀ। ସଙ୍ଗୀତା ୩୭ କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ମାଲିକ ହୋଇଥିବା ବେଳେ କଳିକେଶଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୦ କୋଟିରୁ ଅଧିକ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ପତ୍ତିର ମୂଲ୍ୟ ୯ କୋଟିରୁ ଅଧିକ। ସେହିଭଳି ବିଧାନସଭା ପ୍ରାର୍ଥୀ ତାଲିକାରେ ନବୀନ ପଟ୍ଟନାୟକ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପଛକୁ ରହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ଓ ନବ ଦାସ। ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୩ କୋଟିରୁ ଅଧିକ ହୋଇଥିବା ବେଳେ କନକ ବର୍ଦ୍ଧନଙ୍କ ୩୭ କୋଟି ଓ ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୩ କୋଟିରୁ ଅଧିକ।

ଅପରାଧୀକ ପୃଷ୍ଠଭୂମୀ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସର ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଗୁରୁତ୍ତର ଅପରାଧୀକ ମାମଲା। ୫ଟି ଲୋକସଭା ମଧ୍ୟରୁ କଂଗ୍ରେସ ୪ଟିରେ ପ୍ରାର୍ଥୀ ଦେଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ଗୁରୁତ୍ତର ଅପରାଧୀକ ମାମଲା ରହିଛି। ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେପିର ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣ ଅର୍ଥାତ ୬୦ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ଏବଂ ୧୮ଜଣ ଅର୍ଥାତ ୫୧ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧିକ ମାମଲା ରହିଛି। କଂଗ୍ରେସର ୩୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣ ଅର୍ଥାତ ୫୩ ପ୍ରତିଶତ ଏବଂ ବିଜେପିର ୩୭ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ସେହିଭଳି ଏହି ୩୫ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ୫ମ ପାସ କରିଥିଲା ବେଳେ ଜଣେ ଅଷ୍ଟମ ଓ ୫ଜଣ ଦଶମ ପାସ କରିଛନ୍ତି। ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ପଞ୍ଚମ ପାସ, ୧୮ଜଣ ଅଷ୍ଟମ ପାସ, ୩୯ଜଣ ୧୦ ପାସ ଏବଂ ୪ଜଣ କେବଳ ଦସ୍ତଖତ କରି ଜାଣନ୍ତି। ଅର୍ଥାତ ବିଧାନସଭାର ୨୪୪ ପ୍ରାର୍ଥୀଙ୍କ ମଧ୍ୟରୁ ୬୮ଜଣ କଲେଜ ମାଟି ମାଡି ନାହାଁନ୍ତି।

Leave a Reply

Your email address will not be published.