‘କରୋନା’ ଆତଙ୍କ: ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର(ଓଟି): ମାରାତ୍ମକ କରୋନା ଭାଇରସ୍ ବା ଏସଏଆରଏସ୍ (ସାର୍ସ) ଚୀନରେ ବ୍ୟାପିବାରେ ଲାଗିଛି। ଏହି ଭୟାନକ ସଂକ୍ରାମକ ରୋଗରେ କ୍ରମାଗତ ଭାବେ ବିଭିନ୍ନ ବୟସର ଲୋକେ ଆକ୍ରାନ୍ତ ହେଉଛନ୍ତି। ତେବେ ଖାଲି ଚୀନ ନୁହେଁ, ଏହା ଏସିଆ ସମେତ ଅନ୍ୟ ରାଷ୍ଟ୍ରକୁ ମଧ୍ୟ ଧୀରେଧୀରେ ପ୍ରବେଶ କଲାଣି। ମଙ୍ଗଳବାର ଅପରାହ୍ଣ ୪ଟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୪ ହଜାରରେ ପହଞ୍ଚିଥିବାବେଳେ କେବଳ ସୋମବାର ରାତିରେ ୬୦ ପ୍ରତିଶତ ହାରରେ ଭାଇରସ୍‌ ବ୍ୟାପିଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ମୃତ୍ୟୁ ସଂଖ୍ୟା ମଧ୍ୟ ୧୦୦ରୁ ଅଧିକ ହୋଇଥିବାବେଳେ ବିଶ୍ଵବ୍ୟାପି ବଡ଼ ଆତଙ୍କ ସୃଷ୍ଟି ହୋଇଛି। କେବଳ ଚୀନର ହୁବାଇରେ ମୃତକଙ୍କ ସଂଖ୍ୟା ଅଧିକ ଭାବେ ବଢ଼ିବାରେ ଲାଗିଛି।

କରୋନା ଭାଇରସ୍ ଲାଗି ଚୀନରେ ସ୍ଵାସ୍ଥ୍ୟସେବା ଯୋଗାଇବା ବଡ଼ ଚାଲେଞ୍ଜ ହୋଇପଡ଼ିଛି। ଏହି ଭୟାନକ ଭାଇରସ୍‌ ପାଇଁ କୌଣସି ପ୍ରତିଷେଧକ ଟିକା କି ଔଷଧ ତିଆରି ହୋଇନଥିବାବେଳେ କେବଳ ସତର୍କତା ହିଁ ଏକମାତ୍ର ରାସ୍ତା। ଏଭଳି ସ୍ଥିତିରେ ଚୀନରେ ଆବଶ୍ୟକ ସଂଖ୍ୟକ ପରୀକ୍ଷା କିଟ୍‌ ନଥିବାରୁ ସମସ୍ୟା ଉପୁଜିଛି। ପରୀକ୍ଷା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଏହା ବ୍ୟବସାୟ ସମେତ ଅର୍ଥନୀତି ପ୍ରତି ଖୁବ୍‌ ନକରାତ୍ମକ ପ୍ରଭାବ ପକାଇଲାଣି। ବିଶ୍ଵ ବ୍ୟାପୀ ରାଷ୍ଟ୍ରଗୁଡ଼ିକ ଚୀନକୁ ଯିବାଆସିବାରେ ପ୍ରତିବନ୍ଧକ ଲଗାଇଲେଣି। ଏହି କ୍ରମରେ ହଂକଂ ବଡ଼ ସତର୍କମୂଳକ ପଦକ୍ଷେପ ନେଇଛି। ଚୀନରୁ ଆସୁଥିବା ଫ୍ଲାଇଟ୍‌ ଓ ଟ୍ରେନ୍‌ ଚଳାଚଳରେ ବଡ଼ ରୋକ ଲଗାଇଛି ହଂକଂ। ସେଭଳି ଆମେରିକା ମଧ୍ୟ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଉଛି।

ଓଡ଼ିଶା ସରକାର ଜାରିକଲେ ସତର୍କତା

ସମ୍ପ୍ରତି ରାଜ୍ୟରେ କରୋନା ଭାଇରସ୍ ଦ୍ଵାରା କେହି ଆକ୍ରାନ୍ତ ହୋଇଥିବା ଜଣାପଡ଼ିନି। କିନ୍ତୁ ବାର୍ଡ ଫ୍ଲୁ କୁ ନେଇ ସାଧାରଣରେ ଭୟ ଖେଳିଯାଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନତା କରିବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ପରାମର୍ଶ ଦିଆଯାଇଛି ଯେ- ଭଲଭାବରେ ହାତ ସଫା କରିବା ପରେ ଖାଦ୍ୟ ଗ୍ରହଣ କରିବା ଜରୁରି। ସେହିପରି କାଶ ଓ ଛିଙ୍କ ଆସିଲେ ମୁହଁକୁ ରୁମାଲ ଦ୍ଵାରା ଢାଙ୍କିନେବା ଦରକାର। ମାଛ-ମାଂସ-ଚିକେନ-ଅଣ୍ଡା ଆଦି ଭଲ ଭାବେ ସିଝାଇ ଖାଇବା ଉଚିତ। ସର୍ବସାଧାରଣ ସ୍ଥାନରେ ସଂକ୍ରମଣ ହେବାର ଆଶଙ୍କା ଥିଲେ ସେଠାରୁ ଦୂରେଇ ରହିବା ସହ ଥଣ୍ଡା-କାଶରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରିକି ଗତ ୧ରୁ କେହି ଚୀନ ଯାତ୍ରା କରିଥିଲେ ଓ ସେମାନଙ୍କୁ କାଶ-ଥଣ୍ଡ- ଜ୍ୱର କିମ୍ବା ଶ୍ଵାସ ପ୍ରକ୍ରିୟାରେ କଷ୍ଟ ଅନୁଭବ ହେଲେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ମେଡିକାଲ୍ କଲେଜ, ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଆଦିରେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଏଥିସହ କରୋନା ଭାଇରସ୍ ସମ୍ପର୍କରେ ସୂଚନା ପାଇଁ ୦୬୭୪-୨୩୯୦୪୬୬ / ୯୪୩୯୯୯୪୮୫୭ ନମ୍ବରରେ ଯୋଗାଯୋଗ କରାଯାଇପାରିବ।

Leave a Reply

Your email address will not be published. Required fields are marked *