କରୋନା ଭୟ: ଚାରିଆଡ଼େ ସ୍ଵତଃ ବନ୍ଦ, ରାଜଧାନୀ ଖାଁ, ଖାଁ

ଭୁବନେଶ୍ଵର (ଓଟି): ଭୟ, ଆତଙ୍କ ଓ ଗୁଜବ ଭିତରେ ରବିବାର ଓଡ଼ିଶାର ବିଭିନ୍ନ ସହରରେ ସ୍ଵତଃ କର୍ଫ୍ୟୁ ଦେଖିବାକୁ ମିଳିଛି। ପୂରା ରାଜଧାନୀ ଖାଁ ଖାଁ ଦେଖାଯାଉଛି। କିଛି ପ୍ରମୁଖ ସ୍ଥାନରେ ପୁଲିସ ବଳ ମୁତ୍ତୟନ ରହିଥିଲେ ବି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବା ଲକ୍ଷ୍ୟ କରାଯାଉଛି। ସମସ୍ତଙ୍କ ଆଶା ଏ ଭିତରେ ଆମେ କୋଭିଡ୍‌-୧୯ କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ଅଭିଯାନରେ ସାମିଲ୍‌ ହୋଇପାରିଛୁ।

ଜରୁରୀକାଳୀନ କାର୍ଡ

ସବୁବେଳେ ଜନଗହଳି ଓ କୋଳାହଳରେ ପରିପୂଣ୍ଣ ଥିବା ରାଜଧାନୀ ରାସ୍ତାରେ ଆଜି ଗାଡ଼ି ମୋଟର ଯିବା ଆସିବା କରିବା ସ୍ଵପ୍ନ ପ୍ରାୟ ଦେଖିବାକୁ ମିଳିଛି। ଯେଉଁ ଗାଡ଼ି ଯାଉଛି ତାହା ସରକାରୀ ବା ଜରୁରୀକାଳୀନ ଗାଡ଼ି ବୋଲି ଜଣାପଡ଼ୁଛି। ଲୋକେ ଘରୁ ବାହାରୁ ନାହାନ୍ତି। ପୁଣି ଯେ କେହି ବାହାରୁଛନ୍ତି ତାଙ୍କ ବାହାରକୁ ବାହାରିବାର କାରଣ ପୁଲିସ ବୁଝୁଛି। ଯଦି ତାହା ଉପଯୁକ୍ତ କାରଣ ହେଉଛି ତେବେ ପୁଲିସ ତାଙ୍କୁ ଜରୁରୀକାଳୀନ କାର୍ଡ଼ ପ୍ରଦାନ କରୁଛି। ନହେଲେ ତାଙ୍କୁ ସେଥିରୁ ବାରଣ କରୁଛି। ଜରୁରୀ କାର୍ଯ୍ୟରେ ଯାଉଥିବା ବ୍ୟକ୍ତିମାନେ ପୁଲିସ ସହାୟତା ନମ୍ବର ୧୦୦କୁ ଡାଏଲ୍‌ କରି ଏ ବାବଦରେ ଜଣାଇପାରିବେ। ସେମାନଙ୍କୁ ଆବଶ୍ୟକ ପାସ୍‌ ବା କାର୍ଡ଼ ପୁଲିସ ପ୍ରଦାନ କରୁଛନ୍ତି।

ସନ୍ଧ୍ୟା ୫ଟାରେ ଘଣ୍ଟି ଓ ତାଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି। ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଓଡ଼ିଶା ବି ଏଥିରେ ସାମିଲ ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଲୋକେ ଏଥିରେ ସାମିଲ ହୋଇଛନ୍ତି ଓ ବାହାରକୁ ନ ବାହାରି ଘରେ ରହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି। ଭୋର୍ ୪ଟାରୁ ଛାଡ଼ିଥିବା ଟ୍ରେନ୍‌ ଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ଟ୍ରେନ୍ ବାତିଲ ହୋଇଛି। ରାତି ୧୦ଟା ପରେ ଯାଇ ସବୁ ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବେ। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଆଜି ସାରା ରାଜ୍ୟ ଏକ ପ୍ରକାର ଖାଁ ଖାଁ ଲାଗୁଛି। ରାସ୍ତାଘାଟ, ଦୋକାନବଜାର, ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଗୁଡ଼ିକରେ ଅସମ୍ଭବ ପ୍ରକାରର ନିରବତା ଦେଖିବାକୁ ମିଳିଛି। କାଁ ଭାଁ ଲୋକେ ଯା’ଆସ କରୁଛନ୍ତି।

ଏହି ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମୀଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦି ସନ୍ଧ୍ୟା୫ଟାରେ ଘର ବାରଣ୍ଡା, ବାଲକୋନୀ ଓ ଦୁଆର ବମୁହଁରେ ଘଣ୍ଟି ବଜାଇବା ତଥା ତାଳି ମାରିବା ଲଶଗି କହିଛନ୍ତି। କେହି କେହି ଏହି ତାଳି ମାରିବା ଭୁତାଣୁ ଦୂର କରିବା ସହ କୌଣସି ସମ୍ପର୍କ ନାହିଁ ବୋଲି ଯୁକ୍ତି ବାଢ଼ୁଥିବା ବେଳେ ଏହା ଯେ କେବଳ ସମ୍ମାନ ପ୍ରଦାର୍ଶନ କରିବା ପାଇଁ ଏକ ଆହ୍ବାନ ବୋଲି ଅନ୍ୟମାନେ ଯୁକ୍ତି ବାଢ଼ିଛନ୍ତି।

ଜରୁରୀ ସେବା ବାଦ୍‌

‘ଜନତା କର୍ଫ୍ୟୁ’ରୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବାକୁ ବାଦ୍ ଦିଆଯାଇଛି। ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ୍ ଷ୍ଟାଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମ୍ୟୁନିସିପାଲିଟି କର୍ମଚାରୀ ଓ ବିମାନବନ୍ଦର କର୍ମଚାରୀ ମଧ୍ୟ ସେମାନଙ୍କ କାମ କରିବେ। ପୁଲିସ୍, ରେଲୱେ, ହୋମ୍ ଡେଲିଭରୀ ଓ ଗଣମାଧ୍ୟମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ

କରୋନା: ଲକ୍‌ ଡାଉନ୍‌ରେ କ’ଣ କରିହେବ, କ’ଣସବୁ ମନା

Leave a Reply

Your email address will not be published.