କୋବିଡ୍-୧୯: ଜାପାନ ଜାହାଜରେ ଫସିଛନ୍ତି ଓଡ଼ିଆ
ନୂଆଦିଲ୍ଲୀ(ଓଟି): ଜାପାନ ଉପକୂଳରେ ଲାଗିଥିବା କ୍ରୁଜ୍ ସିପ୍ ଡାଇମଣ୍ଡ ପ୍ରିନ୍ସେସ୍ରେ କୋବିଡ୍-୧୯ ବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୫ ଛୁଇଁଛି। କେବଳ ଗତ ମଙ୍ଗଳବାର ୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ସେହି କରୋନା କ୍ରିଟିକାଲ୍ ପରିଧି ମଧ୍ୟରେ ଜଣେ ଓଡ଼ିଆ ଯୁବକ ମଧ୍ୟ ଫସି ରହିଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ପନ୍ଦରାସାହିର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ। ତାଙ୍କର ରକ୍ତ ନମୁନା ପରୀକ୍ଷାରେ ନେଗେଟିଭ୍ ଆସିଥିବା ସୂଚନା ମିଳିଛି କିନ୍ତୁ ସେ ୧୫ ଦିନ ଫସିରହିଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଜାହାଜରେ ଫସିଥିବା ୧୬୦ ଭାରତୀୟଙ୍କ ମଧ୍ୟରେ ଶିବାଶିଷ ଜଣେ। ତାଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଶିବାଶିଷଙ୍କ ପରିବାର।
ଶିବାଶିଷଙ୍କ ମା-ବାପା କହିଛନ୍ତି ଯେ ଉକ୍ତ ଜାହାଜରୁ ଆମେରିକୀୟ ନାଗରିକଙ୍କୁ ତାଙ୍କ ସରକାର ଉଦ୍ଧାର କରିଥିବା ବେଳେ ୧୬୦ଜଣ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ପଦକ୍ଷେପ ନେଇନାହାନ୍ତି। ଏନେଇ ୱାଟସଅପ୍ ଜରିଆରେ ସେମାନେ ତାଙ୍କ ପୁଅଠାରୁ ସୂଚନା ପାଇଥିଲେ। ଏଥିସହ ତାଙ୍କ ପୁଅ ୧୫ଦିନ ହେଲା ଭୋକଉପାସରେ ଜାହାଜରେ ପଡ଼ିରହିଥିବା ସେମାନେ ପ୍ରକାଶ କରିଛନ୍ତି।
ନିୟନ୍ତ୍ରଣକୁ ଆସୁଛି ସ୍ଥିତି: ଚୀନ୍
ଚୀନ୍ରେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ସରକାରୀ ଭାବେ କୁହାଯାଉଛି। ୮.୨ ପ୍ରତିଶତ ହାରରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବାବେଳେ ସମ୍ପ୍ରତି ୧୨ ହଜାର ସୁସ୍ଥ ହୋଇଫେରିଥିବା ଚୀନ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହୁବେଇ ପ୍ରଦେଶର ରାଜଧାନୀ ଉହାନରେ ହିଁ ହେଉଛି କରୋନା ଭାଇରସ୍ ଉତ୍ପତିସ୍ଥଳ। ଚୀନ ବିଶେଷଜ୍ଞଙ୍କ ସ୍ଵୀକାର ଅନୁସାରେ ଉହାନର ମାଛ ମାର୍କେଟ୍ ନିକଟ ଏକ ସରକାରୀ ରିସର୍ଚ୍ଚ ଲ୍ୟାବରୁ ହିଁ କରୋନା ଭାଇରସ୍ ସୃଷ୍ଟି ହୋଇଛି। ଉହାନ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲରେ ଏଭଳି ଭାଇରସର ଜନ୍ମ ହୋଇଥାଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଉକ୍ତ ସରକାରୀ ଲ୍ୟାବରେ ୬୦୫ଟି ବାଦୁଡ଼ି ରଖାଯାଇଥିଲା। ସେହି ବାଦୁଡ଼ି ମାଧ୍ୟମରେ ହିଁ କରୋନା ଭାଇରସ୍ ବ୍ୟାପୀଥିବା ଅନୁମାନ କରାଯାଉଛି।