ଭୁବନେଶ୍ୱର-କଟକରେ ୫% ଅପରାଧ ବଢ଼ିଛି
କମିଶନରେଟ୍ ପୁଲିସର ସମସ୍ତ ପ୍ରୟାସ ପରେ ବି ଅପରାଧ ଉପରେ ଲଗାମ ଲାଗି ପାରୁନି। ଅପରାଧ କମିବା ପରିବର୍ତ୍ତେ କଟକ, ଭୁବନେଶ୍ଵରରେ ବଢି ଚାଲିଛି। ପୁଲିସର ସୂଚନା ଅନୁସାରେ ୨୦୧୫, ୨୦୧୬ ଓ ୨୦୧୭ ତୁଳନାରେ ୨୦୧୮ରେ ଅପରାଧ ମାତ୍ରା ୫ ପ୍ରତିଶତ ବଢ଼ିଛି। ହତ୍ୟା, ଡକାୟତି, ଦୁଷ୍କର୍ମ, ଦୁର୍ଘଟଣା ବୃଦ୍ଧି ପାଇଥିବା ବୁଧବାର ସୂଚନା ଦେଇଛନ୍ତି ପୁଲିସ କମିସନର ସତ୍ୟଜିତ୍ ମହାନ୍ତି। ଏହା ସହିତ ପୁରୁଣା ଫାଇଲ ଖୋଲାଯିବ ବୋଲି ସେ କହିଛନ୍ତି।
ଆଜି ପୁଲିସ କମିସନର ଶ୍ରୀ ମହାନ୍ତି ଅପରାଧର ପରିସଂଖ୍ୟାନ ରଖିଛନ୍ତି। ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ ରାଜଧାନୀ ଭୁବନେଶ୍ଵର ଓ କଟକରେ ଅପରାଧ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ଘଟିଛି। ବେକାରୀ ଓ ସହରୀକରଣ ଅପରାଧ ବୃଦ୍ଧିର ମୂଳ କାରଣ ପାଲଟିଛି। ଗତ ତିନି ବର୍ଷ ତୂଳନାରେ ୨୦୧୮ରେ ଅପରାଧ ହାର ୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ରେ ଅପରାଧିକ ଘଟଣାର ସୂଚନାପାଇଁ ଉପଲବ୍ଧ ନମ୍ବର ଡାଏଲ୍୧୦୦ରେ ଆସିଛି ୧୫,୬୪,୧୨୫ କଲ୍। ଏଥିରୁ ଅନୁମାନ କରାଯାଇ ପାରେ ଯେ ବିଗତ ଦିନରେ ଅପରାଧ ହାର କେମିତି ବୃଦ୍ଧି ଘଟିଛି।
ଚୋରି, ଡକାୟତି ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କମିସନର କହିଛନ୍ତି। ତେଣୁ ଅପରାଧୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଏବେ ପୁଲିସ ପୁରୁଣା ଫାଇଲ ଖୋଲିବ। ଅଭ୍ୟାସଗତ ଅପରାଧୀ, ଚୋରି, ଡକାୟତି ଉପରେ ନଜର ରଖିବା ସହିତ ଅପରାଧୀଙ୍କୁ ଶାସ୍ତି ଦେବା ପାଇଁ ପୋଲିସ ଉଦ୍ୟମ କରିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସୂଚନା ଦେଇଛନ୍ତି।