#କୋଭିଡ୍-୧୯: ଶୁକ୍ରବାର ୧୫ ସଂକ୍ରମିତ ଚିହ୍ନଟ, ଓଡ଼ିଶାରେ ସଂଖ୍ୟା ୨୦କୁ ବୃଦ୍ଧି
ଭୁବନେଶ୍ଵର (ଓଟି): ମହାମାରୀ କରୋନା ଓଡ଼ିଶା ପାଇଁ ଆଜି ବଡ଼ ଆତଙ୍କ ଖେଳାଇବାରେ ଲାଗିଛି। ଦିନକରେ ୧୫ ଜଣ ପଜିଟିଭ୍ ଚିହ୍ନଟ ହେବା ଫଳରେ ସାଧାରଣ ଜନତାଙ୍କଠୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଶୁକ୍ରବାର ପ୍ରଥମେ କଟକରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ରାଜ୍ୟରେ ମୋଟ ସଂଖ୍ୟା ୬ରେ ପହଞ୍ଚି ଥିଲା। କିନ୍ତୁ ସନ୍ଧ୍ୟାବେଳକୁ ବମିଖାଲ ଅଞ୍ଚଳରେ ୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟର ସଂକ୍ରମିତ ସଂଖ୍ୟା ୯କୁ ବୃଦ୍ଧି ପାଇଥିଲା। ତେବେ ଶୁକ୍ରବାର ରାତି ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ି ଯାଇଥିଲା। ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଉ ୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଶୁକ୍ରବାର ମୋଟ ୧୫ ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।
ସୂଚନା ଅନୁସାରେ ନୂଆ ୧୧ ଜଣଙ୍କ ମଧ୍ୟରେ ରହିଛନ୍ତି ପୁରୀ ଓ ଯାଜପୁର ଜଣେ ଲେଖାଏଁ ପଜିଟିଭ। ସେହିପରି ଭଦ୍ରକରେ ୨ ଜଣ ଏବଂ ଭୁବନେଶ୍ଵର-ସୂର୍ଯ୍ୟନଗରର ସଂକ୍ରମିତ ପ୍ରଦୀପ୍ତ ଦଳବେହେରାଙ୍କ ୭ ଜଣ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି।