କରୋନା: ଭାରତରେ ବଢୁଛି ଆକ୍ରାନ୍ତ ସଂଖ୍ୟା
ନୂଆଦିଲ୍ଲୀ (ଓଟି): କୋଭିଡ-୧୯ ତଥା କରୋନା ସମ୍ପ୍ରତି ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ପୁଣେରେ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ୨ ଜଣ ନିକଟ ଅତୀତରେ ଆମେରିକାରୁ ଫେରିଥିଲେ ଏବଂ ସେମାନଙ୍କୁ ସ୍ଵତନ୍ତ୍ର ୱାର୍ଡରେ ରଖାଯାଇଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
ଚିନ୍ତାର ବିଷୟ କି, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଁଚିଛି। ପୂର୍ବରୁ କେରଳରେ ୫ ଜଣ ଆକ୍ରାନ୍ତ ହୋଇଥିଲେ। ସେହିପରି ଚୀନରେ ମୃତ୍ୟୁ ସଂଖ୍ୟା ୩୧୩୬ରେ ପହଞ୍ଚିଛି ଏବଂ ୧ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା କୁହାଯାଉଛି।
ଇରାନରୁ ଫେରିଲେ ଭାରତୀୟ
ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ଇରାନ ଓ ଇଟାଲୀରେ ବଡ଼ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଇରାନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ବେଳକୁ ୨୩୭ରେ ପହଞ୍ଚି ସାରିଥିବାବେଳେ ସେଠାରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୮ଜଣ ଫେରିଛନ୍ତି। ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟର ସମସ୍ତଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।