ଅଦୃଶ୍ୟ ଦୂରଦୃଷ୍ଟିରେ କରୋନାର କରୁଣ କାହାଣୀ

କରୋନା କ୍ରେଡିଟ୍ ପାଇଁ କମ୍ପିଟିସନ୍ ଚାଲିଛି। ପ୍ରଶାସକଙ୍କ ହାତରେ ଦେଶ ଓ ରାଜ୍ୟର ଭାଗ୍ୟ। ପୁଲିସ ଚାପରେ ଜନତା ଚେପା ହେଉଛନ୍ତି । ଅର୍ଥାତ୍ ଅତୀତର ସବୁ ବିପର୍ଯ୍ୟୟଠୁ ଯେ, କରୋନା ବିପର୍ଯ୍ୟୟ ବଳି ଯାଇଛି, ଏହା କାହାକୁ ଆଉ ଅଛପା ନାହିଁ । ମହାମାରୀର ମୁକାବିଲା କଥା ଛାଡ଼ନ୍ତୁ, ତା’ର ପରିଚାଳନାକୁ ନେଇ ସାମ୍ନାକୁ ଆସୁଛି ଅନେକ ଦାରୁଣ ଚିତ୍ର । କେଉଁଠି ଚାଷୀ ଉତ୍ପାଦ ବିକି ନପାରି ପୁଲିସଠୁ ମାଡ଼ ଖାଉଛି ତ ଆଉ କେଉଁଠି ଜିନିଷର କୃତ୍ରିମ ଅଭାବ ସାହିଗଳିକନ୍ଦିରେ ଦେଖା ଦେଉଛି। ଅନ୍ୟପକ୍ଷରେ ଶ୍ରମକି ଶହ ଶହ କିଲୋମିଟର ଚାଲି ଘରକୁ ଆସିବା ବାଟ ଖୋଜୁଛି, ଆଉ ତା ଚାଲିବା ବାଟରେ ଟ୍ରେନ୍ ଆସି ତାକୁ ଧକ୍କା ଦେଉଛି। ଖାଲି ସେତିକି ନୁହେଁ ସେଇଠି ଖୋଲା ଆକାଶକୁ ଆଶ୍ରା କରିଥିବା ଶ୍ରମିକଙ୍କ ଜୀବନ ଯାଉଛି ଅକାରଣେ! ତଥାପି ଏହି ବିପର୍ଯ୍ୟୟକୁ ନିଜ ଦକ୍ଷତା ମାପ କାଠିରେ ସ୍ଥାନୀତ କରିବା ଲାଗି ବାବୁମାନେ ଲାଗିଛନ୍ତି ନିଜ ନିଜ ଢଙ୍ଗରେ। ପ୍ରତିଟି ଘଟଣାକୁ ନିଜର କ୍ରେଡିଟ୍ ବୋଲି ଗ୍ରହଣ କରୁଛନ୍ତି ଆଉ ଦୁର୍ଘଟଣାକୁ ଆଇନର ଉଲ୍ଲଙ୍ଘନ ଦର୍ଶାଇ ତାହାର ବି କ୍ରେଡିଟ୍ ନେବାକୁ ଚେଷ୍ଟା ଚାଲିଛି। ଏହି କ୍ରେଡିଟ୍ ନେବା କେବଳ ରାଜ୍ୟରେ ବା କେନ୍ଦ୍ରରେ ସୀମିତ ନାହିଁ ବରଂ ସମାନ ଶୈଳୀରେ ସମାନ ନୀତି ଆପଣାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।
କରୋନା ପାଇଁ ହଠାତ୍ ଦେଶ ଓ ରାଜ୍ୟରେ ତାଲା ପଡ଼ିଲା । ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ପରଦିନଠୁ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର, ରାଜ୍ୟରେ ଆଂଶିକ ଲକ୍ ଡାଉନ୍ ଘୋଷଣା କଲେ । ଆଉ ତା’ ପରେ ସାରା ଦେଶରେ ତାଲା ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତାଙ୍କ ମୁହଁରୁ ଲକ୍ ଡାଉନ୍ ଶବ୍ଦ ଖସିବା ପୂର୍ବରୁ ଜନତା ଏହାର ବିନ୍ଦୁ ବିସର୍ଗ ସୂଚନା ବି ପାଇଲେନି । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ବିରୋଧୀ ରାଜନୈତିକ ଦଳ ବି ସରକାରଙ୍କ ନିଷ୍ପତ୍ତିର ଟେର୍ ପାଇଲେ ନାହିଁ । ବ୍ୟୁରୋକ୍ରାଟ୍ ମଣ୍ଡଳୀର ପରାମର୍ଶ ଆଧାରରେ ଦେଶ ଓ ରାଜ୍ୟର ଜୀବନଯାତ୍ରା, କାରବାରରେ ବଳପୂର୍ବକ ଭାବେ ପକାଗଲା ତାଲା । ଫଳରେ କାହାକୁ ଚାଲି ଚାଲି ତ ଆଉ କାହାକୁ ସାଇକେଲରେ ଶହ ଶହ କିଲୋମିଟର ଦୂର ନିଜ ରାଜ୍ୟକୁ ଫେରିବାକୁ ପଡ଼ିଲା। ବାଟରେ ଯିବାବେଳେ ସେମାନଙ୍କୁ କେଉଁଠି ପୋଲିସ୍ ଆକ୍ରୋଶର ଶିକାର ହେବାକୁ ପଡ଼ିଲା ତ ଆଉ କେଉଁଠି ଅନ୍ୟ ଲୋକେ, ସେମାନଙ୍କୁ ଦୂର୍ ଦୂର୍ ମାର୍ ମାର୍ କଲେ । ଭାରତ ନିର୍ମାଣରେ ଯେଉଁ ଶ୍ରମିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି, ସେମାନଙ୍କୁ ନିଜ ଦେଶରେ ହୀନସ୍ତା ହେବାକୁ ପଡ଼ିଲା ।
ଲକ୍ ଡାଉନ୍-1.0ର ପ୍ରାରମ୍ଭରେ ଦେଶର ଏ ଦୃଶ୍ୟ ସମସ୍ତେ ଦେଖିଥିବା ବେଳେ ଏବେ ଲକ୍ ଡାଉନ୍-3.0 ବେଳେ ଆମ ରାଜ୍ୟ ଓଡ଼ିଶାରେ ବି ପାଖାପାଖି ସମାନ ଦୃଶ୍ୟ ଦେଖିବାକୁ ବାଧ୍ୟ କରୁଛି । ଏ ଭିତରେ ରାଜ୍ୟରେ ତାଲାବନ୍ଦୀ ଲାଗୁ ହେବାର ୪୬ ଦିନ ବତିଲାଣି । ଯେଉଁ ଧୋକା, ଛଳନା, ରାଜନୀତି ଓ ଅମଲାତାନ୍ତ୍ରିକ ଗୋଟି ଚାଳନାର ଶିକାର ସେମାନେ ହୋଇଥିଲେ ଆଜି ବି ସେହି ପରିସ୍ଥିତିରେ ଗତି କରୁଛନ୍ତି। ତାଙ୍କ ପାଇଁ ବସ୍ ହୋଇଛି, ଘରପୁଅ ଭାବେ ଆମେ ତାଙ୍କୁ ସ୍ଵାଗତ କରିବାକୁ ପ୍ରସ୍ତୁତ ଅଛୁ, ତାଙ୍କ ପାଇଁ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍ ବ୍ୟବସ୍ଥା କରିଛୁ ଆଦି ଅନେକ କଥା ଉଭୟ କେନ୍ଦ୍ର ଓ ପ୍ରତିଶ୍ରୁତି ଦେଲେ । ସିନେମାର ଟ୍ରେଲର ପରି କିଛି ବି ଦୃଶ୍ୟମାନ ହେଲା । ହେଲେ ଆଜି ବିଭିନ୍ନ ରାଜ୍ୟର ବିଭିନ୍ନ କୋଣରେ ଭିନ୍ନଭିନ୍ନ ପ୍ରବାସୀ ବିନା ମଜୁରୀ, ବିନା ଭବିଷ୍ୟତରେ ନିଜର ଅତୀତକୁ ଭୁଲିବାକୁ ବସିଲେଣି ।
ଓଡ଼ିଶା କଥା ବିଚାର କରିବା । କେନ୍ଦ୍ର ପୂର୍ବରୁ ଦୂର ଦୃଷ୍ଟି ସମ୍ପନ୍ନ ଓଡ଼ିଶା ସରକାର, ଲକ୍ଡାଉନ୍କୁ କରୋନା ମହାମାରୀର ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ଏକ ମହତ୍ୱପୂଣ୍ଣ ଉପାୟ କହି, ରାଜ୍ୟରେ ତାଲା ପକାଇଲେ । କିନ୍ତୁ ଭୁଲିଗଲେ ଯେ, ଏ ମାଟିର ପୁଅଟିଏ ବାହାର ରାଜ୍ୟରେ ପତିତ ହୋଇଛି । ଆଗକୁ ସବୁ ରାଜ୍ୟ ଓ କେନ୍ଦ୍ର ଏ ଭଳି ଲକ୍ଡାଉନ୍କୁ ଆପଣାଇବେ । ଆଉ ସେ ପୁଅଟି ଖାଇପାରିବନି, ତା ପିଲାଛୁଆ ଭୋକରେ ସଙ୍କଟଜନକ ପରିସ୍ଥିତିକୁ ଚାଲି ଆସିବେ !
ଲକ୍ ଡାଉନ୍ ଭିତରେ ପ୍ରବାସୀଙ୍କୁ ଆଣିବେ କି ନାହିଁ, ତାହା ପ୍ରଥମରୁ ସ୍ଥିର କରିପାରିଲେନି ରାଜ୍ୟ ସରକାର । କିଛି ଦିନ ପରେ ବିଭିନ୍ନ ରାଜ୍ୟରେ ସେମାନଙ୍କ ଭଲମନ୍ଦ ବୁଝିବାକୁ ନୋଡାଲ୍ ଅଫିସର ନିଯୁକ୍ତ କଲେ । କିନ୍ତୁ ତାହା ଫେଲ୍ ମାରିଲା । ତେବେ ପ୍ରବାସୀଙ୍କ ଦୁଃଖ ବଢ଼ି ଚାଲିଥିବା ବେଳେ କୁହୁଳିବାରେ ଲାଗିଲା ବିରୋଧୀଙ୍କ ଆକ୍ରୋଶ । ଆଭାସ ପାଉ ପାଉ, ସରକାର ସେମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲେ ଏବଂ କ୍ୱାରେଣ୍ଟିନ୍ ସେଣ୍ଟରରେ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କଲେ । ଅବଶ୍ୟ ଏ କ୍ଷେତ୍ରରେ କିଛି ଅମାନିଆଙ୍କ ଦ୍ୱାରା କୋଭିଡ୍-19 ନିୟମାବଳୀ ଉଲ୍ଲଂଘନ ପାଇଁ ପୂରା ପ୍ରବାସୀଙ୍କୁ ଲୋକେ ଭିନ୍ନ ନଜରରେ ଦେଖୁଛନ୍ତି । ସେ କଥା ଛାଡ଼ନ୍ତୁ, ହେଲେ ଦେଶ ଓ ରାଜ୍ୟରେ ଶ୍ରମିକ ତଥା ପ୍ରବାସୀଙ୍କ ଏ ଦୁଃଖ ପାଇଁ ଆମେ ଏଠି କାହାକୁ ଦାୟୀ କରିବା ?
ଅତି ସରଳରେ କହିପାରିବା ଯେ, ଏ ହେଉଛି ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରାଶାସନିକ ପରାମର୍ଶ ଓ ନିଷ୍ପତ୍ତିର ପ୍ରତିଫଳନ । ପ୍ରାଶାସନିକ ଅଧିକାରୀଙ୍କ ସ୍ଥାନ ଉଚ୍ଚରେ । ତଳ ପାହାଚର ମଣିଷମାନେ, ସେମାନଙ୍କ ଆଖିକୁ ସହଜରେ ଦେଖାଯାଆନ୍ତି ନାହିଁ । ସେଠାରେ ନେତା ହିଁ ଗ୍ରାଉଣ୍ଡ ଜିରୋରୁ ବାସ୍ତବତାକୁ ସରକାରୀ କଳ ଆଗରେ ରଖି ଆବଶ୍ୟକ କାର୍ଯ୍ୟ ପାଇ: ପରାମର୍ଶ ଦିଅନ୍ତି । କିନ୍ତୁ କରୋନା ମହାମାରୀ ବେଳେ ସେମାନେ ପ୍ରଭାବହୀନ ହୋଇଛନ୍ତି । ସେ ଶାସକ ଦଳର ହୁଅନ୍ତୁ ବା ବିରୋଧୀ । ନିର୍ବାଚିତ ନେତା କିମ୍ବା ମନ୍ତ୍ରୀ- କାହାକୁ ହେଲେ ବିଶ୍ୱାସକୁ ନେଇନାହାନ୍ତି ସରକାରଙ୍କ ମୁଖିଆମାନେ । ଅର୍ଥାତ୍ ଉଭୟ ମୋଦି ଏବଂ ନବୀନ ଲୋକଙ୍କ ଖବର ବୁଝୁଥିବା ନେତାଙ୍କୁ ସ୍ଥାଣୁ କରି ଦେଇଛନ୍ତି । ଏପରିକି ସର୍ବଦଳୀୟ ପରାମର୍ଶ ଗୋଷ୍ଠୀ ଗଠନ ପାଇଁ ମଧ୍ୟ ଏହି ଦୁଇ ନେତା ଉଚିତ ମଣି ନାହାନ୍ତି । କେବଳ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କୁ ନେଇ ଦୁଇ ନେତା ଚଳାଇଛନ୍ତି କରୋନା ମୁକାବିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଘରେ ବସି ଲୁଡୁ ଖେଳୁଥିବା ବେଳେ ରାଜ୍ୟର କୌଣସି ଗୋଟିଏ ବି କୋଭିଡ୍ ହସ୍ପିଟାଲ୍ ନିର୍ମାଣ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାଇ ପଡ଼ିନି । ତେଣୁ ଏ କ୍ଷେତ୍ରରେ ନେତା ଓ ମନ୍ତ୍ରୀଙ୍କୁ ଉଭୟ ମୋଦି ଓ ନବୀନ, କେତେ ବିଶ୍ୱାସକୁ ନେଇଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି, ନୁହେଁ କି ?
ମୋଦି ହୁଅନ୍ତୁ କି ନବୀନ, ଏଦୁଇ ନେତାଙ୍କର ରହିଛି ସମାନ କୃତିତ୍ୱ । ନିର୍ବାଚନ ରାଜନୀତିରେ ଉଭୟ ନେତା, ଦୀର୍ଘ 20 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅଛନ୍ତି ଅପରାଜେୟ । ଖାସ୍ ସେଇଥି ପାଇଁ ବୋଧେ ସେମାନଙ୍କ ସେଲ୍ଫ କନଫିଡେନ୍ସ ଅଧିକ । ଆଉ ସେଇଥିପାଇଁ ଯେଉଁ ଗାଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସେଠାରେ କରୋନା ମହାମାରୀକୁ ସାମ୍ନା କରିବା ଲାଗି ସେମାନଙ୍କୁ ବାସି ପାଣିରେ ମୋଦି ଅବା ନବୀନ କେହି ପଚାରୁ ନାହାନ୍ତି । ଦେଶରେ ତାଲା ପକାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି, ଜରୁରିକାଳୀନ ସର୍ବଦଳୀୟ ବୈଠକ ଡକାଇଥାନ୍ତେ, ତେବେ ବେଦ କ’ଣ ଅଶୁଦ୍ଧ ହୋଇଯାଇ ଥାଆନ୍ତା ? ବରଂ ଏମିତି କରିଥିଲେ ହୁଏତ, କିଛିଟା ଗଠନମୂଳକ ପରାମର୍ଶ ମିଳିଥାନ୍ତା । ଲକ୍ ଡାଉନ୍ ପୂର୍ବରୁ କିଛିଟା ତ ବ୍ୟବସ୍ଥିତ ହୋଇପାରିଥା’ନ୍ତା । ଚାଲି ଚାଲି କିମ୍ବା ସାଇକେଲରେ ଯିବା ପରିବର୍ତ୍ତେ, କିଛିଟା ସର୍ବନିମ୍ନ ସୁବିଧାରେ ତ ନିଜ ରାଜ୍ୟକୁ ଫେରିଥାନ୍ତେ ଶ୍ରମିକ । ଯଦି ଦେଶରେ କରୋନାର ଭୟାବହତା ନେଇ ବିରୋଧୀ ଦଳର ଜଣେ ନେତା(ରାହୁଲ ଗାନ୍ଧିଙ୍କ ଫେବୃୟାରୀ 12 ଟ୍ୱିଟ୍) ଆଗୁଆ ଚିନ୍ତା ପ୍ରକଟ କରୁଛନ୍ତି ଏବଂ ଶାସନରେ ଥିବା ନେତା, ତାର ମାସକ ପରେ ତତ୍ପର ହେଉଛନ୍ତି… ତେବେ ଏହିଥିରୁ ହିଁ ଆମକୁ ଆକଳନ କରିବାକୁ ପଡ଼ିବ ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ କେମିତି ରହିଛି ଶାସକ-ବିରୋଧୀ ସମ୍ପର୍କ !
ମୋଦିଙ୍କ ଅବିକଳ ଶୈଳୀରେ ରାଜ୍ୟରେ ନବୀନ ଚଳାଇଛନ୍ତି କରୋନା ମୁକାବିଲା । ଯେଉଁଥିପାଇଁ ବିଜେପି, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇଥିଲେ ମଧ୍ୟ ମହାମାରୀ ବେଳେ ଏହା ବିଜେଡିରେ ବିଲୀନ ହୋଇ ଯାଇଥିବା ଭଳି ଜଣାପଡୁଛି । ସେପଟେ ସ୍ୱର ସଜାଡ଼ିବାକୁ କଂଗ୍ରେସ ସାମର୍ଥ୍ୟ ଜୁଟାଇ ପାରୁ ନଥିବା ବେଳେ ମଝିରେ ମଝିରେ ଉଭା ହେଉଛନ୍ତି ତାରା ବାହିନୀପତି । ସବୁ ପ୍ରବାସୀ ଓଡ଼ିଆଙ୍କୁ, ସରକାର କାହିଁକି ଶ୍ରମିକ କିମ୍ବା ଗୋତି ଶ୍ରମିକ ବୋଲି ଭାବୁଛନ୍ତି ବୋଲି ତାରା ପ୍ରଶ୍ନ ଉଠାଇଛନ୍ତି । ବାହାରେ ପାଠ ପଢୁଥିବା କିଛି ଝିଅଙ୍କୁ ସେମାନଙ୍କ ପରିବାର, ନିଜ ଖର୍ଚ୍ଚରେ ସ୍ୱତନ୍ତ୍ର ବ୍ୟବସ୍ଥାରେ ଆଣିବାକୁ ଚାହୁଁଥିବା ବେଳେ ରାଜ୍ୟରେ ସ୍ତରଭିତ୍ତିକ ପ୍ରଶାସନିକ ପ୍ରତିବନ୍ଧକ ରହିଥିବା କହିଲେ ତାରା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରାଶାସନିକ ପରାମର୍ଶ ମଣ୍ଡଳୀ ଉପରକୁ ଅଙ୍ଗୁଳି ଉଠାଇଲେ । କିନ୍ତୁ ତାରଙ୍କ ସ୍ୱର ଗଣମାଧ୍ୟମରେ ସେତେଟା ଧରୁନି ।
ପ୍ରାଶାସନିକ ଅଧିକାରୀଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା । ପୂର୍ବରୁ ହୁଡ୍ହୁଡ୍, ଫାଇଲିନ୍ ଏବଂ ଫୋନି ବିପର୍ଯ୍ୟୟ ବି ସେମିତି ପରିଚାଳନା କରାଯାଇଥିଲା । ଏହାକୁ ଏକ ସଫଳ ପରିଚାଳନା କହି, ପ୍ରଶାସନ ପୁରସ୍କାର ବି ସାଉଁଟିଛି କିନ୍ତୁ ଆଜି ଭୁବନେଶ୍ଵରର ଗଛ ଗୁଡ଼ିକ ସ୍ଵତଃ ସିନା ବଢ଼ିଛନ୍ତି ସେଥିରେ ପ୍ରଶାସନ ପାଣି ମୁନ୍ଦାଏ ବି ଢାଳି ନାହିଁ । ରାସ୍ତା ଘାଟ, ପାର୍କ, ଫୁଟ୍ପାଥ, ଆଲୁଅ ସବୁକିଛି ସେମିତି ନୀରବ ପଡ଼ି ଅପେକ୍ଷା କରୁଛି ଆଉ କେବେ ହକି ଖେଳ ହେବ ?
ଭଗବାନ କରନ୍ତୁ, କରୋନା ମୁକାବିଲା ସେମିତି ସାର୍ଟିଫିକେଟ୍ ପାଇଁ ପରିଚାଳନା ନହେଉ, ଲୋକଙ୍କ ଜୀବନ ଜୀବୀକା ଏହି ସାବାସୀ ନେବା ପ୍ରତିଦ୍ଵନ୍ଦ୍ଵିତାରେ ହଜି ନଯାଉ, କି ଲେଖକ ସାମ୍ବାଦିକ ପି.ସାଇନାଥଙ୍କ ଭଳି ଆଉ କେହି ସାମ୍ବାଦିକ ବାହାରୁ ଆସି ଆଉ ଏକ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ ଭଳି ଆଉ ଏକ ବହି ନ ଲେଖନ୍ତୁ !