ବିଶ୍ଵାତଙ୍କ ‘କୋବିଡ୍-୧୯’: ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ(ଓଟି): ମାରାତ୍ମକ ଭୂତାଣୁ ନେଇସାରିଲାଣି ଅନେକ ଜୀବନ। ତେବେ ବ୍ୟାପୀ ଚାଲିଛି ବିଶ୍ଵର ୩୦ଟି ଦେଶକୁ। ଦିନକୁ ଦିନ ବଢ଼ିଚାଲିଛି ମୃତକ ସଂଖ୍ୟା। ଫଳରେ ଏହା ପାଲଟିଯାଇଛି ବିଶ୍ଵ ଆତଙ୍କ। ଚୀନ୍‌ରୁ ସୃଷ୍ଟ ଏହି ଭାଇରସ୍‌ରେ ୧୭୭୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଥିବାବେଳେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ବିଶ୍ଵର ଅନେକ ଦେଶ ଆକଳନ କରୁଛନ୍ତି। ଅନ୍ୟପକ୍ଷରେ ୭୦ ହଜାର ଅତିକ୍ରମ କରିଛି ସଂକ୍ରମିତଙ୍କ ରୋଗୀ ସଂଖ୍ୟା।

ଗତ ୨୪ ଘଣ୍ଟା ମଧ୍ୟରେ କୋବିଡ୍‌-୧୯ ବା କରୋନା ୧୦୫ ଜଣଙ୍କ ମୁଣ୍ଡ ନେଇଛି। ସେ ମଧ୍ୟରେ କେବଳ ଚୀନ୍‌ର ହୁବେଇରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଖାଲି ସେତିକି ନୁହେଁ ସେହି ସମୟ ମଧ୍ୟରେ ଆହୁରି ୨,୦୪୮ ଜଣ ଆକ୍ରାନ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଶେଷ ସୂଚନା ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୫୪୮ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ରୋଗୀ ସଙ୍କଟାପନ୍ନ ରହିଛନ୍ତି। ପରିସ୍ଥିତି ଏପରି ଯେ ହୁବେଇରେ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି।

ଅନ୍ୟପକ୍ଷରେ ଏକ ନୂତନ ଚିକିତ୍ସା ପଦ୍ଧତି ଦ୍ଵାରା ହଜାର ହଜାର ଲୋକଙ୍କୁ କରୋନା କବଳରୁ ବଞ୍ଚାଇ ଦେଇଥିବା ଚୀନ୍‌ ଡାକ୍ତରମାନେ ଦାବି କରିଛନ୍ତି। ଏହା ଯଦି ସତ ହୋଇଥାଏ ତେବେ ସାରା ବିଶ୍ଵ ପାଇଁ ନିଶ୍ଚିତ ଆଶ୍ଵସ୍ତିର ବିଷୟ ବୋଲି ବିଭିନ୍ନ ଦେଶର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *