#IndiaFightsWithCorona: ତୃତୀୟ ଷ୍ଟେଜ୍ରେ ପହଞ୍ଚିନି ଦେଶ
ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍ ତଥା କୋଭିଡ୍-୧୯ ବିରୋଧରେ ଦେଶ ଲଢ଼େଇ ଜାରି ରଖିଛି। ସରକାର ତ୍ଵରିତ୍ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏପରିକି ଦେଶ ଦ୍ଵିତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଗତି କରୁଛି। ଏଭଳି ସ୍ଥିତିରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ନିଶ୍ଚିତ ଚିନ୍ତାର ବିଷୟ କିନ୍ତୁ ଦେଶରେ ତୃତୀୟ ଷ୍ଟେଜରେ ପହଞ୍ଚି ନାହିଁ କରୋନା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି।
ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ବର୍ଦ୍ଧନ କହିଛନ୍ତି ଯେ ଦେଶରେ ସାଢ଼େ ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଲାଣି । ଏହାସହ ତାଲାବନ୍ଦ ନିଷ୍ପତ୍ତି ଦେଶବାସୀଙ୍କୁ ଫାଇଦା ଦେଇଛି। ଅନ୍ୟପକ୍ଷରେ ପରୀକ୍ଷାରେ ନୂଆ ରଣନୀତି ଗ୍ରହଣ କରାଯାଇଛି। ତେଣୁ ତ୍ରୁଟିଯୁକ୍ତ ଟେଷ୍ଟ କିଟ୍କୁ ତୁରନ୍ତ ପ୍ରତ୍ୟାହାର କରାଯିବ। ଦେଶରେ ୩୫୦ଲ୍ୟାବରେ ପରୀକ୍ଷା ଚାଲିଥିବାବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ବରଦାସ୍ତ କରାଯିବନି। ସେହିପରି କରୋନା ପାଇଁ ପର୍ଯ୍ୟାପ୍ତ ଭେଣ୍ଟିଲେଟରର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ଦେଶରେ ପିପିଇ କିଟ୍ ଓ ଏନ୍-୯୫ ମାସ୍କ ପ୍ରସ୍ତୁତ ଚାଲିଛି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସ୍ୟାଂ ୭୧୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୭୭କୁ ବୃଦ୍ଧି ପାଇଥିବାବେଳେ ଦେଶର ୪ହଜାର ୭୪୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୭ହଜାର ୬୧୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଗତ ୨୪ଘଣ୍ଟାରେ ୧୬୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ମନ୍ତ୍ରୀ ସୂଚାଇଛନ୍ତି।