#CoronaUpdates: ରୋଗୀ ସଂଖ୍ୟା ସ୍ଥିର, ତିନିଦିନରେ ଭୁବନେଶ୍ଵରରେ ୨୫୦୦ ସାମ୍ପଲ୍‌ ପରୀକ୍ଷଣ, ବାଲେଶ୍ଵରରେ କଟକଣା

ଭୁବନେଶ୍ବର (ଓଡ଼ିଶା ଟାଇମ୍‌) : ରାଜ୍ୟରେ କରୋନା ସ୍ଥିତି ସ୍ଥିର ରହିଛି। ସମୁଦାୟ ୯୬୯୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟିଂ କରାଯାଇଛି। ଏହାଦ୍ଵାରା ୬୪ଜଣଙ୍କ କ୍ଷେତ୍ରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରଖାଯିବା ସହ ଅନ୍ୟମାନଙ୍କୁ ଗୃହ ଆବଦ୍ଧ ହେବା ପାଇଁ ପରାମର୍ଶ ଦିଆଯାଇଛି।

ଶନିବାର ଦିନ ରାଜ୍ୟ ସରକାରଙ୍କ ଶେଷ ରିଲିଜ୍‌ ତଥ୍ୟ ଅନୁସାରେ ରାଜ୍ୟରେ ରୋଗୀ ଚିହ୍ନଟ ସଂଖ୍ୟା ୬୧ ରହିଛି। ସେମାନଙ୍କ ଭିତରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ୩୬ ଜଣ ସକ୍ରିୟ ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ଵରରେ ଅବରୋଧ ଅଞ୍ଚଳ

ଲଗାତାର ତିନିଦିନ କୌଣସି ନମୁନାରୁ କୋଭିଡ୍‌ ନିଶ୍ଚିତ କରାଯାଇ ନଥିବା ବେଳେ ୧୮ ତାରିଖ ଦିନ ଶେଷଥର ଲାଗି ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେ ବାଲେଶ୍ଵରର ହୋଇଥିବାରୁ ସମ୍ପୂଣ୍ଣ ନିଳିଆ ବାଗକୁ ସିଲ୍‌ କରାଯାଇ ଆଇନ ଅନୁସାରେ ସେଠାରେ ବ୍ୟବସ୍ଥା ଆପଣା ଯାଇଛି । ଏଠାରେ ଚିହ୍ନିତ ରୋଗୀଙ୍କ ଝାଡ଼ଖଣ୍ଡ ଯାତାୟାତ ଇତିହାସ ରହିଛି। ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛଇ କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

ବାଲେଶ୍ବର ଜିଲ୍ଲାର ପ୍ରଥମ ଓ ରାଜ୍ୟର ୬୧ ନମ୍ବର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ରସ୍ଥଳ ନୀଳିଆବାଗ ଅଞ୍ଚଳକୁ ସଂକ୍ରମଣ ଅବରୋଧ ଜୋନ୍‌ ଭାବେ ଘୋ‌ଷଣା କରାଯାଇଛି। ଜୋନ୍‌ ଅଞ୍ଚଳର ୮ଟି ପଏଣ୍ଟକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିବା ସହ ସେଠାରେ ପୁଲିସ ମୁତୟନ କରାଯାଇ ଉକ୍ତ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ନିଷିଦ୍ଧ କରାଯାଇଛି।

ଭୁବନେଶ୍ଵରରେ ଦ୍ରୁତ ପରୀକ୍ଷା

ସଂକ୍ରମଣ ସ୍ତର ବାବଦରେ ତଥ୍ୟଗତ ନିଶ୍ଜିତ ହେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ସହରରେ ଦ୍ରୁତ ପରୀକ୍ଷଣ ଆରମ୍ଭ କରାଯାଇଛି।  ଗତ ୩ ଦିନ ଭିତରେ ରାଜଧାନୀରେ ୨୫୦୦ କୋଭିଡ ନମୁନା ସଂଗ୍ରହ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗର ଟିମ୍ ଏହି ନମୁନା ସଂଗ୍ରହ କରୁଛନ୍ତି। ନମୁନା ସଂଗ୍ରହ ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ୭ଦିନ ଭିତରେ ୫ହଜାର ନମୁନା ପରୀକ୍ଷା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।  ନମୁନା ପରୀକ୍ଷଣ ରିପୋର୍ଟ ଅଧଘଣ୍ଟାଏ ଭିତରେ ଜଣାପଡ଼ୁଛି। ଯେଉଁମାନଙ୍କ ପଜିଟିଭ୍‌ ଆସୁଛି ସେମାନଙ୍କୁ ନିଶ୍ଚିତ ରିପୋର୍ଟ ଦେବା ଲାଗି ସରକାର ପୁଣିଥରେ ଆର୍‌ଟିପିସିଆର ସାମ୍ପଲ୍‌ ସଂକ୍ରହ କରି ଟେଷ୍ଟିଂ ପାଇଁ ପଠାଉଛନ୍ତି।

ଏବେ ରାଜ୍ୟରେ ସକ୍ରିୟ ଥିବା ୩୬ କରୋନା ରୋଗୀଙ୍କ ଭିତରୁ ୨୯ଜଣ ହେଉଛନ୍ତି ଭୁବନେଶ୍ଵର ଅଞ୍ଚଳର। ବିଶେଷକରି ବମିଖାଲ, ଝାରପଡ଼ା, ସୂର୍ଯ୍ୟନଗର ଏବଂ ସତ୍ୟ ନଗର ଅଞ୍ଚଳରେ କରୋନା ସଂକ୍ରମଣ ଠାବ କରାଯାଇଛି। ଏହି ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ ଅବରୋଧ କରାଯାଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଛି।

Leave a Reply

Your email address will not be published.