ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ #କୋଭିଡ୍-୧୯ ହସ୍ପିଟାଲ
ଭୁବନେଶ୍ୱର(ଓଟି): ଚିନ୍ତା ବଢ଼ାଇ ଦେଇଛି କୋଭିଡ୍-୧୯ ତଥା କରୋନା ମହାମାରୀ। ଦେଶରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏପରିକି ଆଗକୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହେଲାଣି। ଦିଲ୍ଲୀର ଧାର୍ମିକ ସମାବେଶ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇ ଦେଶ ପାଇଁ ବିପଦ ସୃଷ୍ଟି କରିଛି। ଏଭଳି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜଧାନୀ ଓ କଟକରେ କରୋନା ଚିକିତ୍ସା ପାଇଁ ପ୍ରଥମ ପର୍ଯ୍ୟାୟରେ ପଦକ୍ଷେପ ନିଆଯାଇଥିବାବେଳେ ସମ୍ପ୍ରତି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ #କୋଭିଡ୍-୧୯ ହସ୍ପିଟାଲ୍ ଖୋଲିବାକୁ ସରକାର ପଦକ୍ଷେପ ନେଉଥିବା ଜଣାପଡ଼ିଛି।
ରାଜ୍ୟର ସମସ୍ତ ଜିଲ୍ଲାରେ ହସ୍ପିଟାଲ୍ ଖୋଲିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ରାଜ୍ୟ ସରକାର ପ୍ରତି କ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି କଟକ ଏସ୍ସିବିରେ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ। ଏଥିପାଇଁ ICMR ଅନୁମତି ଦେଇଛନ୍ତି। ସେପଟେ ବ୍ରହ୍ମପୁର ବଡ଼ ମେଡିକାଲ ଓ ବୁର୍ଲାରେ ମଧ୍ୟ କରୋନା ରକ୍ତ ନମୁନା ପରୀକ୍ଷା ପାଇଁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।