ଅଦୃଶ୍ୟ କରୋନାର ଉଠିଲା ଫଟୋ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ବା କୋବିଡ୍-୧୯। ଘାତକ ହୋଇଛି ବିଶ୍ଵ ପାଇଁ। ବିନାଶ କରୁଛି ମାନବ ପ୍ରାଣ। କିନ୍ତୁ କୋଉଠି ସେ ? କିଭଳି ତା ସ୍ଵରୂପ? ନାଲି-ନେଳି-କଳାଧଳା … କେମିତି ତା ରଙ୍ଗ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ। ତବେ ଭାରତୀୟ ବିଶେଷଜ୍ଞ ଏହି ଅଦୃଶ୍ୟ ଭୂତାଣୁର ଛବି ଉତ୍ତୋଳନ କରିପାରିଛନ୍ତି। ମାଇକ୍ରୋସ୍କୋପ୍ ଇମେଜ୍ରେ ଦେଖନ୍ତୁ କେମିତି ଦେଖାଯାଉଛି ମହାଘାତକ #କରୋନା ବା #କୋବିଡ୍-୧୯..
ସୂଚନା ଅନୁସାରେ ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍ରୁ ମାଇକ୍ରୋସ୍କୋପ୍ ଜରିଆରେ ଏହି ଫଟୋ ଉଠାଯାଇଛି। ମାଇକ୍ରୋସ୍କୋପିଂ ଫଟୋଟି ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ସଦ୍ୟ ସଂସ୍କରଣରେ ପ୍ରକାଶିତ ହୋଇଛି।
ଜାଣିବା ଜରୁରୀ
ଏହି ମହାମାରୀ ଭାଇରସ୍ ବା ଭୂତାଣୁର ପ୍ରକୃତ ନାମ ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରି ସିଣ୍ଡ୍ରୋମ୍ କରୋନା ଭାଇରସ୍-୨ ବା ସାର୍ସ-କୋଭ୍-୨। ନୋଭେଲ୍ କରୋନା ଭାଇରସ୍ ନାମରେ ବିଶ୍ଵରେ ଚର୍ଚ୍ଚା। ଭାରତରେ ଜାନୁଆରୀ ୩୦ରେ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ଚାଇନାର ଉହାନ୍ରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ୍ ସାରା ବିଶ୍ୱକୁ ମୃତ୍ୟୁ ମୁହଁକୁ ଠେଲି ଦେଇଛି।