କରୋନା କଲବଲ: ଶେୟାର କାରବାର ଘାଟା

ନୂଆଦିଲ୍ଲୀ(ଓଟି):  କରୋନା ଭାଇରସ୍ ବ୍ୟାପିବାକୁ ନେଇ ବିଶ୍ୱସ୍ତରରେ ଦେଖାଯାଇଛି ସଙ୍କଟ। ଏହା ଆନ୍ତର୍ଜାତୀୟସ୍ତରର ଅର୍ଥନୀତିକୁ ପ୍ରଭାବିତ କରିବାରେ ଲାଗିଛି। ସମ୍ପ୍ରତି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜଗୁଡିକରେ ବ୍ୟବସାୟ ହ୍ରାସ ପାଇଥିବା ବେଳେ ବିଗତ ଦୁଇଦିନ ଧରି ଭାରତୀୟ ଷ୍ଟକ୍ ବଜାର ମଧ୍ୟ ପ୍ରଭାବିତ ହୋଇଛି। ଚଳିତ ସପ୍ତାହର ପ୍ରଥମ କାରବାର ଦିବସ ଭାବେ ସୋମବାର ନିବେଶକାରୀମାନେ କେତେକ କ୍ଷେତ୍ରରୁ ସର୍ବାଧିକ ପୁଞ୍ଜି ପ୍ରତ୍ୟାହାର କରିନେବା ପରେ ବିଏସ୍‌ଇ ପ୍ରମୁଖ ସୂଚକାଙ୍କ ସେନ୍‌ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ସ୍ଥିତିରେ ପରିବର୍ତ୍ତନ ଘଟିଛି। ସେନ୍‌ସେକ୍ସ କାରବାରରେ ୦.୩୯ ପ୍ରତିଶତ ବା ୧୬୨ ପଏଣ୍ଟ ହ୍ରାସ ଘଟି କାରବାର ଶେଷ ବେଳକୁ ଏହା ୪୦,୯୮୦ ପଏଣ୍ଟରେ ବନ୍ଦ ରହିଥିବା ଜଣାପଡ଼ିଛି। ନିଫ୍ଟିରେ ୬୭ ପଏଣ୍ଟ ହ୍ରାସ ସହ ୧୨,୦୩୨ ପଏଣ୍ଟରେ ବନ୍ଦ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ନିବେଶକାରୀଙ୍କ ଉତ୍ସାହକୁ ନେଇ ଷ୍ଟକ୍ ବଜାରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏହାକୁ ନେଇ ପ୍ରମୁଖ ୧୦ କମ୍ପାନୀଙ୍କ ମଧ୍ୟରୁ ୮ଟି କମ୍ପାନୀର ବଜାର ପୁଞ୍ଜି ସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବା ସହିତ ସେମାନଙ୍କ ମୋଟ ବଜାର ପୁଞ୍ଜିରେ ଅନ୍ୟୂନ ୧,୫୭,୨୭୦.୮ କୋଟି ଟଙ୍କା ବୃଦ୍ଧି ଘଟିଥିଲା। ରିଲାଏନ୍ସର ବଜାର ପୁଞ୍ଜିରେ ୩୧,୯୮୧ କୋଟି ଟଙ୍କା ବୃଦ୍ଧି ଘଟି ଏହାର ମୋଟ ବଜାର ପୁଞ୍ଜି ପରିମାଣ ୯,୦୮,୮୮୮.୦୨ କୋଟି ଟଙ୍କାରେ ପହଞ୍ଚିଥିଲାବେଳେ ଅନ୍ୟାନ୍ୟ ପ୍ରମୁଖ କମ୍ପାନୀ ମଧ୍ୟରେ ଏଚ୍‌ଡିଏଫସି ବ୍ୟାଙ୍କର ବଜାର ପୁଞ୍ଜିରେ ୨୩,୫୦୩.୩୫ କୋଟି ବୃଦ୍ଧି ଘଟି ୬,୮୦,୩୯୧.୮୫ କୋଟି, ଏଚ୍‌ଡିଏଫ୍‌ସି ୨୩,୩୮୫.୦୫ କୋଟି ବୃଦ୍ଧିରେ ୪,୧୬,୦୦୩.୧୯, ଭାରତୀ ଏୟାରଟେଲ୍‌ର ୨୩,୦୪୯.୭୨ କୋଟି ବୃଦ୍ଧିରେ ୨,୯୪,୩୮୧.୮୭ କୋଟି, ଆଇସିଆଇସିଆଇ ବ୍ୟାଙ୍କର ୨୦,୬୭୬.୧୬ କୋଟି ବୃଦ୍ଧିରେ ମୋଟ ପୁଞ୍ଜି ୩,୪୭,୦୮୬.୫୩ କୋଟି, ହିନ୍ଦୁସ୍ତାନ ୟୁନିଲିଭରର ୧୮,୬୧୭.୩୮ କୋଟି ବୃଦ୍ଧିରେ ମୋଟ ପୁଞ୍ଜି ୪,୬୭,୫୧୨.୮୧ କୋଟି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ୧୫,୪୮୪.୨  କୋଟି ବୃଦ୍ଧିରେ ୨,୮୬,୦୩୩.୮୦ କୋଟି ପହଞ୍ଚିଥିଲା। ଏହାକୁ ନେଇ ବଜାର ମଧ୍ୟ ଉତ୍ସାହିତ ରହିଥିଲା । ତେବେ କରୋନାଭାଇରସ୍ ସଂକ୍ରମଣ ଏବେ ବିଶ୍ୱ ଷ୍ଟକ୍ ବଜାରକୁ ପ୍ରଭାବିତ କରିଥିଲା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ଉତ୍କଟ ହୋଇପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *