#covid19 update: ୧୯୬ ଦେଶ, ୪ଲକ୍ଷ୧୬ ହଜାର୬୮୬ ଆକ୍ରାନ୍ତ, ଭାରତରେ ୬୩୩ ପଜିଟିଭ୍, ୧୬ ମୃତ
ଭୁବନେଶ୍ଵର, (ଓଟି): ବିଶ୍ଵର ୧୯୬ ଦେଶ ଏବେ କରୋନା କବଳିତ। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ୧୬ ହଜାର୬୮୬ରୁ ଅଧିକ। ଏମାନେ ବିଭିନ୍ନ କୋଣରେ ଚିକିତ୍ସିତ। ବିଗତ ଡିସେମ୍ବରରେ ଚୀନରେ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଦ୍ଵାରା ବିଶ୍ଵର ୧୮୫୮୯ ଜଣ ପ୍ରାଣ ହରାଇ ସାରିଥିବା ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପ୍ରକାଶ କରିଛି।
ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶର ସମୁଦାୟ କରୋନା ପୀଡ଼ିତଙ୍କ ସଂଖ୍ୟା ୬୩୩। ଏଭିତରେ ୧୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି। ତୃତୀୟ ବିଶ୍ଵଯୁଦ୍ଧ ଭାବେ ସାରା ବିଶ୍ଵ ଏହି ମରାଣାନ୍ତକ ଭୁତାଣୁ ବିରୁଦ୍ଧରେ ଲଢ଼େଇ ଲଢ଼ୁଛି। ଏହି ସଂଗ୍ରାମରେ ଭାରତ ମଧ୍ୟ ପକ୍ଷଭୁକ୍ତ ହୋଇଛି। ଦିନକୁ ଦିନ ନୂଆ ପଦକ୍ଷେପ ନେଇ ଭାରତ ଏହି ଭୁତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ଭାରତରେ ତାଲାବନ୍ଦୀ ଆଦେଶ ଦେଇଛନ୍ତି। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ଏହା ଏକ ଗୁରୁତ୍ଵପୂଣ୍ଣ ପଦକ୍ଷେପ ବୋଲି ଗ୍ହରଣ କରାଯାଉଛି। ଯଦି ଏହା ସଫଳ ହେଲା ତେବେ ଭାରତରୁ କରୋନା ଭୟ ଟଳିବ ବୋଲି ଆଶା କରାଯାଇଛି।
ଏବେ ଓଡ଼ିଶା କଥା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ସ୍ଥିର ରହିବା ପରେ ଆଜି ପୁଣି ଜଣେ ସନ୍ଦିଗ୍ଧଙ୍କ ନମୁନାରେ ଭୁତାଣୁ ପଜିଟିଭ୍ ଦେଖାଯାଇଛି। ଏହି ରୋଗୀ ଜଣଙ୍କ ବାବଦରେ ସବିଶେଷ ତଥ୍ୟ ମିଳି ନଥିଲେ ମଧ୍ୟ ସେ ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ତାଙ୍କ ଘର ଭୁବନେଶ୍ଵରରେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏବେ ତାଙ୍କ ସଂସ୍ପଶରେ ଆସିଥିବା ଲୋକଙ୍କ ବାବଦରେ ସରକାର ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି।
ଏବେ ଚୀନ୍ରେ ମଧ୍ୟ କରୋନା ତାଣ୍ଡବ ଜାରି ରହିଛ।ି ବିଶ୍ଵର ସବୁଠାରୁ ଅଧିକ ଆକ୍ଟିଭ୍ କେସ୍ ଅର୍ଥାତ୍ ଆକ୍ରାନ୍ତ ଚୀନରେ ରହିଛନ୍ତି। ସେମାନଙ୍କ ସଂଖ୍ୟଶ ଦେଶରେ ୮୧ହଜାର ୮୬୯ ବୋଲି ବିଶ୍ଵସ୍ଵାସ୍ତ୍ୟ ସଂଗଠନ ଡ୍ୟାଶ୍ବୋଡଁରେ ଦର୍ଶାଯାଇଛି। ଚୀନ ପଛକୁ ରହିଛି ଇଟାଲୀ । ଏଦେଶରେ ଚିକିତ୍ସା ବ୍ୟବସ୍ଥା ବିକଶିତ ହୋଇଥିଲେ ମଧ୍ୟ ଭୁତାଣୁ ନିୟନ୍ତ୍ରଣ ହୋଇପାରୁ ନାହିଁ। ଏବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୧୭୬ରହିଛି। ଯୁକ୍ତରାଷ୍ଟ୍ରଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୯୧୪ ଥିବାବେଳେ ସ୍ପେନ୍ରେ ୩୯୬୭୩, ଜର୍ମାନୀରେ ୩୧୫୫୪, ଇରାନ୍ରେ ୨୭୦୧୭, ଫ୍ରାନ୍ସରେ ୨୨୦୨୫, କୋରିଆରେ ୯୧୩୭, ସ୍ଵିଜରଲ୍ୟାଣ୍ଡରେ ୮୭୮୯, ଇଂଲଣ୍ଡରେ ୮୦୮୧, ନେଦରଲ୍ୟାଣ୍ଡରେ ୫୫୬୦ ରହିଛି।
ଭାରତର ପଡ଼ୋଶୀ ଦେଶ ଭାବେ ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯୧ ଥିବାବେଳେ ବାଂଲାଦେଶରେ ୩୯, ଆଫଗାନିସ୍ତାନରେ ୭୪, ଶ୍ରୀଲଙ୍କାରେ ୧୦୨, ନେପାଳ-୨, ଏବଂ ଭୂଟାନ୍ରେ ୨ଟି କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି।