#କରୋନା ଆତଙ୍କ: ଜାଣନ୍ତୁ ଦେଶର କେଉଁ ସ୍ଥାନରେ ସ୍ଥିତି ସଙ୍କଟ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ଥମୁନି। ସମସ୍ତ ସତର୍କତା ଓ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ଵେ ସଂକ୍ରମଣ ବଢ଼ିଚାଲିଥିବାରୁ ସାଧାରଣରେ ଭୟ ଲାଗି ରହିଛି। ଏଳଭି ସ୍ଥିତିରେ ଦେଶର ମୁମ୍ବାଇ, ପୁନେ, ଇନ୍ଦୋର, ଜୟପୁର, କୋଲକାତା ଏବଂ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ କରୋନା ସାଂଘାତିକି ପରିସ୍ଥିତି ସୃଷ୍ଟି କରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଲକ୍ଡାଉନ୍ କଟକଣା ଉଲ୍ଲଂଘନ କଲେ କରୋନା ଅଣାୟତ୍ତ ହୋଇଯିବାର ଆଶଙ୍କା ରହିଛି ବୋଲି ସତର୍କ କରାଇ ଦିଆଯାଇଛି।
ସୂଚନା ଅନୁସାରେ ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ବାଇ ଓ ପୁନେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗର କୋଲକାତା, ପୂର୍ବ ମେଦିନୀପୁର, ଉତ୍ତର ୨୪ ପ୍ରଗଣା, ଦାର୍ଜିଲିଂ, କଲିମପୋଙ୍ଗ୍ ଏବଂ ଜଲପାଇଗୁଡ଼ିର ପରିସ୍ଥିତି ଅତି ସଙ୍କଟାପନ୍ନ। ତେଣୁ ସମ୍ପୃକ୍ତ ସ୍ଥାନଗୁଡ଼ିକର ସ୍ଥିତି ସମୀକ୍ଷା ପୂର୍ବକ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କେନ୍ଦ୍ର ସରକାର ୬ଟି ଇଣ୍ଟର୍-ମିନିଷ୍ଟରିୟାଲ୍ ଟିମ୍ ଗଠନ କରିଛନ୍ତି। ସର୍ବସାଧାରଣଙ୍କ ବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ଟିମ୍ଗୁଡ଼ିକ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ସେହି ଅନୁସାରେ ସରକାର ଆଶୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ କରୋନା ତଥା କୋଭିଡ୍-୧୯ ସଂକ୍ରମିତଙ୍କୁ ପ୍ରତ୍ୟେକ୍ଷ ଭାବେ ସେବା କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ, ସାମାଜିକ ଦୂରତା ନିମୟର ପୂର୍ଣ୍ଣ ଉଲ୍ଲଂଘନ ଏବଂ ନଗରାଞ୍ଚଳରେ ଯାନବାହନ ଚଳାଚଳ କରିବା ଭଳି ଘଟଣା ତୁରନ୍ତ ବନ୍ଦ କରାଯିବା ଦରକାର ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଦିଆଯାଇଥିବା ଜଣାପଡ଼ିଛି।