କୋବିଡ-୧୯: ଡେଉଁଛି ଭୂତାଣୁ, ବିଶ୍ଵ ଚିନ୍ତିତ

ନୂଆଦିଲ୍ଲୀ (ଓଟି): ସାରା ବିଶ୍ଵ ପାଇଁ ଆତଙ୍କ ସାଜିଥିବା ମାରାତ୍ମକ କରୋନା ବା କୋବିଡ୍‌-୧୯ ଥମିବାର ନାଁ ଧରୁନି। ବିଶ୍ଵ ପାଇଁ ମହାବିପଦ ସୃଷ୍ଟି କରିଥିବା ଏହି ମାରତ୍ମକ ଭାଇରସ୍‌ ପାଇଁ ଉପଯୁକ୍ତ ଔଷଧ ମଧ୍ୟ ପ୍ରସ୍ତୁତ ହୋଇପାରିନି। ଏଭଳି ସନ୍ଧିକ୍ଷଣରେ ଚୀନ୍‌ର ମୃତକ ସଂଖ୍ୟା ୨,୮୩୫ରେ ପହଞ୍ଚିଥିବାବେଳେ ଆକ୍ରାନ୍ତ ସଂଖ୍ୟା ୭୯,୨୫୧କୁ ବୃଦ୍ଧି ଘଟିଥିବା ଚୀନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ତିମ ସୂଚନା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ୩୯,୦୦୨ଜଣଙ୍କୁ ସୁସ୍ଥ ପରବର୍ତ୍ତୀ ଘରକୁ ଛାଡ଼ି ଦିଆଯାଇଥିବା ସୂଚନା ଦିଆଯାଇଛି। ତେବେ କେବଳ ଚୀନ କାହିଁକି, ବିଶ୍ଵର ଅନ୍ୟ ପ୍ରମୁଖ ଦେଶଗୁଡ଼ିକରେ କୋବିଡ୍‌-୧୯ ଆକ୍ରାନ୍ତ ଓ ମୃତକ ସଂଖ୍ୟା ବଢ଼ିଥିବା ଖବର ମିଳିଛି।

ସୂଚନା ଅନୁସାରେ ଆମେରିକାରେ ଚତୁର୍ଥ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୱାଶିଂଟନରେ ଜଣେ ୧୮ବର୍ଷରୁ କମ୍‌ ବାଳକ ଶରୀରରେ କରୋନା ପଜିଟିଭ୍‌ ଥିବା ଚିହ୍ନଟ ହୋଇଥିବା ସରକାରୀ ଭାବେ କୁହାଯାଇଛି। ସେହିପରି ସାଉଥ୍‌ କୋରିଆରେ ୩,୧୫୦ ଜଣ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଗଲାଣି। ତାଇୱାନ୍‌ରେ ୫ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଭଳି ବିଶ୍ଵର ୩୨ ରାଷ୍ଟ୍ରରେ କରୋନା ଭାଇରସ୍‌ ବ୍ୟାପିଯାଇଥିବା ସୂଚନା ମିଳିଛି। ତେବେ ସବୁଠୁ ଗୁରତ୍ଵପୂର୍ଣ୍ଣ ବିଷୟ ଏହିକି ମଣିଷ ପରେ ପରେ ଏହି ମାରାତ୍ମକ ଭାଇରସ୍‌ ଅନ୍ୟ ପ୍ରାଣୀ ଦେହରେ ପ୍ରବେଶ ହୋଇଥିବା ସ୍ପଷ୍ଟ ହେଲାଣି। ଫଳରେ ଆତଙ୍କ ବଢ଼ିଯାଇଛି।

କକୁରକୁ ‘କରୋନା’

କୋବିଡ୍‌-୧୯ ବା କରୋନା ସମ୍ପ୍ରତି ମଣିଷ ପରେ କୁକୁରକୁ ଡେଇଁଛି। ହଂକଂରେ ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନା ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ୟଭୋନେ ଚାଓ ହଉ ୟେ ତାଙ୍କ ପୋଷା କୁକୁର ଅସୁସ୍ଥ ହେବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ। କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୁକୁରଟି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ଫଳରେ କୁକୁରଟିକୁ ୧୪ ଦିନ ପାଇଁ ସ୍ୱତନ୍ତ୍ର ଭାବରେ ରଖାଯାଇ ଚିକିତ୍ସା କରାଯିବ ବୋଲି ୟଭୋନେ କହିଛନ୍ତି। ତେବେ ପ୍ରଥମଥର ପାଇଁ ଜଣେ କୁକୁର ବା ଅନ୍ୟ ପ୍ରାଣୀ ନିକଟରେ କରୋନା ଭାଇରସ ରହିଥିବା ଜଣାପଡ଼ିଛି। ଫଳରେ ସ୍ଥିତି ସଂକଟଆଡ଼କୁ ଗତିକରିବା ନେଇ ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *