୪ ରାଷ୍ଟ୍ର ପାଇଁ ଭିସା ବାତିଲ୍
ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍ ପ୍ରକୋପକୁ ଦୃଷ୍ଟିରେ ରଖି ଭାରତ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଇଟାଲି, ଇରାନ, ଜାପାନ ଓ ଦକ୍ଷିଣ କୋରିଆ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଦିଆଯାଇଛି। ସୂଚନାଯୋଗ୍ୟ ଯେ ଇରାନର ବରିଷ୍ଠ ନେତା ଅୟାତୋଲା ଖାମେନେଇଙ୍କ ପରାମର୍ଶଦାତା ମହମ୍ମଦ ମୀରମୋହମ୍ମଦୀଙ୍କ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି। ଏଭଳି ସନ୍ଧିକ୍ଷଣରେ ଭାରତ ସରକାର ଗୁରୁତ୍ଵର ସହ ସ୍ଥିତିକୁ ଅନୁଧ୍ୟାନ କରିବା ପୂର୍ବକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ ପରେ କରୋନା ଭାଇରସରେ ଇରାନରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ଭୂତାଣୁର ପ୍ରଭାବ ବ୍ୟାପିଚାଲିଛି ଏବଂ ବଢ଼ିବାରେ ଲାଗିଛି। ଇରାନରେ ୬୬ ଜଣଙ୍କ ମୃତ୍ୟୁ ଘଟିଥିବାବଳେ ୧୦୫୧ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ଇରାନ ସରକାର ନିଜ ନାଗରିକଙ୍କ ସମେତ ଫେବୃଆରୀ ପହିଲା ପରେ ଇରାନ ଯାତ୍ରା ପାଇଁ ବିଦେଶୀ ନାଗରିକଙ୍କୁ ଜାରି କରିଥିବା ଭିସା/ଇ-ଭିସା ଆଦି ବାତିଲ କରିଦେଇଛନ୍ତି।
ଅନ୍ୟପକ୍ଷରେ ଇରାନରେ ବହୁ ସଂଖ୍ୟାରେ ଭାରତୀୟମାନେ ଫସି ରହିଥିବା ଜଣାପଡ଼ିଛି। ସେ ମଧ୍ୟରେ ଛାତ୍ର, ମତ୍ସଜୀବୀ ଓ ତୀର୍ଥଯାତ୍ରୀ ପ୍ରମୁଖ ସାମିଲ ଅଛନ୍ତି। ସେମାନେ ସ୍ୱଦେଶ ଫେରିବାକୁ ଆଗ୍ରହ ପ୍ରକାଶ କରୁଥିବା ଜଣାପଡ଼ିଛି। ଏଥିପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ମଧ୍ୟ ହେଉଛି।