ଓଡ଼ିଶାରେ କୋଭିଡ୍‌-୧୯ ନିୟନ୍ତ୍ରଣ: ଲୋକଙ୍କୁ ତାଲା, ସୀମା ମୁକୁଳା

ଭୁବନେଶ୍ଵର, (ଓଟି): ବଡ଼ ଆରାମରେ ଓଡ଼ିଶା ସୀମାରେ ପଶୁଛି ବାହାର ରାଜ୍ୟର ଗାଡ଼ି, ଡ୍ରାଇଭର ଏବଂ ସବୁକିଛି। ଯେଉଁମାନେ କୋଭିଡ୍‌ ୧୯ ସଂକ୍ରମଣ ବାହକ ହେବାର ଆଶଙ୍କା ରହିଛି ସେମାନଙ୍କ ପାଇଁ ଆମ ରାଜ୍ୟର ସବୁ ସୀମା ମୁକୁଳା ପଡ଼ିଛି। କିନ୍ତୁ ରାଜରାସ୍ତାରେ ନିରୀହ ଲୋକ ପରିବା ଆଣିବାକୁ ଗଲାବେଳେ ପୁଲିସ ଲାଠିର ଶିକାର ହେଉଛନ୍ତି। ସବୁଦିନ ଅପରାହ୍ଣରେ ଲୋକଙ୍କୁ ଟେଲିଭିଜନ୍‌ ଓ ଗଣମାଧ୍ୟମ ଦ୍ଵାରା ଭୟଭୀତ କରୁଥିବା ଓଡ଼ିଶା ସରକାରଙ୍କ ବାସ୍ତବ କୋଭିଡ୍‌ ନିୟନ୍ତ୍ରଣ କିନ୍ତୁ ଅତ୍ୟନ୍ତ ଢିଲା, ତାହା ଓଡ଼ିଶା-ପଶ୍ଚିମବଙ୍ଗ ସୀମାକୁ ଦେଖିଲେ ସ୍ପଷ୍ଟ ଜଣାଯାଏ।

ଓଡ଼ିଶାଟାଇମ୍‌ଡଟ୍‌କମ୍‌ ପକ୍ଷରୁ ଏନେଇ ରିଆଲିଟି ଚେକ୍‌ କରାଯାଇଥିଲା। ଯେଉଁଥିରୁ ସ୍ପଷ୍ଟ ହୋଇଛଇ ଯେ ଓଡ଼ିଶାର ସୀମାନ୍ତ ମୁକୁଳା ପଡ଼ିଛି। ଗାଡ଼ି ମୋଟରରେ କିଏ ଆସିଲା ବା କ’ଣ ଗଲା ତାହାକୁ ଦେଖିବାକୁ ଗୋଟିଏ ଅଧିକାରୀ ବି ରାସ୍ତାରେ ଓହ୍ଲାଇ ନାହାନ୍ତି। ଲକ୍ଷ୍ମଣନାଥ ପ୍ରବେଶ ଦ୍ଵାରରେ ଏ ଅବସ୍ଥା ଦେଖିଲେ କୋଭିଡ୍‌ ୧୯ କରୋନା ଭୁତାଣୁ ନିୟନ୍ତ୍ରଣନେଇ ପ୍ରକୃତ ପ୍ରସ୍ତୁତି ସ୍ପଷ୍ଟ ଜଣାପଡ଼ୁଛି। ଏହି ଫଟୋ ଦେଖିଲେ ଆପଣ ସବୁକିଛି ସ୍ପଷ୍ଟ ଜାଣିପାରିବେ।

 

ଉପରେ ଯେଉଁ ଫଟୋ ଲାଗିଛି ତାହା ହେଲା ବାଲେଶ୍ୱର ଓ ପଶ୍ଚିବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଫାଟକ ଯେଉଁଠି ଗୋଟିଏ ପଟେ ଓଡିଶା ଓ ଅନ୍ୟପଟରେ ପଶ୍ଚିମବଙ୍ଗ । ଓଡ଼ିଶା ପଟର ଏ ଦୃଶ୍ୟରେ କେବଳ କିଛି ରାସ୍ତା ସିଗ୍ନାଲ ତଥା ଗାଡ଼ିମୋଟରକୁ ପଥ ଦର୍ଶାଇବାର ରାସ୍ତା ଦିଶୁଛି କିନ୍ତୁ ଲୋକ ବା ଅଧିକାରୀ କେହି ନାହାନ୍ତି। ଖାଲିଦିନମାନଙ୍କରେ ଯେଉଁ ଯାଞ୍ଚ ହେଉଥିଲା ଏବେ ତାହା ଆଉ ହେଉ ନାହିଁ। ଅର୍ଥାତ୍‌ ଅଧିକାରୀଙ୍କୁ ବି କରୋନା ଡର ମାତିଛି।

ଏ ଫଟୋଟି ହେଉଛି ପଶ୍ଚିମବଙ୍ଗ ସୀମାନ୍ତ ଗେଟ୍‌। ଯାହାକୁ ପଶ୍ଚିମବଙ୍ଗ ସରକାର ନିୟନ୍ତ୍ରଣ କରୁଛନ୍ତି। ଏଠାରେ ସ୍ଵାସ୍ଥ୍ୟକର୍ମୀ ତାଙ୍କ ରାଜ୍ୟକୁ ପ୍ରବେଶ କରୁଥିବା ପ୍ରତିଟି ଡ୍ରାଇଭରଙ୍କ ଯାଞ୍ଚ କରୁଛନ୍ତି। ଏମାନେ ବାହକ ହୋଇପାରନ୍ତି ବୋଲି ପଶ୍ଚିମବଙ୍ଗ ସରକାର ଆଶଙ୍କା କରିଛନ୍ତି। ଡାକ୍ତର ଓ ପୁଲିସ ଉପସ୍ଥିତିରେ ଯାଞ୍ଚ ପରେ ପ୍ରବେଶ ପାଇଁ ଅନୁମତି ମିଳୁଛି।  ଓଡ଼ିଶାରୁ ବିଭିନ୍ନ ସାମଗ୍ରୀ (ଆଳୁ ସମେତ) ପାଇଁ ଏଠାରେ ଟ୍ରକ୍‌ ଧାଡ଼ି ଲଗାଇଛନ୍ତି। ଏପରିକି ଯେଉଁ ଡ୍ରାଇଭର ଅନୁମତି ମାଗିଛି ତାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।  ଅର୍ଥାତ୍‌ ପ୍ରବେଶ ଲାଗି ଅନୁମତି ମିଳୁ ନାହିଁ। ପରିସ୍ଥିତି ଏମିତି ଜାରି ରହିଲେ ଆଗକୁ ଓଡ଼ିଶା ବଜାରରେ ବିଭିନ୍ନ ଦ୍ରବ୍ୟର ଅଭାବ ହେବା ସ୍ଵଭାବିକ ହେବ ବୋଲି ଅଭିଯୋଗ ହୋଇଛି।
ଏଠି ଦୁଇଟି ପ୍ରଶ୍ନ ମନକୁ ଆସୁଛି। 

ଓଡ଼ିଶାକୁ ପ୍ରବେଶ ପଥରେ ସରକାରୀ କଟକଣା ଏତେ କୋହଳ କାହିଁକି? ଯେଉଁ ଡ୍ରାଇଭର ବା ତାଙ୍କସହଯୋଗୀ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଛନ୍ତି ସେମାନେ କରୋନା ମୁକ୍ତ କି? ଯଦି ଏହା ସତ୍ୟ ତେବେ ଓଡ଼ିଶାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ୮୦ ହଜାର ଲୋକ କରୋନା ସନ୍ଦିଗ୍ଧ ବୋଲି କାହିଁକି ସରକାର ଘୋଷଣା କରିଛନ୍ତି?

ଅର୍ଥାତ୍‌ ପଶ୍ଚିମବଙ୍ଗ ଯଦି ତାଙ୍କ ସୀମାକୁ ସୁରକ୍ଷିତ କରିପାରୁଛନ୍ତି, ଡ୍ରାଇଭରଙ୍କ ପ୍ରାଥମିକ କରୋନା ସ୍କ୍ରିନିଂ କରିପାରୁଛନ୍ତି ତେବେ ଓଡ଼ିଶା ସରକାର କାହିଁକି ତାହା ପ୍ରଣୟନ କରୁନାହାନ୍ତି?

ଦ୍ଵିତୀୟ ପ୍ରଶ୍ନ: ଯଦି ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଆନ୍ତଃ ରାଜ୍ୟ ପରିବହନକୁ ଗୁରୁତ୍ଵ ଦେଉଛନ୍ତି ତେବେ ପଶ୍ଚିମବଙ୍ଗ ସହ କାହିଁକି ଆବଶ୍ୟକ ବୁଝାମଣଶ କରୁନାହାନ୍ତି। ଯଦି ତାହା ନହୁଏ ତେବେ ଓଡ଼ିଶାରେ ସାମଗ୍ରୀ ଅଭାବ ଆଶଙ୍କା ବଢ଼ିବା ସମ୍ଭାବନା ଯଥେଷ୍ଟ ରହିଛି।

ପୁଣି ଯଦି ସରକାର ବିନା କୌଣସି ଯାଞ୍ଚରେ ବିଭିନ୍ନ ରାଜ୍ୟରୁ ଏଠାକୁ ଗାଡ଼ି ଛାଡ଼ିବେ ତେବେ ଏଠାରେ ସେମାନେ କରୋନା ବାହକ ହେବା ବି ଆଶଙ୍କା ରହିଛି। ଏପରି କ୍ଷେତ୍ରରେ ଲୋକଙ୍କୁ ତାଲା ପକାଇ ରାଜରାସ୍ତା ମୁକୁଳା କରିବାରେ କୌଣସି ସୁଫଳ ମିଳିବ ନାହିଁ।

 

Leave a Reply

Your email address will not be published.