#କୋବିଡ୍-୧୯: ପ୍ରଥମେ ୯୭୦, ପୁଣି ୬୦୦ ବେଡ୍

କଟକ(ଓଟି): ପ୍ରଥମେ ୯୭୦ ବେଡ୍‌, ଏଥିପାଇଁ ଦୁଇଟି ବେସରକାରୀ ମେଡିକାଲ୍‌ ସହ ରାଜ୍ୟ ସରକାର ଚୁକ୍ତିବଦ୍ଧ ହେଲେ। ଗୁରୁବାର ଏହି ନିଷ୍ପତ୍ତି ପରେ ଆଜି ପୁଣି ୬୦୦ ବେଡ୍‌ ପାଇଁ ସରକାର ସଜାଗ ହୋଇଛନ୍ତି। ଏଥିପାଇଁ କଟକ ଜିଲ୍ଲା ଟାଙ୍ଗୀର ଡ୍ରିମ୍ସ ଇଞ୍ଜିନିୟରିଂ କଲେଜ ପରିସରରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏହି ହସ୍ପିଟାଲରେ ୧୦୦ଟି ଆଇସିୟୁ ବେଡ୍ ଓ ୫୦୦ ସାଧାରଣ ବେଡ୍ ରହିବ। ଏହି ଅସ୍ଥାୟୀ ହସ୍ପିଟାଲ ପାଇଁ ସମଗ୍ର ଡିମ୍ସ କ୍ୟାମ୍ପସକୁ ରାଜ୍ୟ ସରକାର ହାତକୁ ନେବେ। କଲେଜର ୪ଟି ବାଳକ ହଷ୍ଟେଲର ୩୦୪ଟି ରୁମ୍ ଓ ବାଳିକା ହଷ୍ଟେଲର ୧୩୦ଟି ରୁମକୁ ଏଥିପାଇଁ ଉପଯୋଗ କରାଯିବ। ଏକାଡେମିକ୍ ବ୍ଲକ ଇତ୍ୟାଦିକୁ ଆଇସିୟୁ, ଓପିଡି କାଉଣ୍ଟର, ଲାବ୍ରୋଟେରୀ ଓ ଲଣ୍ଡ୍ରି ଭାବେ ବ୍ୟବହାର କରାଯିବ। ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ଗୋଟିଏ କ୍ୟାମ୍ପସରେ ରହିବେ। କ୍ୟାମ୍ପସକୁ ହସ୍ତାନ୍ତର ପାଇଁ ଡ୍ରିମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିବାବେଳେ ଆଜି ଆରଡିସିଙ୍କ ନେତୃତ୍ୱରେ ଏକ ଟିମ୍ ଏହି କ୍ୟାମ୍ପସ ପରିଦର୍ଶନ କରିଥିଲା। ଟିମରେ କଟକ ଜିଲ୍ଲାପାଳ, ଏସସିବି ସୁପରିଟେଣ୍ଡେଣ୍ଟ, ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଆର୍କିଟେକ୍ ଆଦି ସାମିଲ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତକାଲି ୯୭୦ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ନିମନ୍ତେ ସମ୍ ହସ୍ପିଟାଲ ଓ କିମ୍ସ ହସ୍ପିଟାଲ ସହ ଏମଓୟୁ ସ୍ୱାକ୍ଷର କରିଥିଲେ। ଏହି ହସ୍ପିଟାଲ ଆସନ୍ତା ୧୫ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *