କରୋନା ଆତଙ୍କ: ଭାରତରେ ଆକ୍ରାନ୍ତ ସଂଖ୍ୟା ୪୩
ନୂଆଦିଲ୍ଲୀ,ଭୁବନେଶ୍ଵର (ଓଟି): କୋବିଡ୍-୧୯ ବା କରୋନା କବଳିତ କରିଦେଇଛି ଭାରତକୁ। ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ କେବଳ କେରଳରେ ୩ ଜଣ ଚିହ୍ନଟ ହୋଇଥିଲେ। ତେବେ ସ୍ଥିତି ସାଧାରଣ ରହିଥିଲା। କିନ୍ତୁ ସମ୍ପ୍ରତି ସୋମବାର ସେହି କେରଳ ସମେତ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଜଣେ ଲେଖାଏଁ ମୋଟ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଞ୍ଚି ଯାଇଛି। ସେ ମଧ୍ୟରେ କେରଳରେ ଆକ୍ରାନ୍ତ ହୋଇଛି ୩ ବର୍ଷର ଶିଶୁ। ସପରିବାର ସହ ଶିଶୁ ଜଣଙ୍କ ଇଟାଲୀରୁ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାକୁ କେରଳର ଏର୍ଣ୍ଣାକୁଲମ ମେଡିକାଲ କଲେଜର ସ୍ୱତନ୍ତ୍ର ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିବାବେଳେ କେବଳ କେରଳରେ ଅଦ୍ୟାବଧି ୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୩,୦୦୩ ଜଣଙ୍କ ପରୀକ୍ଷା ହୋଇଥିବାବଳେ ୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବିମାନ ବନ୍ଦରରେ ୮,୭୪,୭୦୮ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ଯାଞ୍ଚ ହୋଇଥିବାବେଳେ ସେଥିମଧ୍ୟରୁ ୧,୯୨୧ ଜଣଙ୍କ ଶରୀରରେ କରୋନା ଚିହ୍ନଟ ହୋଇଛି ଏବଂ ୧୭୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୩୩,୫୯୯ ଯାତ୍ରୀଙ୍କ ପ୍ରତି ଡାକ୍ତର ତୀକ୍ଷ୍ଣ ନଜର ରଖିଛନ୍ତି। ସେହିପରି ୨୧,୮୬୭ ଯାତ୍ରୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି।
ତେବେ କରୋନା ଯୋଗୁଁ ଦେଶରେ କେହି ପ୍ରାଣ ହରାଇନାହାନ୍ତି ବୋଲି ସରକାରୀ ଭାବେ ସ୍ପଷ୍ଟ କରାଯାଇଛି।
ଆରଏମ୍ଆରସିରେ ପରୀକ୍ଷା ଆରମ୍ଭ
ଭୁବନେଶ୍ଵର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍ଏମ୍ଆର୍ସି)ରେ କରୋନା ନମୁନା ପରୀକ୍ଷା ଆରମ୍ଭ କରାଯାଇଛି। କ୍ୟାପିଟାଲ ହସପିଟାଲରୁ ଆସିଥିବା ୨ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ଓ ଉଭୟ ନମୁନା ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ପୂର୍ବରୁ କରୋନା ନମୁନା ପରୀକ୍ଷା ପାଇଁ ଓଡ଼ିଶାରୁ କୋଲକାତା ଓ ପୁଣେ ପଠାଯାଉଥିଲା। ଏଣିକି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରୁ ଆସିଥିବା ନମୁନା ଆର୍ଏମ୍ଆର୍ସିରେ ପରୀକ୍ଷା କରାଯାଇ ପାରିବ। ଆବଶ୍ୟକସ୍ଥଳେ କଟକ ଏସ୍ସିବିରେ ମଧ୍ୟ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ। ଏହା ଏକ ବଡ଼ ପଦକ୍ଷେପ ବୋଲି ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରକାଶ କରିଛନ୍ତି।