ନିଜସ୍ବ କୋଭିଡ-୧୯ ଟେଷ୍ଟ କିଟ୍ ପ୍ରସ୍ତୁତ କଲା ଭାରତ
ଭୁବନେଶ୍ବର, (ଓଡ଼ିଶା ଟାଇମ୍) : ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲୋଜି (ଏନଆଇଭି) ନିଜସ୍ବ କରୋନା ଆଣ୍ଟିବଡି ଟେଷ୍ଟ କିଟ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏହି ଟେଷ୍ଟିଂ କିଟ୍ ଲୋକଙ୍କ ଶରୀରର ରକ୍ତରେ ଆଣ୍ଟିବଡିକୁ ପରୀକ୍ଷା କରିବା ଲାଗି ଉପଯୋଗ କରାଯିବ। ଏହାଦ୍ବାରା କରୋନା ସଂକ୍ରମଣ ଜଣାପଡିପାରିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏହି ଏଲିସା ଟେଷ୍ଟ କିଟ୍ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ବହୁଳ ସହାୟକ ହେବ। ଏହି ଟେଷ୍ଟ କିଟ୍ ଦ୍ବାରା ଏକକାଳୀନ ୯୦ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଏଥିପାଇଁ ମାତ୍ର ୨ଘଣ୍ଟା ୫୦ ମିନିଟ୍ ସମୟ ଲାଗିବ। ଫଳରେ ସଂକ୍ରମିତଙ୍କ ଚିକିତ୍ସା ଦିଗରେ ସ୍ବାସ୍ଥ୍ୟ କର୍ମଚାରୀମାନେ ତ୍ବରିତ ପଦକ୍ଷେପ ନେଇପାରିବେ। ମନ୍ତ୍ରୀ ହର୍ଷ ବର୍ଦ୍ଧନ ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସାର୍ସ ସିଓଭି-୨ ଏଲିସା ଟେଷ୍ଟ କିଟ୍ କୋଭିଡ-୧୯ର ଆଣ୍ଟବଡି ଡିଟେକ୍ସନ ଲାଗି ଉଦ୍ଧିଷ୍ଟ। ଏହା କରୋନା ବିରୋଧରେ ଭାରତର ଲଢେଇକୁ ଆହୁରି ମଜବୁତ୍ କରିବ। ଲୋକସଂଖ୍ୟା ତୁଳନାରେ ସଂକ୍ରମିତଙ୍କ ନମୁନା ପରୀକ୍ଷା ତ୍ବରାନିତ ହୋଇପାରିବ। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି ଏହି ଟେଷ୍ଟିଂ କିଟ୍ର ବହୁଳ ପ୍ରସ୍ତୁତ ଲାଗି କାଡିଲା କମ୍ପାନୀକୁ ଅନୁମୋଦନ କରିଛନ୍ତି।