#କୋଭିଡ୍୧୯: ଦିଲ୍ଲୀ-ନିଜାମୁଦ୍ଦିନରୁ ବଢ଼ିଲା ଆଶଙ୍କା, ୨୪ ପଜିଟିଭ୍, ୯ ମୃତ

ନୂଆଦିଲ୍ଲୀ (ଓଟି): ଦିଲ୍ଲୀର ନିଜାମୁଦ୍ଦିନ୍‌ସ୍ଥିତ ମସଜିଦ୍‌ଠାରେ ଆୟୋଜିତ ଧାର୍ମିକ ସମାବେଶ ଫଳରେ ଶହଶହ ଲୋକଙ୍କୁ ମହାମାରୀ କରୋନା ସଂକ୍ରମଣ ହେବା ଆଶଙ୍କା ସୃଷ୍ଟି ହୋଇଛି। ସମସ୍ୟା ଏଭଳି ସୃଷ୍ଟି ହୋଇଛି ଯେ ଏହା ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି। ସମାବେଶ ବା ସମ୍ମିଳନୀକୁ ଯାଇଥିବା ୩୦୦ ଲୋକଙ୍କଠାରେ କରୋନା ସଂକ୍ରମଣଜନିତ ଲକ୍ଷଣ ଦେଖାଯିବା ପରେ ଏକ ପ୍ରକାର ଚିନ୍ତା ବଢ଼ିଯାଇଛି। ସମ୍ପ୍ରତି ସେମାନଙ୍କ ମଧ୍ୟରୁ ୩୫ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିବାବେଳେ ୯ ଜଣ ପ୍ରାଣ ହରାଇଥିବା ରିପୋର୍ଟ ରହିଛି।

ସୂଚନା ଅନୁସାରେ ସମ୍ପୃକ୍ତ ମସଜିଦ୍‌କୁ ସିଲ୍‌ କରାଯିବା ସହ ୮୫୦ ଜଣଙ୍କୁ ସହରର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଏ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସବିଶେଷ ସୂଚନା ଦେଇଛନ୍ତି। ଏହାକୁ ସେ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉକ୍ତ ମସଜିଦ୍‌ କର୍ତ୍ତୃପକ୍ଷଙ୍କ ନାମରେ ମାମଲା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ଶହଶହ ଜୀବନକୁ ବିପଦରେ ପକାଇଥିବା ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ନାମରେ ମାମଲା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମହାଆତଙ୍କ #କୋଭିଡ୍‌-୧୯ ତଥା କରୋନା ଭୟ ଲାଗି ସାମାଜିକ ଦୂରତା ଗାଇଡ୍‌ଲାଇନ୍‌କୁ ଅମାନ୍ୟ କରି ଶହଶହ ବ୍ୟକ୍ତି ଉକ୍ତ ୧୦୦ ବର୍ଷ ପୂରୁଣା ମସଜିଦ୍‌ ପରିସରରେ ରହୁଥିଲେ। ତାବଲିଗି ଜମାତ୍‌ ନାମକ ଏକ ଇସଲାମିକ୍‌ ମିଶନାରୀ ସଂଗଠନ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published.