କୋବିଡ୍-୧୯ ଆତଙ୍କ: ନେଲାଣି ୧୯୦୦ ମୁଣ୍ଡ, ଡାକ୍ତରଙ୍କ ପ୍ରାଣ ଗଲା
ନୂଆଦିଲ୍ଲୀ(ଓଟି): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇଚାଲିଛି। କମିବାର ନାଁ ଧରୁନି। ବିଶ୍ଵବ୍ୟାପୀ ବିଶେଷଜ୍ଞଙ୍କ ନିଦ ହଜାଇ ସାରିଲାଣି। କିନ୍ତୁ କୋବିଡ୍-୧୯ ବା କରୋନା ଭାଇରସ୍ ଆତଙ୍କ ପାଇଁ ଔଷଧ ବାହାରିନି। ସେଇ ଚୀନ୍ରେ ୨୦୦୨-୦୩ରେ ଦେଖାଦେଇଥିବା ଏସ୍ଏଆର୍ଏସ୍ ବା ସାର୍ସ ଭାଇରସ୍ ଠାରୁ ଏହା ଖୁବ୍ ସାଂଘାତିକ ହୋଇସାରିଛି। ସେହି ସମୟରେ ସାରା ବିଶ୍ଵରେ ସାର୍ସ ଯୋଗୁ ୮୦୦ ପ୍ରାଣ ଯାଇଥିବାବେଳେ ସମ୍ପ୍ରତି କରୋନା ନେଲାଣି ପ୍ରାୟ ୧୯୦୦ ମୁଣ୍ଡ। ତେବେ ଅନ୍ୟାନ୍ୟା ସୂତ୍ର ଅନୁସାରେ ମୃତକ ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। ତେବେ ଗୁରୁତ୍ଵର ବିଷୟ ଏହିକି ଚୀନର କେନ୍ଦ୍ରୀୟ ସହର ତଥା ଭାଇରସ୍ ଉତ୍ପନ୍ନ ସ୍ଥଳ ଉହାନର ପ୍ରମୁଖ ହସ୍ପିଟାଲର ଜଣେ ପ୍ରସିଦ୍ଧ ଡାକ୍ତରଙ୍କ ପ୍ରାଣ ନେଇଛି ଆଜି କରୋନା। ମୃତକ ହେଉଛନ୍ତି ଲିଉ ଝିମିଂ ଏବଂ ସେ ଉହାନ ଉଚାଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଥିଲେ। ମଙ୍ଗଳବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ଡାକ୍ତର ଲିଉଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଚୀନ ସରକାର ରିପୋର୍ଟ ଅନୁସାରେ ମାରାତ୍ମକ କରୋନା ଭାଇରସରେ ଆକ୍ରାନ୍ତା ହୋଇ ୧୮୬୮ ଜଣ ପ୍ରାଣ ହରାଇଲେଣି। ସେହିପିର ଗତ ୨୪ ଘଣ୍ଟା ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦୦ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୪୩୬ ଜଣକୁ ଛୁଇଁଛି। କରୋନା ମୁକାବିଲା ପାଇଁ ୨୦ ହଜାର ଡାକ୍ତରୀ ଦଳ ଚେଷ୍ଟା ଚଳାଇଛନ୍ତି ବୋଲି ଚୀନ ସରକାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚୀନର ହୁବେଇ ସମେତ ଅନ୍ୟ କେତେକ ପ୍ରମୁଖ ସହରରେ ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଇଛି। ଘରୁ ବାହାରିବା, ଖାଦ୍ୟପାନୀୟ, ବଜାର ବ୍ୟବସାୟ, ଯାନବାହାନ ଚଳାଚଳ ଆଦି ଅନେକ ଉପରେ କଟକଣା ଲଗାଯାଇଥିବା ଜଣାପଡ଼ିଛି।