କୋବିଡ୍-୧୯: ଥମୁନି ଆତଙ୍କ, ୧୭ଶହ ମୃତକ
ନୂଆଦିଲ୍ଲୀ(ଓଟି): ଚୀନ୍ରୁ ସୃଷ୍ଟ ଭୂତାଣୁ ସାରା ବିଶ୍ଵକୁ ଆତଙ୍କିତ କରିଦେଇଛି। ୨୪ ଘଣ୍ଟାର ବ୍ୟବଧାନରେ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି କୋଭିଡ-୧୯ ବା କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୧୭୦୦ ଛୁଇଁଥିବା ଜଣାପଡ଼ିଛି। ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିଶନ ସୂଚନା ଅନୁସାରେ କେବଳ ରବିବାର ୨୦୦୯ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଥିବାବେଳେ ବିଶ୍ଵବ୍ୟାପୀ ଆଉ ୧୪୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷରେ ଚୀନ୍ ବ୍ୟତୀତ ୫୦୦ ସଂକ୍ରମିତଙ୍କୁ ବିଶ୍ଵର ଅନ୍ୟ ୩୦ଟି ଦେଶରେ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ସେ ମଧ୍ୟରେ ଫ୍ରାନ୍ସ, ହଂକଂ, ଫିଲିପାଇନ୍ସ ଓ ଜାପାନରେ ଜଣେ ଲେଖାଏଁ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ଦିନକ ପୂର୍ବରୁ କରୋନା ସଂକ୍ରମଣ ରୋକିବାରେ ଦେଶର ସ୍ୱାସ୍ଥ୍ୟ ବିଭାଗର ତତ୍ପରତାରେ ତ୍ରୁଟି ରହିଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସ୍ୱୀକାର କରିଥିବାବେଳେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ହୁବେଇ ପ୍ରଦେଶର ୫୬ ନିୟୁତ ଲୋକଙ୍କୁ ଅଲଗା ରଖି ଚିକିତ୍ସା କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ଜୀ କହିଛନ୍ତି ଯେ ଭୂତାଣୁ ସଂକ୍ରମଣ ହେବା ନେଇ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଛି। ଏଥିସହ ଆବଶ୍ୟକ ସମସ୍ତ ନିରାକରଣ ଓ ସତର୍କମୂଳକ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।