‘ଆୟୁଷ୍ମାନ ଭାରତ’ରେ ‘କରୋନା’ ଚିକିତ୍ସା
ନୂଆଦିଲ୍ଲୀ (ଓଟି): କୋଭିଡ୍-୧୯ ତଥା କରୋନା ମହାମାରୀ ଜନିତ ଚିକିତ୍ସା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମଣଜନିତ ଚିକତ୍ସାକୁ ଭାରତ ସରକାରଙ୍କ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବ। ଏ ସମ୍ପର୍କରେ ନ୍ୟାସନାଲ ହେଲ୍ଥ ଅଥରିଟି ନିଷ୍ପତ୍ତି ନେଇଛନ୍ତି। ଫଳରେ ଅତି ଗରିବ ଲୋକେ ଏହି ଯୋଜନା ଅଧୀନରେ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା କରାଇପାରିବେ।
ଏନ୍ଏଚ୍ଏର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଆୟୁଷ୍ମାନ ହିତାଧିକାରୀଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍ ଚୂଡ଼ାନ୍ତ କରାଯାଇଛି। ସେହି ଅନୁସାରେ ଏମ୍ପ୍ୟାନେଲ୍ ହୋଇଥିବା ହସ୍ପିଟାଲଗୁଡ଼ିକରେ କୋଭିଡ୍-୧୯ର ଚିହ୍ନଟ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହ ଭାଇରାଲ ଇନ୍ଫେକ୍ସନଜନିତ ଚିକିତ୍ସା ମଧ୍ୟ ଆୟୁଷ୍ମାନ ଭାରତ ଅଧୀନରେ ଆସିପାରେ ବୋଲି କୁହାଯାଉଛି। ଶ୍ୱାସ ପ୍ରଶ୍ୱାସ ପରି ଗୁରୁତର କ୍ଷେତ୍ରରେ ଆଇସିୟୁ ଦରକାର ପଡ଼ିଲେ ସେଥିପାଇଁ ମଧ୍ୟ ଅତିରିକ୍ତ ଭାବେ ପ୍ୟାକେଜ୍ ବ୍ୟବସ୍ଥା କରାଯିବାକୁ ଧାର୍ଯ୍ୟ ହୋଇଛି।