ବଦଳୁଛି ଭିତରକନିକାରେ ଦେଶୀପକ୍ଷୀଙ୍କ ପ୍ରଜନନ କେନ୍ଦ୍ର: ଲକ୍ଷ୍ମୀପ୍ରସାଦଡିଆ ନୂଆ ଠିକଣା

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ଦେଶୀୟ ପକ୍ଷୀଙ୍କ ପ୍ରଜନନ କେନ୍ଦ୍ର ଭାବେ ଶହ ଶହ ବର୍ଷ ଧରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିôବା ଭିତରକନିକାର ବଗଗହନରୁ ଏବେ ଦେଶୀ ପକ୍ଷୀମାନେ ମୁହଁ ଫେରାଇ ନେଇଛନ୍ତି । ଫଳରେ ଏବେ ବଗଗହନରେ ଶୁଭୁନି ପକ୍ଷୀଙ୍କ କଳରବ । ଶହ ଶହ ବର୍ଷ ଧରି ବର୍ଷା ଋତୁରେ ଯେଉଁ ବଗଗହନ ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ମୁଖରିତ ହେଉଥିଲା, ସେହି ଗବଗହନ ଏବେ ଖାଁ ଖାଁ ଗୋଡ଼ାଉଛି । ସେଠାରେ ପକ୍ଷୀ ନାହାନ୍ତି କି ପକ୍ଷୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକ ନାହାନ୍ତି ।

ପ୍ରତି ବର୍ଷା ଋତୁରେ ବିଭିନ୍ନ ପ୍ରଜାତିର ଦେଶୀୟ ପକ୍ଷୀମାନେ ଭିତରକନିକା ଅଞ୍ଚଳକୁ ପ୍ରଜନନ ପାଇଁ ଆସିଥାଆନ୍ତି । ମୁଖ୍ୟତଃ ଜୁଲାଇ ମାସରୁ ଭିତରକନିକା ଅଞ୍ଚଳକୁ ଆସିବା ଆରମ୍ଭ କରନ୍ତି ଓ ସେଠାରେ ବସାବାନ୍ଧନ୍ତି । ବଗଗହନରେ ଥିôବା ସାମୁଦ୍ରିକ ଗଛର ଡାଳକୁ ବସା ବାନ୍ଧିବାକୁ ପକ୍ଷୀମାନେ ସୁରକ୍ଷିତ ମନେ କରନ୍ତି । ପକ୍ଷୀଙ୍କ ଖାଦ୍ୟ ପାଇଁ ଭିତରକନିକା ଅଂଚଳରେ ପ୍ରଚୁରପରିମାଣର ସାମୁଦ୍ରିକ ମାଛ, କଙ୍କଡ଼ା, ଗେଣ୍ଡା ଓ ବିଭିନ୍ନ ପ୍ରକାରର ପୋକ ଜୋକ ମିଳୁଥିବାରୁ ପକ୍ଷୀମାନେ ବର୍ଷାଋୁତୁରେ ଏଠାକୁ ଆସିଥାଆନ୍ତି । ଗେଣ୍ଡାଳିଆ, ବିଭିନ୍ନ ପ୍ରଜାତିର ବଗ, ଚିଲ, ଶଂଖଚିଲ, ହଳଦୀବସନ୍ତ, ପାଣିକୁଆ, କାପରଖାଇ, ପାଣିକୁଆ, ଦାବେଂଟିଆଙ୍କ ସମେତ ଅନେକ ପ୍ରକାରର ପକ୍ଷୀମାନେ ଏଠାକୁ ପ୍ରଜନନ ପାଇଁ ଆସନ୍ତି ।

ମୁଲାଇ ମାସରୁ ଆରମ୍ଭ ହେଉଥିବା ଏହି ପ୍ରକ୍ରିୟା ନଭେମ୍ବର ଯାଏ ଚାଲେ । ପୁରୁଷ ଓ ମାଆ ପକ୍ଷୀମାନେ ବସା ବାନ୍ଧିବା ପାଇଁ ନିରାପଦ ସ୍ଥାନରେ ଥିବା ନିରାପଦ ଗଛର ଡାଳ ଚୟନ କରିସାରିବା ପରେ ସେହି ଡାଳରେ ସେମାନେ ବସନ୍ତି ଓ ତା’ପରେ ମାଆ ଚଢେଇ ସେହି ଗଛ ଡାଳରେ ବସି ରହେ ଓ ପୁରୁଷ ଚଢେଇ ବିଭିନ୍ନ ଗଛର ଡାଳ ଓ କାଠିକୁଟା ସଂଗ୍ରହ କରିଥାଏ । ମାଆ ଚଢେଇ ବସା ବାନ୍ଧି ସାରିବା ପରେ ଉଭୟ ସେହି ବସାରେ ରହନ୍ତି ଓ ସେଠାରେ ତାଙ୍କର ସଙ୍ଗମ ହୁଏ । ଏହି ସମୟରେ ମାଆ ଚଢେଇ ବସାରେ ରହେ ଓ ପୁରୁଷ ଚଢେଇ ଖାଦ୍ୟ ସଂଗ୍ରହ କରି ଆଣି ଦେଇଥାଏ । ବସା ବାନ୍ଧିବା ଠାରୁ ଅଣ୍ଡା ଦେବା ଓ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ମାଆ ଚଢେଇ ବସାରେ ରହୁଥିବା ବେଳେ ପୁରୁଷ ଚଢେଇ ବାହାରୁ ଖାଦ୍ୟ ସଂଗ୍ରହ କରି ଆଣି ମାଆ ଚଢେଇକୁ ଦେଇଥାଏ । ଅଣ୍ଡାରୁ ଛୁଆ ଫୁଟି ବାହାରି ଛୁଆମାନେ ଟିକେ ଖାଇ ଶିଖିଲା ପରେ ମାଆ ଓ ପୁରୁଷ ଚଢ଼େଇ ଉଭୟ ନିଜ ଛୁଆଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଆଣନ୍ତି । ମାଆ ଚଢେଇ ନିଜ ଥଣ୍ଟରେ ଖାଦ୍ୟ ନେଇ ଛୁଆଙ୍କ ଥଣ୍ଟରେ ଦେଇ ଖୁଆଇ ଶିଖାଇ ଦେଇଥାଏ । ଛୁଆମାନେ ସମ୍ପୂର୍ଣ୍ଣ ଖାଇ ଶିଖିବା ପରେ ମଆ ଚଢେଇ ସେମାନଙ୍କୁ ଉଡ଼ିବା ଶିଖାଇଥାଏ ଓ ଛୁଆ ଚଢେଇମାନେ ଖଣ୍ଡିଉଡ଼ା ଦେଇ ଗଛର ଏଡାରୁ ସେଡାଳ ଉଡ଼ିବୁଲନ୍ତି । ଏହି ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ଅତି ମନୋରମ । ଛୁଆଚଢେଇମାନେ ସମ୍ପୂର୍ଣ୍ଣ ଉଡ଼ିବା ସହ ଖାଦ୍ୟ ସଂଗ୍ରହ ଶିଖିଯିବା ପରେ ନଭେମ୍ବର ମାସ ଶେଷ ଆଡ଼କୁ ମାଆ ଓ ପୁରୁଷ ଚଢେଇ ନିଜ ଛୁଆଙ୍କ ସହ ନିଜର ପୂର୍ବ ଠିକଣାକୁ ଫେରି ଯାଆନ୍ତି । ତେବେ ପକ୍ଷୀମାନେ ନିଜ ଅସ୍ଥାୟୀ ଠିକଣା ପରିବର୍ତନ କରି ନେଇଥିବାରୁ ଶହ ଶହ ବର୍ଷ ଧରି ଦେଶୀ ପକ୍ଷୀଙ୍କ ପ୍ରଜନନକେନ୍ଦ୍ର ପାଲଟିଥିବା ବଗ ଗହନରେ ଗତ କିଛି ବର୍ଷ ହେଲା ପକ୍ଷୀଙ୍କ କଳରବ ଶୁଭୁ ନାହିଁ ।

ଲକ୍ଷ୍ମୀପ୍ରସାଦଡିଆ ନୂଆ ଆଡ୍ଡା

ବଗଗହନ ନିକଟସ୍ଥ ଲକ୍ଷ୍ମୀପ୍ରସାଦଡିଆ ପାଲଟିଛି ଦେଶୀ ପକ୍ଷୀଙ୍କ ନୂଆ ଅସ୍ଥାୟୀ ଠିକଣା । ୨୦୧୬ ମସିହାରୁ ଏହି ସ୍ଥାନଟି ଦେଶୀୟ ପକ୍ଷୀଙ୍କ ପାଇଁ ଶୁଭଙ୍କର ବୋଲି ଲକ୍ଷ୍ୟ କରାଯାଉଛି । ଏଣୁ ବଗଗହନ ନିକଟସ୍ଥ ମଠଆଡ଼ିଆକୁ ଛାଡ଼ି ଲକ୍ଷ୍ମୀପ୍ରସାଦଡିଆକୁ ଚୟନ କରିଛନ୍ତି । ଯଦିଓ ମଠଆଡିଆ ଠାରେ କିଛି ଦେଶୀ ପକ୍ଷୀଙ୍କ ବସା ଦେଖିବାକୁ ମିଳୁଛି, କିନ୍ତୁ ତାହା ଅତି ନଗଣ୍ୟ । ଏ ବର୍ଷ ଲକ୍ଷ୍ମୀ ପ୍ରସାଦଡିଆରେ ବହୁ ସଂଖ୍ୟକ ଦେଶୀ ପକ୍ଷୀ ବସା ବାନ୍ଧି ଅଣ୍ଡା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *