ବରମୁଣ୍ଡା ବସଷ୍ଟାଣ୍ଡରେ ବେଲଗାମ ବୁଲୁଛନ୍ତି ଅପରାଧୀ
- ୧୬ ମାସରେ ୧୬୧ ଯୁବକଙ୍କୁ ନିଶା ଦେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଟିଲେଣି
ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ବେଲଗାମ ବୁଲୁଛନ୍ତି ପେଶାଦାର ଅପରାଧୀ। ନା ମାନୁଛନ୍ତି ଲୋକଙ୍କୁ ନା ମାନୁଛନ୍ତି କମିଶନରେଟ ପୁଲିସକୁ। କାହାକୁ ନିଶା ଦିଆ ଲୁଟେରାଙ୍କ ଭୃକ୍ଷେପ ନାହିଁ । ଯିଏ ବିରୋଧ କଲା ତା’ ମୁଣ୍ଡରେ ଲୁଟେରାମାନେ ବନ୍ଧୁକ ଓ ମାରଣାସ୍ତ୍ର ଲଗାଇ ଆତଙ୍କ ଖେଳାଇବା ସହ ଲୁଟିନେବାରେ ସଫଳ ହେଉଛନ୍ତି।

କିଛି ଯାତ୍ରୀଙ୍କଠାରୁ ଲୁଟପାଟ କରି କାହାକୁ ରାସ୍ତା କଡରେ ତ, ଆଉ କାହାକୁ ଡ୍ରେନ ଭିତରେ, ଆଉ କାହାକୁ ବସ ତଳେ ଫୋପାଡି ଦେଇ ସେମାନେ ସହଜରେ ଖସିଯିବାକୁ ସକ୍ଷମ ହେଉଛନ୍ତି। ଏହିଭଳି ୧୬ ମାସ ମଧ୍ୟରେ ୧୬୧ଜଣ ଯୁବକ ଲୁଟେରାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା, ସୁନାଚେନ ଓ ବହୁ ମୂଲ୍ୟବାନ ଜିନିଷପତ୍ର ମଧ୍ୟ ଚୋରି ହୋଇଯାଇଛି। ଗୁରୁତର ଅବସ୍ଥାରେ ଯୁବକମାନେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। କେତେକ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା।
ପ୍ରତ୍ୟେକ ଦିନ ରାଜଧାନୀରେ ନିଶାଦିଆ ଲୁଟେରାମାନେ ଆତଙ୍କ ଖେଳାଉଥିଲେ ମଧ୍ୟ ପୁଲିସ ଜାଣିଶୁଣି ଚୁପ ବସୁଛି। ଅନ୍ୟ ଜିଲ୍ଲାକୁ କାମ ଅନ୍ୱେଷଣରେ ଆସୁଥିବା ଯୁବକମାନେ ରାଜଧାନୀ ଭୁବନେଶ୍ୱରକୁ ଆସିବାକୁ ଶହେ ଥର ଭାବୁଛନ୍ତି। ଭୁବନେଶ୍ୱର ଏକ ନମ୍ୱର ସ୍ମାର୍ଟସିଟିର ମାନ୍ୟତା ପାଇଥିଲେ ମଧ୍ୟ କମିଶନରେଟ ପୁଲିସ କେତେ ସ୍ମାର୍ଟ ଏହିଭଳି ଘଟଣାରୁ ଜଣାପଡୁଛି।

‘ଉଇ କେୟାର ଉଇ ଡେୟାର’ର ସ୍ଲୋଗାନ ଦେଉଥିବା କମିଶନରେଟ ପୁଲିସ୍ କେତେ କେୟାର ନେଉଛି ରାଜଧାନୀବାସୀଙ୍କ ଲୁଟର ଶିକାର ହୋଇଥିବା କିଛି ଯୁବକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ୮ କିଭଳି ରହିଛି ଲୁଟର ତରିକା ବରମୁଣ୍ଡା ବସଷ୍ଟାଣ୍ଡରେ ଭଦ୍ରଲୋକଙ୍କ ଭଳି ବୁଲୁଛନ୍ତି ୧୦ରୁ ୧୫ ଜଣ ପେଶାଦାର ଲୁଟେରା। ଭଦ୍ରଲୋକଙ୍କ ଭଳି ଯାତ୍ରୀମାନଙ୍କୁ ସହାୟତାର ହାତ ବଢ଼ାଉଛନ୍ତି।

ପରବର୍ତ୍ତୀ ସମୟରେ ନିଶା ଦେଇ ଲୁଟ କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି। ଅନ୍ୟ ଜିଲ୍ଲାରୁ ଆସୁଥିବା ଯୁବକମାନଙ୍କ ସହ ପ୍ରଥମେ ପରିଚୟ ଦେଇ ମିଶିଯାଉଛନ୍ତି। ପ୍ରଥମେ ଯାତ୍ରୀମାନଙ୍କୁ ସେମାନଙ୍କ ପରିଚୟ ପରିବାର ପରେ ମୋ ଘର ଆପଣଙ୍କ ଗାଁଠାରୁ ମାତ୍ର ୮କିଲୋମିଟର ଦୂରରେ। ତା’ ପରେ ଆରମ୍ଭ ହୁଏ ନିଶା ଦେଇ ଲୁଟର ତରିକା। ଭାଇ ଆମ ଗୋଟିଏ ଗାଁ ପାଖାପାଖି ଆସ ଟିକେ ଥଣ୍ଡା ପିଇବା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ପଇସା ଦେଇ ଦେଉଛି, ଆର ଥରକୁ ଦେଖା ହେଲେ ତୁମେ ମୋତେ ଦେବ। ମୁଁ ନିଶ୍ଚିତ ତୁମଠାରୁ ପିଇବି। ଏହିଭଳି ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟେରାମାନେ ଥଣ୍ଡା ପାନୀୟରେ ନିଶା ଦେଇ ଯୁବକମାନଙ୍କୁ ଏକ ନିଶାଛାଟିଆ ସ୍ଥାନକୁ ନେଇ ପାଖରେ ଥିବା ଜିନିଷପତ୍ର, ଟଙ୍କା ଓ ସୁନା ଆଦି ଲୁଟି ସେହିଠାରେ ଫୋପାଡି ପଳାଇ ଯାଆନ୍ତି ।
ସ୍ଥାନୀୟ ପୁଲିସ ଯୁବକମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ସେମାନଙ୍କ ଚିକିତ୍ସା କରି ସେମାନଙ୍କ ଗାଁକୁ ପଠାଇ ଦିଅନ୍ତି। ବରମୁଣ୍ଡା ଅଞ୍ଚଳରେ ପ୍ରତ୍ୟେକ ଦିନ ୨ରୁ ୩ ଜଣ ଯୁବକ ଲୁଟର ଶୀକାର ହୋଇଥିଲେ ମଧ୍ୟ ପୁଲିସ ନିଦାବିଷ୍ଣୁ ସାଜି ଚୁପ ବସିବା ଯାତ୍ରୀମାନଙ୍କୁ ମର୍ମାହତ କରିଛି।
ଖଣ୍ଡଗିରିରେ ମାତିଛନ୍ତି ଝରକା ତଡାଗ୍ୟାଙ୍ଗ
ଲୁଟେରା ମାତିଛନ୍ତି। ଘରୁ ଗୋଡ କାଢ଼ିଲେ କଳାକନା ବୁଲାଉଛନ୍ତି। ଶୋଇପଡିବା ପରେ ଝରକା ତାଡି ସର୍ବସ୍ୱ ନେଇପଳାଉଛନ୍ତି। ଦିନ ଦ୍ୱିପ୍ରହରରେ ଲୁଟେରା ଅପରେସନ୍ କରୁଛନ୍ତି। ରାଜ ରାସ୍ତାରେ ଲୁଟ୍ପାଟ୍ କରି ଆତଙ୍କ ରଚୁଛନ୍ତି। ଫଳରେ ଖଣ୍ଡଗିରିବାସୀ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ହେଲେ ଲୁଟେରା ପୁରା ସୁରକ୍ଷିତ ରହୁଛନ୍ତି। କାରଣ ଲୁଟ୍ପାଟ୍ ମାମଲା କମିଶନରେଟ୍ ପୁଲିସ୍ ପାଇଁ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ରାତି ପାହିଲେ ଲୁଟ୍ ମାମଲା ରୁଜୁ ହେଉଛି। ମାମଲା କରିବା ପରେ ପୁଲିସ୍ ନିଜ ଦାୟିତ୍ୱ ଶେଷ କରୁଛି। ଲୁଟେରାଙ୍କୁ ଧରିବା ନା ଧରୁନି ପୁଲିସ୍। ଚାପ ପଡିଲେ କାଁ ଭାଁ ମାମଲାରେ ପୁଲିସ୍ ଚୋରକୁ ଧରିବା ନଜିର ରହିଛି। ପୁଲିସ୍ର ଏତାଦୃଶ୍ୟ କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କୁ ବେଶ ସୁହାଉଛି। ୩ ମାସ ମଧ୍ୟରେ ଖଣ୍ଡଗିରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୨୫ରୁ ଅଧିକ ସ୍ଥାନରେ ଲୁଟପାଟ ହୋଇଛି। ଲୁଟପାଟରେ ୨୦ଲକ୍ଷ ଟଙ୍କା, ୩୦ଲକ୍ଷ ଟଙ୍କାର ସୁନାଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଚୋରି ହୋଇଛି। ପୁଲିସ୍ କାଁ ଭାଁ ଲୁଟେରାଙ୍କୁ ଗିରଫ କରିଥିଲେ ମଧ୍ୟ ଏବେ ବି ପେଶାଦାର ଅପରାଧୀମାନେ ଫେରାର ଅଛନ୍ତି।
ବସଷ୍ଟାଣ୍ଡକୁ ଆସୁଛି ପୁଳା ପୁଳା ଗଞ୍ଜେଇ ଓ ଧଳାଜହର

ବରମୁଣ୍ଡା ବସଷ୍ଟାଣ୍ଡ ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ। ବିଭିନ୍ନ ଜିଲ୍ଲାରୁ ଆସୁଥିବା ଶହ ଶହ ବସରେ ଅପରାଧୀମାନେ ପୁଳା ପୁଳା ଗଞ୍ଜେଇ ଓ ଧଳାଜହର ଏହି ବାଟ ଦେଇ ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି। ଖଣ୍ଡଗିରି ଥାନା ପୁଲିସ ସବୁ ଜାଣି ଚୁପ ବସିବା ପଛର ରହସ୍ୟ କ’ଣ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତିା ବରମୁଣ୍ଡା ଷ୍ଟାଣ୍ଡ ଭିତରେ ରହିଛି ଫାଣ୍ଡି, ହେଲେ ଏହା ଭିଡକୁ ନୁହେଁ। ବରମୁଣ୍ଡା ଅଞ୍ଚଳରେ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଛି। କିନ୍ତୁ ତାହା ନାମକୁ ମାତ୍ର। ଅନ୍ୟ ପଟେ ପୁଲିସକୁ ଦେଖି ଅପରାଧୀମାନେ ବେଶୀ ବେଶୀ ଅପରାଧ ଘଟାଉଛନ୍ତି । ୩ ମାସ ଭିତରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଅବକାରୀ ବିଭାଗ ଓ କମିଶନରେଟ ପୁଲିସ୍ ଏକ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିବା ସହ ୩ ଶହ ୫୦ ଗ୍ରାମରୁ ଅଧିକ ଓଜନର ଧଳାଜହର ଜବତ କରିଛି। ଯେଉଁ ସବୁ ନିଶାଦ୍ରବ୍ୟ ଜବତ ହୋଇଛି ତାହା ସମୁଦ୍ରକୁ ଶବ୍ଦେ। କୋଟି କୋଟି ଟଙ୍କାର ଧଳାଜହର ଓ ଗଞ୍ଜେଇ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ମଧ୍ୟ ପୁଲିସ୍ ସବୁ ଜାଣି ଚୁପ ବସିଛି।
ପୁଲିସ୍ ପାଖରେ ବୁଲୁଛନ୍ତି ଅପରାଧୀ
ଅପରାଧୀ-ପୁଲିସ୍ ଖଣ୍ଡଗିରି ଅଞ୍ଚଳରେ ଭାଇ ଭାଇ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ପୁଲିସ୍ ପାଖେ ପାଖେ ବୁଲୁଛନ୍ତି ପେଶାଦାର ଅପରାଧୀ। ବରମୁଣ୍ଡା ଅଞ୍ଚଳରେ ଆତଙ୍କ ଖେଳାଉଥିବା ଦୁର୍ବୃତ୍ତମାନଙ୍କୁ ସହାୟତା କରୁଛନ୍ତି ସ୍ଥାନୀୟ ପିସିଆର ଭ୍ୟାନର ପୁଲିସ୍ କର୍ମଚାରୀମାନେ। ଫଳରେ ଅପରାଧୀମାନେ ହତ୍ୟାକା ଭଳି ଅଘଟଣ ଘଟାଇବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସ୍ଥାନୀୟ ପୁଲିସ ଯେଉଁ କାମ କରୁ ନାହିଁ, ତାହା କରି ଦେଖାଇଛି କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ।
ବରମୁଣ୍ଡା ବସଷ୍ଟାଣ୍ଡରେ ଚଢ଼ାଉ କରି ବ୍ରାଉନସୁଗାର, ଗଞ୍ଜେଇ , କଏନ ଆଦିକୁ ଜବତ କରିବାରେ ସଫଳ ହୋଇଛି ଏହି ସ୍କ୍ୱାର୍ଡ। ଏଠାରେ ପ୍ରଶ୍ନ ଉଠୁଛି ସ୍ଥାନୀୟ ପୁଲିସ୍ କରୁଛି କ’ଣ ? ମାସିକିଆ ଚାନ୍ଦା ନେଇ ଅପରାଧୀମାନଙ୍କୁ ସହାୟତା କରୁନି ତ?