୨୧ ଦିନ ଯାଏ ସମ୍ପୂଣ୍ଣ ଲକ୍‌ଡାଉନ୍‌

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ ମହାମାରୀରୁ ମୁକ୍ତି ପାଇବା ଲାଗି ପଅଧାନମନ୍ତ୍ରୀ ମୋଦି ଆଜି ସାରା ଭାରତକୁ ୨୧ ଦିନ ପାଇଁ ତାଲାବନ୍ଦୀ ( ଲକ୍‌ଡାଉନ୍‌) ଘୋଷଣା କରିଛନ୍ତି। ଆଜି ରାତି ୧୨ଟାରୁ ଏହି ଲକ୍‌ଡାଉନ୍‌ ଆଦେଶ କାର୍ଯ୍ୟ କରିବ। ଏପ୍ରିଲ୍‌ ୧୪ ତାରିଖ ଯାଏ ଲକ୍‌ଡାଉନ୍‌ ବଳବତ୍ତର ରହିବ। କୋଭିଡ୍‌-୧୯ କରୋନା ଭୁତାଣୁର ଚେନ୍‌ ଭାଙ୍ଗିବା ଲାଗି ଏହି ୨୧ ଦିନ ମହତ୍ତ୍ଵପୂଣ୍ଣ ହୋଇଥାଏ। ଏଣୁ ଏହି ୨୧ ଦିନ ଆମେ ଘର ଆଗରେ ଲକ୍ଷ୍ମଣରେଖା ଟାଣି ନିଜେ ବାହାରକୁ ବାହାରିବା ବା କାହାକୁ ଘରକୁ ଆସିବାକୁ ନଦେଲେ ଆମେ ଭୁତାଣୁର ପ୍ରକୋପକୁ ରୋକିପାରିବା ବୋଲି ଆଶା କରୁଛୁ। ଏଣୁ ସମସ୍ତ ଦେଶବାସୀଙ୍କୁ ଏହା ମାନିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ହାତ ଯୋଡ଼ି ନିବେଦନ କରିଛନ୍ତି।

କରୋନା ଭୟ ଓ ଆଶଙ୍କାକୁ ନେଇ ମୋଦି ଆଜି ଦ୍ଵିତୀୟଥର ପାଇଁ ରାଷ୍ଟ୍ରୀୟ ଟେଲିଭିଜନ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହିକ୍ରମରେ ଦେଶବାସୀଙ୍କୁ କରୋନା ଭୁତାଣୁର ଚେନ୍‌କୁ ଭାଙ୍ଗିବା ଲାଗି ଅନୁରୋଧ କରିଛନ୍ତି। କରୋନା ଭୁତାଣୁ ସଂକ୍ରମଣରେ ଆସିଥିବା କୌଣସି ବ୍ୟକ୍ତି ଭିତରେ ଏହି ଦିନ ଭିତରେ ଲକ୍ଷଣ ଦେଖାଯିବା ଆଶଙ୍କା ରହିଛି।  ଏଣୁ ଏହି ୨୧ ଦିନ ଠିଣା ଭାବେ ପାଳନ କରିଲେ ଆମ ଠିକଣା ମୁକାବିଲା କରିବାରେ ସକ୍ଷମ ହୋଇପାରିବା ବୋଲି ଆଶା କରାଯାଇଛି।

ଏହା ପୂର୍ବରୁ ମୋଦି ୨୨ ମାର୍ଚକୁ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ସଦ୍ୟ ଘୋଷଣା କର୍ଫ୍ୟୁ ନହେଲେ ବି କର୍ଫ୍ୟୁଠାରୁ କମ୍‌ ନୁହେଁ ବୋଲି ମୋଦି କହିଛନ୍ତି। ଦେଶରେ ମହାମାରୀ ରୋକିବା ଲାଗି ଏହା ଜରୁରୀ ବୋଲି ସେ କହିଛନ୍ତି।

ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ନିର୍ଦେଶାବଳୀ ଅନୁସାରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଦେଶରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଡାକ୍ତରଖାନା ଓ ଆସୋଲେସନ୍‌ ବେଡ୍‌ ସ୍ଥାପନ କରୁଛନ୍ତି। ଏଥିଲାଗି ୧୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ବୋଲି ମୋଦି ସୂଚନା ଦେଇଛନ୍ତି। ଏହି ଅର୍ଥରେ ହସ୍‌ପିଟାଲ୍‌, ସ୍ଵତନ୍ତ୍ର କରୋନା ଶଯ୍ୟା, ସ୍ଵତନ୍ତ୍ର ଭାବେ ଯନ୍ତ୍ରାଂଶ, ପୋଷାକ ପ୍ରଭୃତି ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି।

କରୋନା ମହାମାରୀର ବିସ୍ତାରକୁ ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ବିଶ୍ଵର ଅନେକ ବଡ଼ ବଡ଼ ଦେଶ ଏହି ମାହାମାରୀ ଆଗରେ ଫେଲ୍‌ ମାରିଛନ୍ତି। ଆମକୁ ଏବେ କେବଳ ନିଜକୁ ଅନ୍ୟଠାରୁ ଅଲଗା ରଖିବାକୁ ହେବ ବୋଲି ସେ କହିଛନ୍ତି।

ଦେଶରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ପୁଲିସ, ଡାକ୍ତର, ଡାକ୍ତରଖାନା କର୍ମଚାରୀ, ମିଡିଆ କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦି।

Leave a Reply

Your email address will not be published. Required fields are marked *