#କୋଭିଡ୍-୧୯: ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୋଦୀ
ନୂଆଦିଲ୍ଲୀ (ଓଟି): ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ। କେନ୍ଦ୍ର ସରକାର ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେବା ଫଳରେ ସ୍ଥିତି ଅନ୍ୟ ତୁଳନାରେ ନିୟନ୍ତ୍ରଣରେ ରହିଛି। ସେହିପରି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏନେଇ ସଜାଗ ଓ ସତର୍କ ରହିଛନ୍ତି। କରୋନା ମୁକାବିଲା ପାଇଁ ଖୁବ୍ ତତ୍ପରତା ପ୍ରକାଶ କରିଛନ୍ତି। ତେବେ କେମିତି ରହିଛି ସ୍ଥିତି ଓ କିଭଳି ନିଆଯାଉଛି ପଦକ୍ଷେପ? ଏ ନେଇ ସବିଶେଷ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍-୧୯ ତଥା କରୋନା ମୁକାବିଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି।
ସୂଚନା ଅନୁସାରେ ସାରାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏନେଇ ବିସ୍ତୃତ ଆଲୋଚନା କରିଥିଲେ ଶ୍ରୀ ମୋଦୀ। ଏଥିସହ ୨୧ଦିନିଆ ଲକ୍ଡାଉନ୍ ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ବିଚାର କରାଯାଇଥିଲା। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବାରୁ ସମସ୍ୟାକୁ ଗମ୍ଭୀର ଭାବେ ନିଆଯାଇଥିଲା। ସୂଚନାଯୋଗ୍ୟଏହା ପୂର୍ବରୁ ମାର୍ଚ୍ଚ ୨୦ରେ ପ୍ରଧାନମନ୍ତ୍ରୀ ଅନୁରୂପ ଭାବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। କରୋନା ମୁକାବିଲା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରାଯିବା ସହ ସେତେବେଳେ ମଧ୍ୟ ସମସ୍ତ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ମୋଦୀ ନିବେଦନ କରିଥିଲେ।