କରୋନା ଆତଙ୍କ: ସୁରାଟ ହୀରା ବଜାର ପ୍ରଭାବିତ

ନୂଆଦିଲ୍ଲୀ(ଓଟି): କରୋନା ଭାଇରସ୍ ବ୍ୟାପିବାକୁ ନେଇ ସାରା ବିଶ୍ଵରେ ଆତଙ୍କ ଦେଖାଦେଇଛି। ଏହାରି ଆନ୍ତର୍ଜାତିକସ୍ତରରେ ବିଭିନ୍ନ କ୍ଷେତ୍ର ପ୍ରଭାବିତ ମଧ୍ୟ ହେବାରେ ଲାଗିଛି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଯୋଗୁ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ଫଳରେ ଆନ୍ତର୍ଜାତିକସ୍ତରରେ ପେଟ୍ରୋଲିୟମ ଚାହିଦା କମିବା ସହ ବିଶ୍ୱ ଅର୍ଥନୀତି ମଧ୍ୟ କେତେକାଂଶରେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ  ଭାରତର ପ୍ରମୁଖ ହୀରା ମଣ୍ଡି ଭାବେ ପରିଚିତ ସୁରାଟ ବଜାରରେ ୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ସାଧାରଣତଃ ସୁରାଟରୁ ବିଶ୍ୱର ବିଭିନ୍ନ ଭାଗକୁ ହୀରା ରପ୍ତାନି କରାଯାଉଥିଲେ ମଧ୍ୟ ହଂକଂ ହେଉଛି ସବୁଠାରୁ ବଡ଼ ବଜାର। ହଂକଂର ଜୁଏଲାରୀ ବଜାରରେ ସୁରାଟ ହୀରାର ଖୁବ୍‌ ଚାହିଦା ରହିଛି। କିନ୍ତୁ କରୋନା ଭାଇରସ୍ ବ୍ୟାପିବା ଯୋଗୁ ହଂକଂରେ ‘ଷ୍ଟେଟ୍ ଅଫ୍ ଇମର୍ଜେନ୍ସି’ ଜାରି କରାଯାଇଛି। ସେହିପରି ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ୍ ବନ୍ଦ କରିଦିଆଯାଇଛି ଏବଂ ବଜାର ଆଦି ବନ୍ଦ ରହିଛି।  ଫଳରେ ସୁରାଟରୁ ହଂକଂକୁ ହେଉଥିବା ନିୟମିତ ହୀରା ରପ୍ତାନି ମଧ୍ୟ ବନ୍ଦ ହୋଇଯିବା ଆଶଙ୍କା ଉପୁଜିଛି।

ରତ୍ନପଥର ଓ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦ(ଜିଜେଇପିସି)ର ଅଧ୍ୟକ୍ଷ ଦୀନେଶ ନାଭାଦିୟାଙ୍କ କହିବା ଅନୁସାରେ ପ୍ରତି ବର୍ଷ ସୁରାଟରୁ ହଂକଂକୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ପଲିସ୍‌ଡ ଡାଇମଣ୍ଡ ରପ୍ତାନି କରାଯାଇଥାଏ। ଏହା ଭାରତରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ହେଉଥିବା ମୋଟ ହୀରା ରପ୍ତାନିର ୩୭ ପ୍ରତିଶତ।  କିନ୍ତୁ କରୋନା ସଂକ୍ରମଣକୁ ନେଇ ହଂକଂରେ ବ୍ୟବସାୟ କରୁଥିବା ଗୁଜରାଟି ବ୍ୟବସାୟୀମାନେ ଭାରତ ଫେରିଆସିଥିବା ବେଳେ ସେଠାକାର ପରିସ୍ଥିତି ମଧ୍ୟ ଜଟିଳ ରହିଥିବାରୁ ଆଗାମୀ ଦୁଇମାସ ପାଇଁ ହୀରା ରପ୍ତାନି ବାଧାପ୍ରାପ୍ତ ହେବ। ଫଳରେ ମାର୍ଚ୍ଚ ମାସ ସୁଦ୍ଧା ସୁରାଟ ହୀରା ଶିଳ୍ପ କ୍ଷେତ୍ରର ପ୍ରାୟ ୮ ହଜାର କୋଟି ଟଙ୍କା କ୍ଷତି ହେବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆସନ୍ତା ମାର୍ଚ୍ଚରେ ହଂକଂରେ ଆନ୍ତର୍ଜାତିକ ଜୁଏଲାରୀ ପ୍ରଦର୍ଶନୀ ହେବାକୁ ସ୍ଥିର କରାଯାଇଥିଲା। ହେଲେ ଏହାକୁ ବାତିଲ କରିଦିଆଯାଇଥିବାରୁ ଭାରତୀୟ ହୀରା ବ୍ୟବସାୟୀଙ୍କ ସମେତ ଅଳଙ୍କାର ବ୍ୟବସାୟୀ ମଧ୍ୟ କ୍ଷତି ସହିବେ ବୋଲି କୁହାଯାଇଛି। ଏସବୁ ବ୍ୟତୀତ ଆନ୍ତର୍ଜାତିକ ବିମାନ କମ୍ପାନୀଙ୍କ କ୍ଷତି ମଧ୍ୟ ଦିନକୁ ଦିନ ବଢିବ ବୋଲି ଆକଳନ କରାଯାଇଛି। ବ୍ରିଟିଶ୍ ଏୟାରୱେଜ୍‌, ଲୁପ୍‌ଥାନ୍ସା ଏୟାରୱେଜ୍‌, ଆମେରିକାନ୍ ଏୟାରଲାଇନ୍ସ, ୟୁନାଇଟେଡ୍ ଏୟାରଲାଇନ୍ସ, ସ୍ୱିଜ୍ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏବଂ ଅଷ୍ଟ୍ରିଆନ୍ ଏୟାରଲାଇନ୍ସ ଭଳି ବିଶ୍ୱର ବହୁ ପ୍ରମୁଖ ବିମାନସେବା କମ୍ପାନୀ ଚୀନ୍ , ହଂକଂ ସମେତ ଅନ୍ୟ କେତେକ ରାଷ୍ଟ୍ରକୁ ସେମାନଙ୍କ ଉଡାଣ ବାତିଲ କରିଥିବାରୁ ପର୍ଯ୍ୟଟନ ଶିଳ୍ପ ସମେତ ଏଥିସହ ସମ୍ପୃକ୍ତ କାରବାର ମଧ୍ୟ ଦ୍ରୁତ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *