‘କରୋନା’ ଗିଳିଲା ୧୧ ଲକ୍ଷ କୋଟି

ନୂଆଦିଲ୍ଲୀ (ଓଟି): କରୋନା ଲାଗି ବ୍ୟାପକ କ୍ଷତି ଘଟି ଚାଲିଛି। ନିବେଶକାରୀମାନେ ବିଭିନ୍ନ କ୍ଷେତ୍ରରୁ ସର୍ବାଧିକ ହାରରେ ଶେୟାର ବିକ୍ରି କରିଦେଉଛନ୍ତି। ଫଳରେ ଗୁରୁବାର ବିଏସ୍‌ଇ ସେନ୍‌ସେକ୍ସରେ ୨୯୧୯ ପଏଣ୍ଟ ହ୍ରାସ ଘଟିବା ସହ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ଘଟିଛି। ବୁଧବାର କାରବାର ଶେଷ ସୁଦ୍ଧା ବିଏସ୍‌ଇ ତାଲିକାଭୁକ୍ତ କମ୍ପାନୀମାନଙ୍କ ମୋଟ ବଜାର ପୁଞ୍ଜି ୧,୩୭,୧୩,୫୫୮.୭୨ କୋଟି ରହିଥିଲାବେଳେ ଗୁରୁବାର ଏହା ୧,୨୫,୮୬,୩୯୮.୦୭ କୋଟିକୁ ଖସିଥିଲା। ଫଳରେ ନିବେଶକାରୀମାନେ ୧୧,୨୭,୧୬୦.୬୫ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବୁଧବାର ସୁଦ୍ଧା ବିଦେଶୀ ଆନୁଷ୍ଠାନିକ ନିବେଶକାରୀ (ଏଫ୍‌ଆଇଆଇ)ଙ୍କ ଦ୍ୱାରା ମୋଟ ୩୫୧୫.୩୮ କୋଟିର ଇକ୍ୱିଟି ବିକ୍ରି କରିଦିଆଯାଇଥିବା ଷ୍ଟକ୍ ଏକ୍ସଚେଞ୍ଜ ତଥ୍ୟରୁ ଜଣାପଡ଼ିଛି।

ସୂଚନା ଅନୁସାରେ କରୋନା ଭାଇରସ୍ ବ୍ୟାପିବାକୁ ଦୃଷ୍ଟିରେ ରଖି ବିଶ୍ୱ ସଂଗଠନ ପକ୍ଷରୁ ‘ପାଣ୍ଡେମ୍‌’ (ମହାମାରୀ) ଘୋଷଣା କରାଯିବା ପରେ ନିବେଶକାରୀ ଭୟଭୀତ ହୋଇପଡ଼ିବା ସହ ବିଭିନ୍ନ କ୍ଷେତ୍ରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି। ଫଳରେ ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜଗୁଡିକରେ ସର୍ବାଧିକ ସଂଖ୍ୟାରେ ଶେୟାରରେ ନିବେଶ ନୁହେଁ ବରଂ ବିକ୍ରି କରିଦିଆଯାଉଛି। ଯାହାକୁ ନେଇ ବିଶ୍ୱର ବହୁ ପ୍ରତିଷ୍ଠିତ କମ୍ପାନୀର କ୍ଷତି ପରିମାଣ ବୃଦ୍ଧି ପାଇ ଚାଲିଛି। 

Leave a Reply

Your email address will not be published. Required fields are marked *