#କରୋନା ଆତଙ୍କ: ଦେଶରୁ ନେଲାଣି ୧୦୯ ପ୍ରାଣ

ନୂଆଦିଲ୍ଲୀ(ଓଟି): ନାହିଁ ନାହିଁ କହୁ କହୁ ମାତିଗଲା ଆତଙ୍କ। ବ୍ୟାପିଗଲା କରୋନା ତଥା #କୋଭିଡ୍‌-୧୯। ଚାହୁଁଚାହୁଁ ସମ୍ପ୍ରତି ସଂକ୍ରମିତଙ୍କ ସଂଖ୍ୟା ଟପିଲାଣି ୪ ହଜାର। ସେହିଭଳି ୧୦୯ଜଣଙ୍କ ପ୍ରାଣ ନାଶ କରିଦେଲାଣି ମହାମାରୀ କରୋନା ଭୂତାଣୁ। ତେବେ ସାରାଦେଶରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ସବୁ ରାଜ୍ୟ ସରକାର ମଧ୍ୟ ସଜାଗ। କିନ୍ତୁ ଥମିନି ଭୟ।

ସୂଚନା ଅନୁସାରେ ସୋମବାର ଅପରାହ୍ଣ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ଫଳରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪ ହଜାର ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସମ୍ପ୍ରତି ୪୦୬୯ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେହିପରି ୨୯୨ ଜଣ ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ୩୬୬୬ଟି କରୋନା ମାମଲା ଆକ୍ଟିଭ୍ ଥିବା ସୂଚନା ଦିଆଯାଇଛି। ତେବେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି। ସେଠାରେ ୬୯୦ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବାବେଳେ ସେମଧ୍ୟରୁ ୪୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ତାମିଲନାଡୁର ୫୭୧ଟି କେସ୍‌ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ  ୫୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ଜଣ ପ୍ରାଣ ହରାଇଛନ୍ତି। ତେଲେଙ୍ଗାନାରେ ଏପର୍ଯ୍ୟନ୍ତ ୩୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଜୀବନ ଯାଇଛି। ଅନୁରୂପ ଭାବେ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୭ ରହିଛି ଏବଂ ୧୯ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *