କୋବିଡ୍-୧୯: ଫେବ୍ରୁଆରୀ ୧୯ରେ ମୃତ୍ୟୁ ସଂଖ୍ୟା ୨୦ଶହ ପାର୍
ନୂଆଦିଲ୍ଲୀ(ଓଟି): ଚୀନ ସରକାର କହୁଛନ୍ତି କରୋନା ପରିସ୍ଥିତିରେ ସୁଧାର ଆସୁଛି। ସ୍ଥିତି ନିୟନ୍ତ୍ରଣ ଆଡକୁ ଆସିଛି। ୧୨ ହଜାର ଲୋକ ସୁସ୍ଥ ହୋଇସାରିଲେଣି। ତେବେ ମାରାତ୍ମକ ଭାଇରସ୍ ଯୋଗୁ ମୁତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କୋବିଡ୍-୧୯ ବା କରୋନା ଆକ୍ରାନ୍ତରେ ୧୩୬ ଜଣ ଲୋକଙ୍କ ମୃତ୍ୟୁ ଘଟିବା ଫଳରେ ଫେବ୍ରୁଆରୀ ୧୯ ବେଳକୁ ମୃତକଙ୍କ ସଂଖ୍ୟା ୨୦ଶହ (୨ହଜାର) ପାର୍ କରିଗଲାଣି। ଚୀନ୍ ବାହାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ଟି ରାଷ୍ଟ୍ରରେ ଆତଙ୍କ ଖେଳିଯାଇଛି।
ଚୀନ ସରକାରଙ୍କ ସୂତ୍ରରୁ ସୂଚନା ଅନୁଯାୟୀ ସୋମବାର ଅପେକ୍ଷା ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା। ସୋମବାର ହୁବେଇରୁ ୧୮୦୭ ଓ ମଙ୍ଗଳବାର ୧୬୯୩ ଆକ୍ରାନ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ମୋଟ ୭୪,୧୮୫ ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ତେବେ ସେ ମଧ୍ୟରେ ୧୦ ହଜାରରୁ ଅଧିକ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହୋଇଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ବଢ଼ିଛି। ସୋମବାର ୯୩ ଜଣ ଓ ମଙ୍ଗଳବାର ୧୩୬ ଜଣ ପ୍ରାଣ ହରାଇଛନ୍ତି।
ସେପଟେ ଜାପାନ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ୧୫ଦିନ ହେଲା ଡାଇମଣ୍ଡ ପ୍ରିନ୍ସେସ୍ ଜାହାଜକୁ ସମସ୍ତଙ୍କଠାରୁ ଅଲଗା କରି ୟୋକୋହାମ ବନ୍ଦରରେ ରଖାଯାଇଛି। ସେଥିରେ ୫୪୫ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ନିଜ ଦେଶର ନାଗରିକଙ୍କୁ ଆମେରିକା ଉଦ୍ଧାର କରିନେଇଛି। ଗୁରୁତ୍ଵର ବିଷୟ ଯେ ସେଥିରେ ୧୬୦ ଭାରତୀୟ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଇଞ୍ଜିନିୟର ଫସିରହିଛନ୍ତି।
ବିଶ୍ଵବ୍ୟାପୀ ‘କରୋନା’ ଆତଙ୍କ ଓ ଆକ୍ରାନ୍ତ ଦୃଶ୍ୟ
ଚୀନରେ କରୋନା ୨୦୦୪ ଜଣଙ୍କ ଜୀବନ ନେଇସାରିଛି। ଆଉ ଏହି ମାରାତ୍ମକ ଭୂତାଣୁରେ ୭୪,୧୮୮ ଜଣ ଆକ୍ରାନ୍ତ ହୋଇଛନ୍ତି। ହଂକଂରେ ୬୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜାପାନରେ ୬୧୪ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ଜଣଙ୍କ ମୁଣ୍ଡ ଯାଇଛି। ତାଇୱାନରେ ୨୨ ଜଣ ଆକ୍ରାନ୍ତ ଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ରାନ୍ସରେ ୧୨ ଜଣ ଆକ୍ରାନ୍ତ ଓ ଜଣେ ପ୍ରାଣ ହରାଇଥିବାବେଳେ ଫିଲିପାଇନ୍ସରେ ୩ ଜଣ ଆକ୍ରାନ୍ତ ଓ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ୧୫ ଜଣ ଆକ୍ରାନ୍ତ ଥିବାବେଳେ ଚୀନ୍ରେ ଜଣେ ଆମେରିକୀୟ ନାଗରିକ ପ୍ରାଣ ହରାଇଛନ୍ତି।
ଆକ୍ରାନ୍ତଙ୍କ ମଧ୍ୟରେ ଭାରତରେ ୩, ମକାଓରେ ୧୦, ସିଙ୍ଗାପୁରରେ ୮୧, ଥାଇଲ୍ୟାଣ୍ଡ ୩୫, ଦକ୍ଷିଣ କୋରିଆରେ ୪୬, ମ୍ୟାଲେସିୟାରେ ୨୨, ଭିଏତନାମରେ ୧୬, ଜର୍ମାନୀରେ ୧୬, ଅଷ୍ଟ୍ରେଲିଆରେ ୧୪, ବ୍ରିଟେନରେ ୯, ୟୁଏଇରେ ୯, କାନାଡାରେ ୮, ରୁଷରେ ୨ ଏବଂ ବେଲଜିୟମ, ନେପାଳ, ଶ୍ରୀଲଙ୍କା, ସ୍ୱିଡେନ, କୋମ୍ବାଡିଆ, ଫିନଲ୍ୟାଣ୍ଡ ଓ ଇଜିପ୍ଟରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।