ପ୍ରାର୍ଥୀ ତାଲିକା ଦେଖି ଉପକୂଳ ନେତା ଛାନିଆ
ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଦେଖି ଏବେ ଦଳର ଉପକୂଳିଆ ନେତା ଛାନିଆ। ବିଶେଷକରି ୭ ସାଂସଦଙ୍କୁ ଟିକଟ ନମିଳିବା, ଦଳଡିଆଁ ମାନଙ୍କୁ ଗୁରୁତ୍ୱ ଦିଆଯିବା ଓ ନାଁ ଗାଁ ଶୁଣାନଥିବା ବ୍ୟକ୍ତିଙ୍କୁ ଟିକଟ ମିଳିବା ଏବେ ଉପକୂଳ ବିଜେଡି ସାଂସଦ, ବିଧାୟକମାନଙ୍କ ରକ୍ତଚାପ ବଢାଇ ଦେଇଛି।

ବିଜେଡି ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ୯ଟି ଲୋକସଭା କ୍ଷେତ୍ର ରହିଛି। କେବଳ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ବାଦ୍ ଦେଲେ ଅନ୍ୟ ୭ଟିରେ ନୂଆ ପ୍ରାର୍ଥୀ। ଏଠାରୁ ଜିଣିଥିବା ସମସ୍ତ ବିଜେଡି ସାଂସଦଙ୍କୁ ଟିକଟ ମିଳିନାହିଁ। ସୁନ୍ଦରଗଡ ଆସନଟି ବିଜେପି ହାତରେ ଥିଲେ ବି ଗତଥର ଏଠାରୁ ହାରିଥିବା ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ଟିକଟ ଦେଇନାହିଁ। ସବୁଠାରୁ ବଡ କଥା ହେଲା ଆସିକା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଷୋୟୀଙ୍କୁ ରାଜ୍ୟବାସୀ ତ ଦୂରରକଥା ସେହି ଜିଲ୍ଲାର ଅଧିକାଂଶ ବିଜେଡି ନେତା ବି ଜାଣି ନାହାନ୍ତି।
କେବଳ ୭ ସାଂସଦଙ୍କୁ ବାଦ୍ ଦେଇନି ବିଜେଡି, ଅନ୍ୟଦଳ ବିଶେଷକରି କଂଗ୍ରେସରୁ ଆସିଥିବା ପ୍ରାୟ ସବୁ ନେତାଙ୍କୁ ଟିକଟ ଦେଇ ନିଜ ଦଳର ନେତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ତାଲିକାରେ ଅଛନ୍ତି ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ୱାଳ। ସପ୍ତାହକ ତଳେ ବିଜେଡିକୁ ଆସି ସିଏ ଲୋକସଭା ଟିକଟ ନେଇ ଯାଇଛନ୍ତି। କଂଗ୍ରେସରୁ ଆସି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖର ସାହୁ। ତାଙ୍କ ଭଳି କଂଗ୍ରେସ ବିଧାୟକ ନବ ଦାସ ଓ ଯୋଗେଶ ସିଂହ ଟିକଟ ପାଇଥିବାବେଳେ କଂଗ୍ରେସର ବିରୋଧିଦଳ ନେତା ଥିବା ଭୂପିନ୍ଦରଙ୍କୁ ବିଧାନସଭା ଟିକଟ ମିଳିଛି। କଂଗ୍ରେସର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ବି ବିଜେଡି ଟିକଟ ପାଇଛନ୍ତି। ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ବି ଚର୍ଚ୍ଚାରେ।
ଏଭଳି ଅବସ୍ଥା ଦେଖିଲାପରେ ଉପକୂଳ ବିଜେଡି ନେତାଙ୍କ ରକ୍ତଚାପ ବଢିବାରେ ଲାଗିଛି। କିଏ ଟିକଟ ପାଇବ କିଏ ପାଇବ ନାହିଁ ତାହାକୁ ନେଇ ଅଙ୍କକଷା ଚାଲିଥିବାବେଳେ ଅନ୍ୟ ଦଳରୁ ବିଜେଡିକୁ ଡେଉଁଥିବା ନେତାଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ସେହିଭଳି ପ୍ରଥମ ଦଫାରେ ସାଂସଦ ଭାବେ ୩ ମହିଳାଙ୍କ ସମେତ ବିଧାନସଭାରେ ସଭାରେ ମଧ୍ୟ କେତେକ ନୂଆ ମୁହଁ ଦେଖିବାକୁ ମିଳିଛି। ତେଣୁ ଉପକୂଳ ଓଡିଶାରେ ବିଜେଡି କାହାକୁ କାଟିବ ଓ କାହାକୁ ରଖି ତାକୁ ନେଇ ଏବେ ଅଙ୍କକଷା ଚାଲିଛି।
ଉପକୂଳ ଓଡିଶା ବିଶେଷକରି କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର ଓ ପୁରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରାପଡାର ବିଜେଡି ସାଂସଦ ବୈଜୟନ୍ତ ଏବେ ବିଜେପି ପ୍ରାର୍ଥୀ ଭାବେ ଉଭା ହୋଇଥିବାବେଳେ କଟକ, ଜଗତ୍ସିଂହପୁର ଓ ପୁରୀ ସାଂସଦ ଟିକଟ ପାଇବା ନେଇ ସନ୍ଦେହରେ ଅଛନ୍ତି। ପ୍ରତିଦିନ ଏଠାରେ ନୂଆ ନୂଆ ବ୍ୟକ୍ତିଙ୍କ ନାମ ଚର୍ଚ୍ଚାକୁ ଆସୁଛି। ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡା। ଜିଲ୍ଲାର ବରିଷ୍ଠ ନେତା ବିଜୟ ମହାପାତ୍ର ବର୍ତ୍ତମାନ ସୁଦ୍ଧା ବିଜେପି କିମ୍ୱା ବିଜେଡିକୁ ଯାଇନଥିବାରୁ ତାଙ୍କ ଉପରେ ସମସ୍ତେ ସତର୍କ ଦୃଷ୍ଟି ରଖିଥିବାବେଳେ ବିଜେଡି ଏବେ ଜଣେ ସାଂସଦ ପ୍ରାର୍ଥୀ ଖୋଜିବାରେ ଲାଗିଛି। ସେହିଭଳି ଏହି ଚାରି ଜିଲାରୁ ମାତ୍ର ଜଣେ ମହିଳା ବିଧାନସଭାରେ ଥିବାବେଳେ ଏଥର ବିଜେଡି ଏଠାରୁ କାହା ଟିକଟ କାଟି କେଉଁ ମହିଳାଙ୍କୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର।